ଉଦ୍‌ଘାଟନୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଇଂଲଣ୍ଡ

ଲଣ୍ଡନ୍ : ଉଭୟ ବ୍ୟାଟିଂ ଓ​‌ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଆୟୋଜକ ଇଂଲଣ୍ଡ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଜୟୀ ହୋଇଛି। ବେନ୍‌ ଷ୍ଟୋକ୍‌ସଙ୍କ ଦାୟିତ୍ବପୂର୍ଣ୍ଣ ଇନିଂସ ପରେ ଜୋଫ୍ରା ଆର୍ଚରଙ୍କ ଅଗ୍ନିବର୍ଷୀ ବୋଲିଂ ବଳରେ ଇଂଲଣ୍ଡ ୧୦୪ ରନ୍‌ର ବିପୁଳ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଗୁରୁବାର ଏହି ବିଜୟ ସହ ଇଂଲଣ୍ଡ ବିଶ୍ବକପ୍‌ର ଅନ୍ୟତମ ଫେଭରିଟ୍‌ ମାନ୍ୟତା ସହ ଆଇସିସି ଦିନିକିଆ ମାନ୍ୟତାରେ ୧ନଂ ସ୍ଥାନ ଯଥାର୍ଥ ପ୍ରମାଣିତ କରିଛି। ୪ଟି ଅର୍ଦ୍ଧଶତକ ବଳରେ ପ୍ରଥ​‌େ​‌ମ ଘରୋଇ ଇଂଲଣ୍ଡ ୮ ୱିକେଟରେ ୩୧୧ ରନ୍ କରିଥିଲା। କ୍ବିଣ୍ଟନ ଡି କକ୍ ଓ ରାସି ଭାନ୍ ଡର ଡ୍ୟୁସେନ୍ ଅର୍ଦ୍ଧଶତକ ମାରିଥିଲେ ହେଁ ଦକ୍ଷିଣ ଆଫ୍ରିକା ୩୯.୫ ଓଭରରେ ୨୦୭ ରନ୍‌କରି ଅଲ୍ଆଉଟ ହୋଇଥିଲା।
ଦକ୍ଷିଣ ଆଫ୍ରିକା ୩୧୨ ରନ୍ ବିଜୟଲକ୍ଷ୍ୟର ପିଛା କରିଥିବା ବେଳେ ଜୋଫ୍ରା ଆର୍ଚର ବିଶ୍ବକପ୍ ପଦାର୍ପଣରେ ନୂଆବଲ୍‌ରେ ଅଗ୍ନିବର୍ଷୀ ବୋଲିଂ କରିଥିଲେ। ଆର୍ଚର ଦକ୍ଷିଣ ଆଫ୍ରିକାର ଓପ୍‌ନର ହାସିମ୍ ଆମ୍‌ଲାଙ୍କୁ ଆହତକରି ପାଭିଲିୟନ୍ ପଠାଇଥିବା ବେଳେ ପୂରା ମଧ୍ୟକ୍ରମକୁ ଧ୍ବସ୍ତ କରିଥିଲେ। ୪ର୍ଥ ଓଭରରେ ଆର୍ଚରଙ୍କ ଏକ ସର୍ଟ ପିଚ୍ ବଲ୍‌କୁ ଆମ୍‌ଲା ସଠିକ୍ ଭାବେ ଖେଳି ନପାରିବାରୁ ବଲ୍‌ଟି ତାଙ୍କ ହେଲ୍‌ମେଟରେ ବାଜିଥିଲା। ପରେ ଆମ୍‌ଲା ପାଭିଲିଅନ୍‌କୁ ଫେରି ଯାଇଥିଲେ। ଐଡେନ ମାର୍କରାମ (୧୧)ଙ୍କୁ ଆଉଟ୍‌କରି ଆର୍ଚର ପ୍ରଥମ ୱିକେଟ ନେଇଥିଲେ। ପରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ ପ୍ଲେସି (୫)ଙ୍କୁ ଆର୍ଚର ଆଉଟ କରିଥିଲେ। ୪୪ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ଡି କକ୍ ଓ ରାସି ଭାନ୍ ଡର୍ ଡ୍ୟୁସେନ୍ ୮୫ ରନ୍ ଯୋଗ କରିଥିଲେ। ତେବେ ବାମହାତି କ୍ବିଣ୍ଟନ୍ ଡି କକ୍ ଆଉଟ ହେବା ସହ ଦକ୍ଷିଣ ଆଫ୍ରିକା ବିଜୟ ଆଶା ମଉଳି ଯାଇଥିଲା। ଡି କକ୍ ୭୪ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୬୮ ରନ୍ କରିଥିଲେ। ପରେ ରାସି ଭାନ୍ ଡର ଡ୍ୟୁସେନ୍ ଏକା ଲଢ଼ିଥିଲେ। ତେବେ ଆର୍ଚର ୨ୟ ସ୍ପେଲ୍‌ରେ ବୋଲିଂ କରିବାକୁ ଆସି ଡ୍ୟୁସେନ୍‌ଙ୍କୁ ମଧ୍ୟ ଆଉଟ କରି ଦେଇଥିଲେ। ଭାନ୍ ଡ୍ୟୁସେନ୍ ୬୧ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୫୦ ରନ୍ କରିଥିଲେ। ୬ଟି ୱିକେଟ ପଡ଼ିଯିବା ପରେ ଆମ୍‌ଲା ବ୍ୟାଟିଂ କରିବାକୁ ଆସିଥିଲେ ହେଁ ସେ ୧୩ ରନ୍ କରି ପାରିଥିଲେ। ଆନ୍ଦିଲେ ଫେଲୁକ୍ବାୟୋ ୪ଟି ଚୌକା ସହ ୨୪ ରନ୍ କରିଥିଲେ। ବେନ୍‌ ​‌େ​‌ଷ୍ଟାକ୍‌ସ ଶେଷ ୨ଟି ୱିକେଟ ନେଇ ଇନିଂସର ଅନ୍ତଃ ଘଟାଇଥିଲେ। ଜୋଫ୍ରା ଆର୍ଚର ୩ଟି ଏବଂ ଲିଆମ୍ ପ୍ଲଙ୍କେଟ୍ ଓ ବେନ୍ ଷ୍ଟୋକ୍‌ସ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଷ୍ଟୋକ୍‌ସ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ୨ୟ ବଲ୍‌ରେ ହିଁ ଦକ୍ଷିଣ ଆଫ୍ରିକାକୁ ସଫଳତା ମିଳିଥିଲା। ଜନି ବେୟାରଷ୍ଟୋଙ୍କୁ ଇମ୍ରାନ୍ ତାହିର କଟ୍ ବିହାଇଣ୍ଡ କରାଇଥିଲେ। ଏହାପରେ ଫର୍ମରେ ଥିବା ଜେସନ୍ ରୟ ଓ ଜୋ ରୁଟ୍ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ଆକର୍ଷଣୀୟ ଷ୍ଟ୍ରୋକ୍ ଖେଳି ସ୍କୋର୍‌କୁ ଆଗେଇ ନେଇଥିଲେ। ଦୁହେଁ ୨ୟ ୱିକେଟ ପାଇଁ ୧୮ ଓଭରରେ ୧୦୬ ରନ୍‌ର ଭାଗିଦାରୀ କରିଥିଲେ। ତେବେ ୪ଟି ବଲ୍‌ ମଧ୍ୟରେ ଦୁହେଁ ଆଉଟ ହୋଇ ଯାଇଥିଲେ। ଜେସନ୍ ରୟ ୫୩ ବଲ୍‌ରୁ ୮ଟି ଚୌକା ସହ ୫୪ ଏବଂ ରୁଟ୍ ୫୯ ବଲ୍‌ରୁ ୫ଟି ଚୌକା ସହ ୫୧ ରନ୍ କରିଥିଲେ। ପରେ ଦୁଇ ବାମହାତି ଅଧିନାୟକ ଇଓନ୍ ମୋର୍ଗାନ୍ ଓ ବେନ୍ ଷ୍ଟୋକ୍‌ସ ଚମତ୍କାର ବ୍ୟାଟିଂ କରିଥିଲେ ଏବଂ ଓଭର ପିଛା ୬ରୁ ଅଧିକ ହାରରେ ରନ୍‌ସଂଗ୍ରହ କରିଥିଲେ। ଷ୍ଟୋକ୍‌ସଙ୍କ ସହ ମୋର୍ଗାନ୍‌ଙ୍କ ୪ର୍ଥ ୱିକେଟ ଭାଗିଦାରୀରୁ ୧୦୬ ରନ୍ କରିଥିଲେ। ମୋର୍ଗାନ୍ ୬୦ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୫୭ ରନ୍ କରିଥିଲେ। ଫର୍ମରେ ଥିବା ଜୋସ୍ ବଟ୍‌ଲରଙ୍କଠାରୁ ବଡ଼ ଇନିଂସର ଆଶା ଥିଲେ ହେଁ ସେ ମାତ୍ର ୧୮ ରନ୍ କରି ପାରିଥିଲେ। ବେନ୍ ଷ୍ଟୋକ୍‌ସ ୪୯ତମ ଓଭର ପର୍ଯ୍ୟନ୍ତ ବ୍ୟାଟିଂକରି ଇନିଂସ ସମ୍ଭାଳିଥିଲେ। ମୋଇନ୍ ଅଲୀ ୩ ଓ କ୍ରିସ୍ ୱକ୍‌ସ ୧୩ ରନ୍ କରି ପାରିଥିଲେ। ଷ୍ଟୋକ୍‌ସ ୭୯ ବଲ୍‌ରୁ ୯ଟି ଚୌକାମାରି ୮୯ ରନ୍ କରିଥିଲେ। ଲୁଙ୍ଗି ଏନ୍‌ଗିଡ଼ି ୩ଟି ଏବଂ ଇମ୍ରାନ୍ ତାହିର ଓ କାଗିସୋ ରାବାଡ଼ା ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.