ଇଂଲଣ୍ଡ – ଭାରତ ଅନ୍ତିମ ଟେଷ୍ଟ, ପ୍ରଥମ ଇନିଂସରେ ଭାରତ ଆଗୁଆ

ଅହମ୍ମଦାବାଦ୍: ଭ୍ରମଣକାରୀ ଇଂଲଣ୍ଡ ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନରେ ଭାରତୀୟ ଦଳର ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ୍‌ ଶତକ ହାସଲ କରିଥିବା ବେଳେ ୱାଶିଂଟନ ସୁନ୍ଦର ଅପରାଜିତ ୬୦ ରନ୍‌ କରିଛନ୍ତି। ଫଳରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ପ୍ରଥମ ଇନିଂସରେ ୭ ୱିକେଟ୍‌ ହରାଇ ୨୯୪ ରନ୍‌ ସଂଗ୍ରହ କରିଛି। ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୨୦୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିବାରୁ ଭାରତୀୟ ଦଳ ୮୯ ରନ୍‌ରେ ଆଗୁଆ ରହିଛି।

ପ୍ରଥମ ଦିନ ଇଂଲଣ୍ଡ ଦଳ ୨୦୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିବା ବେଳେ ଭାରତୀୟ ଦଳ ଗୋଟିଏ ୱିକେଟ୍ ହରାଇ ୨୪ ରନ୍‌ କରିଥିଲା। ଶୁବମାନ୍‌ ଗିଲ୍ କୌଣସି ରନ୍ କରିବା ପୂର୍ବରୁ ଆଉଟ୍‌ ହୋଇଥିବା ବେଳେ ରୋହିତ ଶର୍ମା ୮ ଓ ପୂଜାରା ୧୫ ରନ୍‌ କରି ଅପରାଜିତ ରହିଥିଲେ। ଦ୍ବିତୀୟ ଦିନ ଖେଳ ଆରମ୍ଭରୁ ଇଂଲଣ୍ଡ ଦଳର ବୋଲରମାନେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ଏଥିରେ ପ୍ରାରମ୍ଭିକ ସଫଳତା ମଧ୍ୟ ମିଳିଥିଲା। ଭାରତୀୟ ଦଳର ସ୍କୋର ୪୦ ରନ୍‌ ହୋଇଥିବା ବେଳେ ପୂଜାରା ବ୍ୟକ୍ତିଗତ ଭାବେ ଗୋଟିଏ ଚୌକା ସହାୟତାରେ ୧୭ ରନ୍‌ କରି ଆଉଟ୍ ହୋଇଥିଲେ। ପୂଜାରା ଆଉଟ୍ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବେଶୀ ସମୟ ପିଚ୍‌ରେ ତିଷ୍ଠି ପାରିନଥିଲେ। ସେ ଖାତା ଖୋଲିବା ପୂର୍ବରୁ ବେନ୍‌ ଷ୍ଟୋକ୍‌ସଙ୍କ ଶିକାର ହୋଇଥିଲେ। ୪୧ ରନ୍‌ରେ ୩ଟି ୱିକେଟ ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ରାହାଣେ ଓ ରୋହିତ ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟଙ୍କ ମଧ୍ୟରେ ୪ର୍ଥ ୱିକେଟ୍‌ ନିମନ୍ତେ ୩୯ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଦଳର ସ୍କୋର ୮୦ ହୋଇଥିବା ବେଳେ ରାହାଣେ ୪ଟି ଚୌକା ସହାୟତାରେ ୨୭ ରନ୍‌ କରି ଆଉଟ୍‌ ହୋଇଥିଲେ। ରାହାଣେଙ୍କ ୱିକେଟ୍ ପତନ ପରେ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ୍‌ ଓ ରୋହିତ ଦଳର ସ୍କୋରକୁ ୧୨୧ରେ ପହଞ୍ଚାଇଥିଲେ।

ଏହି ସ୍କୋରରେ ରୋହିତ ଶର୍ମା ୭ଟି ଚୌକା ସହାୟତାରେ ୪୯ ରନ୍ କରି ଆଉଟ୍‌ ହୋଇଥିଲେ। ସେହିପରି ଦଳର ସ୍କୋର ୧୪୬ ହୋଇଥିବା ବେଳେ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ବ୍ୟକ୍ତିଗତ ଭାବେ ୨ଟି ଚୌକା ସହାୟତାରେ ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଭାରତର ପ୍ରଥମ ଇନିଂସ ଶୀଘ୍ର ଶେ​‌ଷ ହୋଇଯିବ ବୋଲି ଆଶଙ୍କା କରାଯାଉଥିବା ବେଳେ ପନ୍ତ୍‌ ଓ ୱାଶିଂଟନ ସୁନ୍ଦରଙ୍କ ମଧ୍ୟରେ ୭ମ ୱିକେଟ୍ ନିମନ୍ତେ ୧୧୩ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଗୋଟିଏ ପଟେ ପନ୍ତ୍‌ ଦ୍ରୁତଗତିରେ ରନ୍‌ ସଂଗ୍ରହ କରି ଚାଲିଥିବା ବେଳେ ଅନ୍ୟପଟେ ସୁନ୍ଦର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ। ଦଳର ସ୍କୋର ୨୫୯ ରନ୍‌ ହୋଇଥିବା ବେଳେ ପନ୍ତ ବ୍ୟକ୍ତିଗତ ଭାବେ ୧୧୮ଟି ବଲ୍‌ରୁ ୧୩ଟି ଚୌକା ଓ ୨ଟି ଛକା ସହାୟତାରେ ୧୦୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ଦିନ ଖେଳ ଶେ​‌ଷ ସୁଦ୍ଧା ସୁନ୍ଦର ୮ଟି ଚୌକା ସହାୟତାରେ ୬୦ ଓ ଅକ୍ଷର ପଟେଲ୍‌ ୨ଟି ଚୌକା ସହାୟତାରେ ୧୧ ରନ୍‌ କରି ଅପରାଜିତ ରହିଛନ୍ତି।

ଇଂଲଣ୍ଡ ଦଳର ବୋଲର ଜେମ୍‌ସ ଆଣ୍ଡରସନ୍‌ ୩ଟି ୱିକେଟ୍ ହାସଲ କରିଥିବା ବେଳେ ବେନ୍‌ ଷ୍ଟୋକ୍‌ସ ଓ ଜ୍ୟାକ୍‌ ଲିଚ୍‌ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ।

Comments are closed.