୩ୟ ଦିବାରାତ୍ର ଟେଷ୍ଟ: ଇଂଲଣ୍ଡର ବ୍ୟାଟିଂ ବିଫଳତା

ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ‘ନରେନ୍ଦ୍ର ମୋଦୀ’ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୩ୟ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଭାରତୀୟ ସ୍ପିନର ଅକ୍ଷର ପଟେଲ ଏବଂ ରବିଚନ୍ଦ୍ରନ ଅଶ୍ଵିନଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଦଳ ୨ୟ ସେସନ ସୁଦ୍ଧା ୯୮ ରନ୍ରେ ୮ ଉଇକେଟ୍ ହରାଇସାରିଛି। ପଟେଲ ୪ଟି ଏବଂ ଅଶ୍ଵିନ ୩ଟି ଲେଖାଏ ଉଇକେଟ୍ ନେଇଥିବାବେଳେ ଇଶାନ୍ତ ଶର୍ମା ଗୋଟିଏ ଉଇକେଟ୍ ଅକ୍ତିଆର କରିଛନ୍ତି।
ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ମାତ୍ର ୨ ରନରେ ଦଳ ପ୍ରଥମ ଉଇକେଟ୍ ଭାବେ ଡୋମିନିକ୍ ସିବ୍ଲେଙ୍କୁ ହରାଇଥିଲା। ସିବ୍ଲେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ତେବେ ଅନ୍ୟତମ ଓପନର ଜାକ୍ କ୍ରଲେ ଭଲ ଖେଳିଥିଲେ ମଧ୍ୟ ଅନ୍ୟ ଖେଳାଳିମାନେ ତାଙ୍କୁ ସହଯୋଗ କରିପାରି ନ ଥିଳେ। କ୍ରଲେ ସର୍ବାଧିକ ୫୩ ରନ୍ କରି ପଟେଲଙ୍କ ଦ୍ବାରା ଲେଗ୍ ବିଫୋର ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଜୋ ରୁଟ୍ ୧୭ ଏବଂ ଜୋଫ୍ରା ଆର୍ଚର ୧୧ ରନ୍ କରିଥିଲେ।
ସୂଚନାଯୋଗ୍ୟ, ୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ଭାରତ ଏବଂ ଇଂଲଣ୍ଡ ଗୋଟିଏ ଲେଖାଏ ମ୍ୟାଚ ଜିତି ସମାନ ସ୍ଥିତିରେ ରହିଛନ୍ତି। ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦଳ ଏବଂ ୨ୟ ମ୍ୟାଚରେ ଘରୋଇ ଦଳ ବିଜୟୀ ହୋଇଥିଲା।