ବେୟାରଷ୍ଟୋଙ୍କ ଶତକ; ସେମିଫାଇନାଲରେ ଇଂଲଣ୍ଡ

ଚେଷ୍ଟର-ଲି-ଷ୍ଟ୍ରିଟ୍‌ : ୩ୟ ଦଳ ଭାବେ ଚଳିତ ବିଶ୍ବକପ୍‌ରେ ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ବୁଧବାର ଶେଷ ଲିଗ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୧୯ ରନ୍‌ରେ ପରାସ୍ତକରି ଇଂଲଣ୍ଡ ଏହି କୃତିତ୍ବ ହାସଲ କରିଛି। କ୍ରମାଗତ ୨ୟ ମ୍ୟାଚ୍‌ରେ ଇଂଲଣ୍ଡ ଓପ୍‌ନର ଜନି ବେୟାରଷ୍ଟୋ ଶତକ ମାରିଛନ୍ତି। ତାଙ୍କର ଏହି ଶତକ ବଳରେ ଚଳିତ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ମ୍ୟାଚ୍‌ରେ ଇଂଲଣ୍ଡ ୩ ଶହରୁ ଅଧିକ ରନ୍ କରି ପାରିଥିଲା। ବେୟାରଷ୍ଟୋଙ୍କ ଶତକ ଓ ଜେସନ୍ ରୟଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଇଂଲଣ୍ଡ ୮ ୱିକେଟ ହରାଇ ୩୦୫ ରନ୍ କରିଥିଲା। ପରେ ନ୍ୟୁଜିଲାଣ୍ଡ ୪୫ ଓଭରରେ ୧୮୬ ରନ୍‌କରି ଅଲ୍ଆଉଟ ହୋଇଥିଲା। କ୍ରମାଗତ ୨ୟ ବିଜୟ ସହ ୯ମ ମ୍ୟାଚ୍‌ରେ ୬ଷ୍ଠ ବିଜୟ ପରେ ଇଂଲଣ୍ଡ ୧୨ ପଏଣ୍ଟ ପାଇ ୩ୟ ସ୍ଥାନରେ ରହି ସେମିଫାଇନାଲ ଖେଳିବା ନିଶ୍ଚିତ କରିଛି। ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିବା ଦ୍ବାରରେ ଥିବା ବେଳେ ପାକିସ୍ତାନ ରାସ୍ତା କଣ୍ଟକିତ ହୋଇଯାଇଛି। ବାଂଲାଦେଶକୁ ଶେଷ ମ୍ୟାଚ୍‌ରେ ୨୫୦ରୁ ଅଧିକ ରନ୍‌ରେ ପରାସ୍ତକଲେ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବ; ଯାହା ଅସମ୍ଭବ ମନେହେଉଛି।
ନ୍ୟୁଜିଲାଣ୍ଡ ଦୟନୀୟ ଭାବେ ଇନିଂସ ଆରମ୍ଭ କରିଥିଲା। ସ୍କୋର୍ ୧୪ ରନ୍ ଥିବା ବେଳେ ଏହାର ଦୁଇ ଓପ୍‌ନର ହେନ୍‌ରି ନିକୋଲ୍‌ସ (୦) ଓ ମାର୍ଟିନ୍ ଗପ୍‌ଟିଲ (୮) ଆଉଟ ହୋଇ ଯାଇଥିଲେ। ପରେ ଦୁଇ ଅଭିଜ୍ଞ କେନ୍ ୱିଲିୟମ୍‌ସନ୍ ଓ ରସ୍ ଟେଲର ସ୍କୋର୍‌କୁ ୬୧ ରନ୍‌ରେ ପହଞ୍ଚାଇଥିଲେ। ଦୁହେଁ ଅଳ୍ପ ବ୍ୟବଧାନରେ ଆଉଟ୍‌ ହୋଇ ଯାଇଥିଲେ। ଅଧିନାୟକ ୱିଲିୟମ୍‌ସନ ୨୭ ଓ ଟେଲର ୨୮ ରନ୍ କରିଥିଲେ। ପରେ ଦୁଇ ଅଲ୍‌ରାଉଣ୍ଡର ଜେମ୍‌ସ ନିସାମ୍ ୧୯ ଓ କଲିନ୍ ଡି ଗ୍ରାଣ୍ଡହୋମ୍ ୩ ରନ୍‌କରି ବିଦାୟ ନେଇଥିଲେ। ୧୨୮ ରନ୍‌ରେ ନ୍ୟୁଜିଲାଣ୍ଡ ୬ଟି ୱିକେଟ ହରାଇବା ପରେ ଏହାର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ଏକମାତ୍ର ଅର୍ଦ୍ଧଶତକ ହାସଲ କରିଥିବା ଟମ୍ ଲାଥାମ୍ ୫ଟି ଚୌକା ସହ ୫୭ ରନ୍‌କରି ଆଉଟ ହୋଇଥିଲେ। ମାର୍କ ଉଡ୍ ୩ଟି ୱିକେଟ ପାଇଥିଲେ। ଜନି ବେୟାରଷ୍ଟୋ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଇଂଲଣ୍ଡ ଇନିଂସରେ ୨ଟି ପର୍ଯ୍ୟାୟ ଦେଖିବାକୁ ମିଳିଥିଲା। ପ୍ରଥମ ପର୍ଯ୍ୟାୟ ଥିଲା ୩୦ ଓଭର; ଯେଉଁଥିରେ ଇଂଲଣ୍ଡ ୧ ୱିକେଟ ହରାଇ ୧୯୪ ରନ୍ କରି ପାରିଥିଲା। ୨ୟ ପର୍ଯ୍ୟାୟ; ଅର୍ଥାତ୍ ଶେଷ ୨୦ ଓଭର​‌େ​‌ର ଇଂଲଣ୍ଡ ଆଉ ମାତ୍ର ୧୧୧ ରନ୍ ଯୋଡ଼ି ୭ଟି ୱିକେଟ ହରାଇଥିଲା। ଫଳରେ ଇଂଲଣ୍ଡ ୩୫୦ ରନ୍ କରିବ ବୋଲି ଆକଳନ କରା ଯାଇଥିବା ବେଳେ ଏହା ୩୦୫ ରନ୍‌ରେ ସୀମିତ ରହିଥିଲା। ଟସ୍‌ ଜିତି ଇଂଲଣ୍ଡ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଗତ ମ୍ୟାଚ୍‌ ପରି ଏହି ମ୍ୟାଚ୍‌ରେ ମଧ୍ୟ ଇଂଲଣ୍ଡ ଓପ୍‌ନିଂ ଯୋଡ଼ି ଭଲ ବ୍ୟାଟିଂ କରିଥିଲେ। ଜନି ବେୟାରଷ୍ଟୋ ଓ ଜେସନ୍ ରୟ ନିୟମିତ ଷ୍ଟ୍ରୋକ୍ ଖେଳି ସ୍କୋର୍ ବଢ଼ାଇ ଚାଲିଥିଲେ। ଏହି ଯୋଡ଼ି ୧୯ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୧୨୩ ରନ୍‌ର ଭାଗିଦାରୀ କରିଥିଲେ। ଜେସନ୍ ରୟ ୬୧ ବଲ୍‌ରୁ ୮ଟି ଚୌକା ସହ ୬୦ ରନ୍ କରିଥିଲେ। ଚଳିତ ବିଶ୍ବକପ୍‌ରେ ଏହା ରୟଙ୍କର ୪ର୍ଥ ଅର୍ଦ୍ଧଶତକ। ୨ୟ ୱିକେଟ ପାଇଁ ବେୟାରଷ୍ଟୋଙ୍କ ସହ ୬୧ ରନ୍ ଯୋଡ଼ିଥିଲେ ଜୋ ରୁଟ୍। ୨୫ ବଲ୍‌ରୁ ଗୋଟିଏ ଚୌକା ସହ ୨୪ ରନ୍‌କରି ରୁଟ୍‌ ବିଦାୟ ନେଇଥିଲେ। ଜନି ବେୟାରଷ୍ଟୋ ୯୯ ବଲ୍‌ରୁ ଗୋଟିଏ ଛକା ଓ ୧୫ଟି ଚୌକା ସହ ୧୦୬ ରନ୍‌କରି ବିଦାୟ ନେଇଥିଲେ। ବ୍ୟାଟିଂ କ୍ରମରେ ପଦୋନ୍ନତି ପାଇଥିବା ଜୋସ୍ ବଟ୍‌ଲର ୧୨ ବଲ୍‌ରୁ ୧୧ ରନ୍ କରି ବିଦାୟ ନେଇଥିଲେ। ବେନ ଷ୍ଟୋକ୍‌ସ ଧିମା ବ୍ୟାଟିଂକରି ୨୭ ବଲ୍‌ରୁ ୧୧ ରନ୍‌ କରିଥିଲେ। ଶେଷଆଡ଼କୁ ଇନିଂସ ସମ୍ଭାଳିଥିଲେ ଅଧିନାୟକ ଇଓନ୍ ର୍ମୋଗାନ୍। ବାମହାତି ମୋର୍ଗାନ୍ ୪୦ ବଲ୍‌ରୁ ୫ଟି ଚୌକା ସହ ୪୨ ରନ୍ କରିଥିଲେ। ଆଦିଲ ରସିଦ୍ ୧୬ ରନ୍ ଓ ଲିଆମ୍ ପ୍ଲଙ୍କେଟ୍ ୧୫ ରନ୍‌କରି ଅପରାଜିତ ଥିଲେ। ଟ୍ରେଣ୍ଟ ବୋଲ୍‌ଟ, ମ୍ୟାଟ୍‌ ହେନ୍‌ରି ଓ ଜେମ୍‌ସ ନିସାମ୍ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Comments are closed.