ବିପୁଳ ବିଜୟ ସହ ଶୀର୍ଷରେ ଇଂଲଣ୍ଡ

ମାଞ୍ଚେଷ୍ଟର: ଦିନିକିଆ କ୍ରିକେଟରେ ସର୍ବାଧିକ ୧୭ଟି ଛକା ମାରିବାର ବିଶ୍ୱରେକର୍ଡ ପ୍ରତିଷ୍ଠା କରିବା ସହ ଇଂଲଣ୍ଡ ଅଧିନାୟକ ଇଓନ୍ ମୋର୍ଗାନ୍ ବିଶ୍ୱକପ୍ ଇତିହାସରେ ୪ର୍ଥ ଦ୍ରୁତତମ ଶତକ ହାସଲ କରିଛନ୍ତି। ଜନି ବେୟାରଷ୍ଟୋ ଓ ଜୋ ରୁଟ୍ ମଧ୍ୟ ଚମତ୍କାର ଇନିଂସ ଖେଳିଛନ୍ତି। ଫଳରେ ମଙ୍ଗଳବାର ଆଫ୍‌ଗାନିସ୍ତାନ ବିପକ୍ଷ ବିଶ୍ବକପ୍ ମ୍ୟାଚ୍‌ରେ ୧୫୦ ରନ୍‌ରେ ବିପୁଳ ବିଜୟ ହାସଲ କରିଛି ଇଂଲଣ୍ଡ। ପ୍ରଥମେ ବ୍ୟାଟିଂକରି ଇଂଲଣ୍ଡ ୬ ୱିକେଟରେ ବିଶାଳ ୩୯୭ ରନ୍ କରିଥିଲା। ୩୯୮ ରନ୍‌ର ପିଛାକରି ଆଫ୍‌ଗାନିସ୍ତାନ ଜିତିବା ଅପେକ୍ଷା ପୂରା ୫୦ ଓଭର ବ୍ୟାଟିଂ କରିବାର ପ୍ରୟାସ କରିଥିଲା। ଆଫ୍‌ଗାନିସ୍ତାନ ୮ ୱିକେଟ ହରାଇ ୨୪୭ ରନ୍ କରି ପାରିଥିଲା। ୨୪୭ ରନ୍ ଆଫ୍‌ଗାନିସ୍ତାନର ସର୍ବାଧିକ ବିଶ୍ବକପ୍ ସ୍କୋର୍। ୫ମ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ଇଂଲଣ୍ଡ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିଛି। ଆଫ୍‌ଗାନିସ୍ତାନ ୫ମ ମ୍ୟାଚ୍‌ରେ ୫ମ ପରାଜୟ ଭୋଗିଛି।

୩୯୮ ରନ୍‌ର ପାହାଡ଼ ଅତିକ୍ରମ କରିବା ଲକ୍ଷ୍ୟରେ ଆଫ୍‌ଗାନିସ୍ତାନ ଆରମ୍ଭରୁ ନୁର୍ ଅଲୀ ଜାଦ୍ରାନ୍ (୦)ଙ୍କ ୱିକେଟ ହରାଇଥିଲା। ପରେ ଅଧିନାୟକ ଗୁଲ୍‌ବାଦିନ ନାଇବ୍ ଓ ରହମତ୍ ଶାହା ୨ୟ ୱିକେଟ ପାଇଁ ୪୮ ରନ୍ ଯୋଡ଼ିଥିଲେ। ଗୁଲ୍‌ବାଦିନ୍ ୨୮ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୭ ରନ୍‌କରି ଆଉଟ ହୋଇଥିଲେ। ରହ୍‌ମତ ୭୪ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୬ ରନ୍‌କରି ବିଦାୟ ନେଇଥିଲେ। ପରେ ହସ୍‌ମତୁଲ୍ଲା ସାହିଦି ଓ ପୂର୍ବତନ ଅଧିନାୟକ ଅସ୍‌ଗର ଆଫ୍‌ଗାନ ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୯୪ ରନ୍ ଯୋଡ଼ିବା ପରେ ଅସ୍‌ଗର ୪୮ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୪ ରନ୍‌କରି ଆଉଟ ହୋଇଥିଲେ। ମହମ୍ମଦ ନବି ୯ ରନ୍‌କରି ବିଦାୟ ନେଇଥିଲେ। ହସ୍‌ମତୁଲ୍ଲା ୧୦୦ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୭୬ ରନ୍ କରିଥିଲେ। ଆଦିଲ ରସିଦ୍ ଓ ଜୋଫ୍ରା ଆର୍ଚର ୩ଟି ଲେଖାଏଁ ଏବଂ ମାର୍କ ଉଡ୍‌ ୨ଟି ୱିକେଟ ନେଇଥିଲେ। ମୋର୍ଗାନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

ଟସ୍ ଜିତି ଆୟୋଜକ ଇଂଲଣ୍ଡ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଜେମ୍‌ସ ଭିନ୍‌ସ ଓ ଜନି ବେୟାର‌ଷ୍ଟୋ ୧୦ମ ଓଭର ପର୍ୟ୍ୟନ୍ତ କ୍ରିଜ୍‌ରେ ରହି ୪୪ ରନ୍‌ର ଭାଗିଦାରୀ କରିଥିଲେ। ଭିନ୍‌ସ ୩୧ ବଲ୍‌ରୁ ୩ଟି ଚୌକା ସହ ୨୬ ରନ୍‌କରି ଆଉଟ ହୋଇଥିଲେ। ପରେ ଫର୍ମରେ ଥିବା ଦୁଇ ବ୍ୟାଟ୍‌ସମ୍ୟାନ୍ ବେୟାରଷ୍ଟୋ ଓ ଜୋ ରୁଟ୍ ପରବର୍ତ୍ତୀ ୨୦ ଓଭର ବ୍ୟାଟିଂକରି ୧୨୦ ରନ୍ ଯୋଗ କରିଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ବେୟାରଷ୍ଟୋ ଏକ ଭୁଲ୍ ସଟ୍‌ ଖେଳି ଆଉଟ ହୋଇଥିଲେ। ଏହା ପୂର୍ବରୁ ବେୟାରଷ୍ଟୋ ୯୯ ବଲ୍‌ରୁ ୩ଟି ଛକା ଓ ୮ଟି ଚୌକା ସହ ୯୦ ରନ୍ କରିଥିଲେ। ଅଧିନାୟକ ଇଓନ୍ ମୋର୍ଗାନ୍ କ୍ରିଜ୍‌କୁ ଆସିବା ମାତ୍ରେ ଛକା ବର୍ଷା କରିଥିଲେ। ଫଳରେ ୩୫ ଓଭରରେ ୧୯୯ ରନ୍ କରିଥିବା ଇଂଲଣ୍ଡ ଶେଷ ୧୫ ଓଭରରେ ୧୯୮ ରନ୍ ଯୋଗ କରି ପାରିଥିଲା। ୩ୟ ୱିକେଟ ପାଇଁ ରୁଟ୍ ଓ ମୋର୍ଗାନ୍ ୧୮୯ ରନ୍ ଯୋଡ଼ିଥିଲେ। ୧୨ ରନ୍‌ ପାଇଁ ରୁଟ୍ ଚଳିତ ବିଶ୍ୱକପ୍‌ରେ ୩ୟ ଶତକରୁ ବଞ୍ଚିତ ହୋଇଥିଲେ। ରୁଟ୍ ଗୋଟିଏ ଛକା ଓ ୫ଟି ଚୌକା ସହ ୮୮ ରନ୍‌କରି ଆଉଟ ହୋଇଥିଲେ। ୪୭ତମ ଓଭରରେ ଆଉଟ ହୋଇଥିବା ମୋର୍ଗାନ୍ ୧୩ଶ ଦିନିକିଆ ଶତକ ପୂରଣ କରିଥିଲେ। ମୋର୍ଗାନ୍ ୭୧ଟି ବଲ୍‌ ଖେଳି ୧୭ଟି ଛକା ଓ ୪ଟି ଚୌକା ସହ ୧୪୮ ରନ୍ କରିଥିଲେ। ମୋଇନ୍ ଅଲୀ ୯ ବଲ୍‌ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୩୧ ରନ୍‌କରି ଅପରାଜିତ ଥିଲେ। ଇଂଲଣ୍ଡ ଇନିଂସରେ ୨୫ଟି ଛକା ଦେଖିବାକୁ ମିିଳିଥିଲା। ଦୱାଲତ ଜାଦ୍ରାନ୍ ଓ ଗୁଲ୍‌ବାଦିନ ନାଇବ୍ ୩ଟି ଲେଖାଏଁ ୱିକେଟ ପାଇଥିଲେ। ତାରକା ସ୍ପିନର ରସିଦ୍ ଖାଁ ୯ ଓଭରରୁ ୧୧୦ ରନ୍‌ ଦେଇ ୱିକେଟ ପାଇନଥିଲେ।

Comments are closed.