ଇଂଲଣ୍ଡ ଓ ଆମେରିକା ପ୍ରିକ୍ବାର୍ଟରରେ; ୱେଲ୍ସ ନିରାଶ

ଅଲ୍ ରାୟାନ୍/ଦୋହା : ଚଳିତ ଫିଫା ଫୁଟ୍ବଲ ବିଶ୍ବକପ୍ରେ ଗ୍ରୁପ୍ ‘ବି’ରୁ ପ୍ରିକ୍ବାର୍ଟରଫାଇନାଲ ବା ଶେଷ-୧୬ରେ ପ୍ରବେଶ କରିଛନ୍ତି ଇଂଲଣ୍ଡ ଓ ଆମେରିକା। ମଙ୍ଗଳବାର ଏକ ସମୟରେ ଖେଳା ଯାଇଥିବା ଗ୍ରୁପ୍ ‘ବି’ର ଶେଷ ୨ଟି ଲିଗ୍ ମ୍ୟାଚ୍ରେ ଇଂଲଣ୍ଡ ଓ ଆମେରିକା ବିଜୟୀ ହୋଇଛନ୍ତି। ଦ୍ବିତୀୟାର୍ଦ୍ଧରେ ୩ଟି ଗୋଲ୍ ବଳରେ ପଡ଼ୋଶୀ ୱେଲ୍ସକୁ ୩-୦ ଗୋଲ୍ରେ ଇଂଲଣ୍ଡ ପରାସ୍ତକରି ଗ୍ରୁପ୍ ‘ବି’ ଶୀର୍ଷରେ ରହିଛି। ମ୍ୟାଚ୍ରେ ମାର୍କ ରାସ୍ଫୋର୍ଡ ୨ଟି ଗୋଲ୍ ଦେଇ ଇଂଲଣ୍ଡ ବିଜୟରେ ହିରୋ ସାଜିଛନ୍ତି। ଇରାନ୍କୁ ହରାଇ ଆମେରିକା ଏହି ଗ୍ରୁପ୍ର ୨ୟ ସ୍ଥାନ ହାସଲ କରିଛି। ପ୍ରିକ୍ବାର୍ଟରରେ ନେଦରଲାଣ୍ଡ୍ସ-ଆମେରିକା ଏବଂ ଇଂଲଣ୍ଡ-ସେନିଗାଲ୍ ମୁକାବିଲା ହେବ। ଇଂଲଣ୍ଡ ପ୍ରଥମ ମ୍ୟାଚ୍ରେ ଇରାନ୍କୁ ୬-୨ ଗୋଲ୍ରେ ପରାସ୍ତକରି ଅଭିଯାନ ଆରମ୍ଭ କରିଥିବା ବେେଳ ୨ୟ ମ୍ୟାଚ୍ରେ ଆମେରିକା ଲଢ଼ୁଆ ପ୍ରଦର୍ଶନ କରି ଇଂଲଣ୍ଡ ସହ ଗୋଲ୍ଶୂନ୍ୟ ଡ୍ର ରଖିଥିଲା। ୱେଲ୍ସ ବିପକ୍ଷରେ ଗତ ୬ଟି ମୁକାବିଲାରେ ଇଂଲଣ୍ଡ ପରାସ୍ତ ହୋଇନଥିଲା। ଇଂଲଣ୍ଡ ତା’ର ବିଜୟଧାରା ବଜାୟ ରଖିପାରିଛି।
ଉଭୟ ଇଂଲଣ୍ଡ ଓ ୱେଲ୍ସ ଧିମା ଗତିରେ ଖେଳିବା ଆରମ୍ଭ କରିଥିଲେ। ୧୧ ମିନିଟରେ ଇଂଲଣ୍ଡ ଗୋଲ୍ଦେବା ସୁଯୋଗ ପାଇଥିଲା। ଅଧିନାୟକ ହ୍ୟାରି କେନ୍ ସାଥୀ ଖେଳାଳି ମାର୍କସ ରାସ୍ଫୋର୍ଡଙ୍କୁ ଥ୍ରୁ ପାସ୍ ଦେଇଥିଲେ। ଏଥିରୁ ରାସ୍ଫୋର୍ଡ ମାରିଥିବା ସଟ୍କୁ ୱେଲ୍ସ ଗୋଲ୍ରକ୍ଷକ ଡାନି ୱାର୍ଡ ରୋକି ଦେଇଥିଲେ। ୱେଲ୍ସ ଅଧିନାୟକ ଗାରେଥ୍ ବେଲ୍ଙ୍କୁ ଇଂଲଣ୍ଡ ଡିଫେଣ୍ଡର ଜଗି ରହିଥିଲେ। ଜୁଡେ ବେଲିଙ୍ଘାମ୍ଙ୍କ ପାସ୍ରୁ ଫିଲ୍ ଫୋଡେନ୍ ବଲ୍କୁ ଗୋଲ୍ପୋଷ୍ଟ ଉପରେ ମାରିଥିଲେ। ପ୍ରଥମାର୍ଦ୍ଧ ଶେଷଆଡ଼କୁ ୱେଲ୍ସ ଏକ ସୁଯୋଗ ପାଇଥିଲେ ହେଁ ଜୋ ଆଲେନ୍ ଏହାକୁ ବାହାରକୁ ମାରିଥିଲେ। ପ୍ରଥମାର୍ଦ୍ଧ ଗୋଲ୍ଶୂନ୍ୟ ରହିଥିଲା। ୫୦ ମିନିଟ୍ରେ ଇଂଲଣ୍ଡ ଗୋଲ୍ଦେଇ ଆଗୁଆ ହୋଇ ଯାଇଥିଲା। ଇଂଲଣ୍ଡକୁ ମିଳିଥିବା ଫ୍ରିକିକ୍ରୁ ମାର୍କସ ରାସ୍ଫୋର୍ଡ ୨୫ ଗଜ ଦୂରରୁ ଏକ ଯାଦୁକରୀ ସଟ୍ମାରି ଗୋଲ୍ ଦେଇଥିଲେ। ଚଳିତ ବିଶ୍ବକପ୍ରେ ଶ୍ରେଷ୍ଠ ଗୋଲ୍ ମଧ୍ୟରେ ଏହା ଗଣିତ ହେବ। ୨ ମିନିଟ ପରେ ଇଂଲଣ୍ଡ ୨ୟ ଗୋଲ୍ ଦେଇଥିଲା। ହ୍ୟାରି କେନ୍ ଗୋଲ୍ପୋଷ୍ଟ ସମ୍ମୁଖରେ ଏକ ଥ୍ରୁ ପାସ୍ ଫିଲ୍ ଫୋଡେନ୍ଙ୍କୁ ଦେଇଥିଲେ। ଯେଉଁଥିରୁ ଗୋଲ୍ଦେବାର ଫୋଡେନ୍ ତ୍ରୁଟି କରିନଥିଲେ। ପରେପରେ ୱେଲ୍ସର କିଫର ମୁର୍ ଗୋଲ୍ଦେବାର ସୁଯୋଗ ପାଇଥିଲେ ହେଁ ଇଂଲଣ୍ଡର ଗୋଲ୍ରକ୍ଷକ ଜୋର୍ଡାନ୍ ପିକ୍ଫୋର୍ଡ ଏହାକୁ ପଣ୍ଡ କରି ଦେଇଥିଲେ। ୬୮ ମିନିଟରେ ମାର୍କସ ରାସ୍ଫୋର୍ଡ ଇଂଲଣ୍ଡ ପାଇଁ ୩ୟ ଏବଂ ବ୍ୟକ୍ତିଗତ ୨ୟ ଗୋଲ୍ ଦେଇଥିଲେ। ବଦଳ ଖେଳାଳି କାଲ୍ଭିନ୍ ଫିଲିପ୍ସଙ୍କଠାରୁ ପାସ୍ ପାଇ ରାସ୍ଫୋର୍ଡ ଏହି ଗୋଲ୍ ଦେଇଥିଲେ। ଏହା ଇଂଲଣ୍ଡ ପାଇଁ ୧୦୦ତମ ବିଶ୍ବକପ୍ ଗୋଲ୍ ଥିଲା। ୭୨ ମିନିଟରେ ରାସ୍ଫୋର୍ଡ ଆଉ ଏକ ସୁଯୋଗ ପାଇଥିଲେ ହେଁ ତାଙ୍କ ସଟ୍କୁ ୱେଲ୍ସ ଗୋଲ୍ରକ୍ଷକ ୱାର୍ଡ ରୋକି ଦେଇଥିଲେ। ୬୬ ମିନିଟରେ ଇରାନ୍ର ମେହ୍ଦି ତାରେମି ସଟ୍ ମାରିଥିଲେ ହେଁ ଏହା ଗୋଲ୍ପୋଷ୍ଟ ବାହାରେ ଚାଲି ଯାଇଥିଲା। ୩-୦ ଗୋଲ୍ରେ ଆଗୁଆ ରହିବା ପରେ ଇଂଲଣ୍ଡ କିଛି ଆକ୍ରମଣାତ୍ମକ ଖେଳାଳିଙ୍କୁ କାଢ଼ିନେଇ ସେମାନଙ୍କ ସ୍ଥାନରେ ରକ୍ଷଣାତ୍ମକ ଖେଳାଳିଙ୍କୁ ପଡ଼ିଆକୁ ଓହ୍ଲାଇଥିଲା। ଇଂଲଣ୍ଡର ହ୍ୟାରି ମାଗ୍ବାଏର୍ ଜାଣିଶୁଣି ୱେଲ୍ସର ଖେଳାଳିଙ୍କ ସାର୍ଟକୁ ଭିଡ଼ି ଧରିବାରୁ ୱେଲ୍ସକୁ ଫ୍ରିକିକ୍ ମିଳିଥିଲା। ବଦଳ ଖେଳାଳି ହ୍ୟାରି ୱିଲ୍ସନଙ୍କ ସଟ୍ ସିଧା ଇଂଲଣ୍ଡ ରକ୍ଷାପନ୍ଥୀଙ୍କ ୱାଲ୍ରେ ବାଜିଥିଲା।
ଇରାନ୍ର ସ୍ବପ୍ନ ତୁଟିଲା
ଫୁଟ୍ବଲ ବିଶ୍ବକପ୍ରେ ମଙ୍ଗଳବାର ଖେଳା ଯାଇଥିବା ଗ୍ରୁପ୍ ‘ବି’ର ଅନ୍ତିମ ଲିଗ୍ ମ୍ୟାଚ୍ରେ ଏସୀୟ ଦେଶ ଇରାନ୍କୁ ୧-୦ ଗୋଲ୍ରେ ଆମେରିକା ପରାସ୍ତ କରିଛି। ପ୍ରଥମାର୍ଦ୍ଧରେ ଆମେରିକା ପାଇଁ କ୍ରିଷ୍ଟିଆନ୍ ପ୍ୟୁଲିସିଚ୍ଙ୍କ ଗୋଲ୍ ଦେଇଥିଲେ। ଏହି ବିଜୟ ସହ ମୋଟ ୫ ପଏଣ୍ଟ ପାଇ ଆମେରିକା ଗ୍ରୁପ୍ର ୨ୟ ସ୍ଥାନରେ ରହି ଶେଷ-୧୬ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରାଜୟ ସହ ଇରାନ୍ ବିଦାୟ ନେଇଛି ଏବଂ ଏହାର ପ୍ରିକ୍ବାର୍ଟରଫାଇନାଲକୁ ଉନ୍ନୀତ ହେବା ସ୍ବପ୍ନ ତୁଟିଯାଇଛି। ପୂର୍ବରୁ କୌଣସି ବିଶ୍ବକପ୍ରେ ଇରାନ୍ ଗ୍ରୁପ୍ ପର୍ଯ୍ୟାୟରୁ ଆଗକୁ ଯାଇନଥିଲା।
ପ୍ରିକ୍ବାର୍ଟରଫାଇନାଲରେ ସ୍ଥାନପାଇବା ଲାଗି ନିଶ୍ଚିତ ବିଜୟ ଲକ୍ଷ୍ୟରେ ଆମେରିକା ମ୍ୟାଚ୍ରେ ଓହ୍ଲାଇଥିଲା। ଅନ୍ୟପକ୍ଷରେ ପ୍ରଥମ ଏସୀୟ ଦେଶ ଭାବେ ଚଳିତ ବିଶ୍ବକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବା ଲକ୍ଷ୍ୟରେ ଇରାନ୍ ଖେଳିଥିଲା। ଆରମ୍ଭରୁ ଆମେରିକା ଆକ୍ରମଣାତ୍ମକ ଫୁଟ୍ବଲ ଖେଳିଥିଲା। ୨୭ ମିନିଟରେ ଆମେରିକାର ଟିମ୍ ୱିୟାଙ୍କୁ ବଲ୍ ମିଳିଥିଲା। ହେଲେ ୱିୟାଙ୍କ ଦୁର୍ବଳ ହେଡରକୁ ଇରାନ୍ ଗୋଲ୍ରକ୍ଷକ ଧରି ନେଇଥିଲେ। ୩୮ ମିନିଟ୍ରେ ଗୋଲ୍ଦେଇ ଆମେରିକା ଆଗୁଆ ହୋଇ ଯାଇଥିଲା। ୱେଷ୍ଟନ୍ ମ୍ୟାକ୍କେନିଙ୍କ ପାସ୍ ସର୍ଜିନୋ ଡେଷ୍ଟ୍ଙ୍କ ପାଖରେ ପହଞ୍ଚିଥିଲା। ଡେଷ୍ଟ ହେଡ୍କରି ବଲ୍ କ୍ରିଷ୍ଟିଆନ୍ ପ୍ୟୁଲିସିଚ୍ଙ୍କୁ ଦେଇଥିଲେ; ଯେଉଁଥିରୁ ସେ ଗୋଲ୍ ଦେଇଥିଲେ। ପ୍ରଥମାର୍ଦ୍ଧ ଶେଷଆଡ଼କୁ ଟିମ୍ ୱିଆ ବଲ୍କୁ ଗୋଲ୍ପୋଷ୍ଟ ମଧ୍ୟକୁ ମାରିଥିଲେ ହେଁ ଏହା ଅଫ୍ସାଇଡ୍ ଘୋଷିତ ହୋଇଥିଲା। ଶେଷ ୨୦ ମିନିଟ୍ରେ ଇରାନ୍ ଆକ୍ରମଣ କରିଥିଲେେ ହେଁ ଆମେରିକାର ରକ୍ଷାପନ୍ଥୀ ଦୃଢ଼ ରହିଥିଲା। ଇରାନ୍ ଏହି ମ୍ୟାଚ୍କୁ ଡ୍ର ରଖିଥିଲେ ପ୍ରିକ୍ବାର୍ଟର ଖେଳିଥାଆନ୍ତା। ଶେଷ ମିନିଟରେ ଆମେରିକାର ଡିଫେଣ୍ଡର ଗୋଲ୍ଲାଇନ୍କୁ ବଲ୍କୁ କାଢ଼ି ଦେଇଥିଲେ। ଏହା ଗୋଲ୍ ହୋଇଥିଲେ ଇରାନ୍ ପ୍ରଥମଥର ନକ୍ଆଉଟ୍କୁ ଯାଇଥାଆନ୍ତା।
Comments are closed.