୩ୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୫୩/୩

ଚେନ୍ନାଇ: ଚେନ୍ନାଇରେ ଚାଲିଥିବା ୨ୟ ଟେଷ୍ଟର ଦ୍ବିତୀୟ ଇନିଂସରେ ମଧ୍ୟ ଭ୍ରମଣକାରୀ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟିମ୍ ଇଣ୍ଡିଆ ପକ୍ଷରୁ ଧାର୍ଯ୍ୟ ୪୮୨ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଟିମ୍ ୩ୟ ଦିନ ଖେଳ ଶେଷ ସୁଦ୍ଧା ୩ ଉଇକେଟ୍ ବିନିମୟରେ ୫୩ ରନ୍ ସଂଗ୍ରହ କରିଛି। ଆଉ ଦୁଇ ଦିନ ଖେଳ ବାକି ଥିବାବେଳେ ମ୍ୟାଚ୍ ଜିତିବା ଲାଗି ଇଂଲଣ୍ଡ ଖେଳାଳିମାନଙ୍କୁ ୪୮୨ ରନ୍ କରିବାକୁ ପଡ଼ିବ ଅଥବା ଡ୍ର ରଖିବା ଲାଗି ପୂରା ଦୁଇଦିନ କ୍ରିଜରେ ତିଷ୍ଠି ରହିବାକୁ ହେବ।
ଅନ୍ୟପଟେ ଟିମ୍ ଇଣ୍ଡିଆ ବିଜୟ ଲାଭ ପାଇଁ ୭ ଉଇକେଟ୍ ଦୂରରେ ରହିଛି। ୫୩ ରନ୍ ଭିତରେ ୩ଟି ଉଇକେଟ୍ ପଡ଼ିଯାଇଥିବାରୁ ଭାରତ ସୁବିଧାଜନକ ସ୍ଥିତିରେ ରହିଛି। ୪ର୍ଥ ଦିନରେ ବ୍ୟାଟିଂ କରିବା କଷ୍ଟକର ହୋଇଥାଏ, ଏଣୁ ଭାରତୀୟ ଦଳ ଅଧିକ ସମୟ ନଷ୍ଟ ନ କରି ମ୍ୟାଚକୁ ନିଜ ହାତକୁ ନେଇ ୧-୧ରେ ବରାବର ସ୍ଥିତିରେ ଆସିବାକୁ ଚେଷ୍ଟା କରିବ। ୨ୟ ଇନିଂସରେ ଅକ୍ଷର ପଟେଲ ୨ଟି ଏବଂ ରବିଚନ୍ଦ୍ରନ ଅଶ୍ଵିନ ୧ଟି ଉଇକେଟ୍ ନେଇଥିବାବେଳେ ୩ୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଡାନିଏଲ ଲରେନ୍ସ ୧୯ ଏବଂ ଜୋ ରୁଟ୍ ୨ ରନ୍ରେ ଅପରାଜିତ ରହିଛନ୍ତି।
ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂରେ ୩୨୯ ରନ୍ କରିଥିଲା। ରୋହିତ ଶର୍ମାଙ୍କ ଶତକ(୧୬୧) ବଳରେ ଦଳ ୩୦୦ ରନ୍ ଅତିକ୍ରମ କରିପାରିଥିଲା। ଜବାବରେ ଇଲଂଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହିତ ମାତ୍ର ୧୩୪ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଭାରତ ଏହାର ୨ୟ ଇନିଂସରେ ବ୍ୟାଟିଂ ବିଫଳତାର ଶିକାର ହୋଇଥିଲେ ହେଁ ଅଶ୍ଵିନଙ୍କ ଧୈର୍ଯ୍ୟପୂର୍ଣ୍ଣ ୧୦୬ ରନ୍ ଏବଂ ଅଧିନାୟକ ବିରାଟ କୋହଲିଙ୍କ ୬୨ ରନ୍ ବଳରେ ୨୮୬ ରନ୍ କରିବାରେ ସଫଳ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ମୋଇନ ଅଲୀ ଏବଂ ଜ୍ୟାକ୍ ଲିଚ୍ ୪ଟି ଲେଖାଏ ଉଇକେଟ୍ ଅକ୍ତିଆର କରିଥିଲେ।