ଯନ୍ତ୍ରୀମାନେ ଦେଶ ପ୍ରଗତିର ମେରୁଦଣ୍ଡ – ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ

କଟକ: ଦି ଓଡ଼ିଶା ଇଞ୍ଜିନିୟର୍ସ ଫୋରମ ପକ୍ଷରୁ ସାରଳା ଭବନଠାରେ ୫୫ତମ ଯନ୍ତ୍ରୀ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଉଦ୍‌ଘାଟନ କରିଥିଲେ। ଫୋରମ୍‌ର ଅଧ୍ୟକ୍ଷ ଇଂ ପ୍ରଭାକର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ଶେନବାଗମ୍‌ ମାନ୍ଥିରାମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ‘ବିଶ୍ବେଶ୍ବରାୟା ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହାଛଡ଼ା ବିଭିନ୍ନ ବିଭାଗରେ କୃତିତ୍ବ ପାଇଁ ଇଂ ମାନ୍ଥିରାମ, ଇଂ ଅରୁଣ କୁମାର ରଥ ଏବଂ ଇଂ ସନ୍ତୋଷ କୁମାର ବେହେରାଙ୍କୁ ‘ଗୁଣବତ୍ତା ଯାନ୍ତ୍ରିକ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଫୋରମର ବୈଷୟିକ ପତ୍ରିକା ‘ଭର୍ଟେକ୍ସ’କୁ ମୁଖ୍ୟ ଅତିଥି ଶ୍ରୀ ହରିଚନ୍ଦନ ଉନ୍ମୋଚନ କରିଥିଲେ।

ମୁଖ୍ୟଅତିଥି ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଲେ ଭାରତରତ୍ନ ସାର ବିଶ୍ବେଶ୍ବରାୟା ଜଣେ କର୍ମଯୋଗୀ ଥିଲେ। ନବଭାରତ ଗଠନରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଯନ୍ତ୍ରୀମାନେ ଦେଶର ପ୍ରଗତିର ମେରୁଦଣ୍ଡ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଇଂ ଶେନବାଗମ ଓଡ଼ିଶାରେ ବିଦ୍ୟୁତ୍‌ ଶକ୍ତିର ଉତ୍ପାଦନ, ଚାହିଦା ଓ ବଣ୍ଟନ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସଂସ୍ଥାଗୁଡ଼ିକରେ କାର୍ଯ୍ୟକରିବା ସମୟରେ ଯନ୍ତ୍ରୀମାନେ ଅଧ୍ୟୟନ କରିଥିବା ଶିକ୍ଷାଠାରୁ ସେମାନଙ୍କର ସୃଜନଶୀଳତା ଓ ବୁଦ୍ଧିମତାର ଅଧିକ ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ସଭାପତି ଇଂ ସ୍ବାଇଁ ବିଶ୍ବେଶ୍ବରାୟାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ମମୟ ଜୀବନରେ ସାଧୁତା, କର୍ତ୍ତବ୍ୟ ପରାୟଣ ଓ ସମୟାନୂବର୍ତ୍ତୀ ହେବା ପାଇଁ ସେ ଆହ୍ବାନ ଦେଇଥିଲେ। ପ୍ରାରମ୍ଭରେ ‘ଭର୍ଟେକ୍ସ’ର ମୁଖ୍ୟ ସମ୍ପାଦକ ପ୍ରଫେସର ପ୍ରଭାତ କୁମାର ପାଢ଼ୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ଫୋରମର ସମ୍ପାଦକ ଇଂ. ଶିଶିର କୁମାର ସାହୁ ବିବରଣୀ ପାଠ କରିଥିଲେ। ଫୋରମର କାର୍ଯ୍ୟକାରୀ ସଭାପତି ଇଂ ବିମଳ ଚନ୍ଦ୍ର ଦାଶ ବିଶ୍ବେଶ୍ବରାୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ। ଇଂ ସୁଚିତ୍ରା ସାହୁ, ଇଂ ସୁଶାନ୍ତ କୁମାର ସେଠୀ ମାନପତ୍ର ପାଠ କରିଥିଲେ। ଫୋରମର ଉପସଭାପତି ଇଂ ସୁଶୀଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.