ଜୁଲାଇ ୧ରୁ ଖୋଲିବ ଇଞ୍ଜିନିୟରିଂ କଲେଜ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧ ତାରିଖରୁ ସମସ୍ତ ବୈଷୟିକ ମହାବିଦ୍ୟାଳୟ ବା ଇଞ୍ଜନିୟରିଂ କଲେଜ ଖୋଲିବ। ଦେଶର ସମସ୍ତ ଇଞ୍ଜିନିୟରିଂ କଲେଜ ଓ ପେସାଗତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଶନିବାର ଅଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ବିଜ୍ଞପ୍ତି ପ୍ରକାଶ କରିଛି। ଛାତ୍ରାଛାତ୍ରୀଙ୍କ ପରୀକ୍ଷା ଓ ଶିକ୍ଷାବର୍ଷକୁ ନେଇ ଏଆଇସିଟିଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି। ଏନେଇ ଦେଶର ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ସବୁ ରାଜ୍ୟର ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛି ଏଆଇସିଟିଇ। ଚଳିତ ବର୍ଷ ବାକି ଥିବା ଶେଷ ବର୍ଷ ଶେଷ ସେମିଷ୍ଟର୍ ପରୀକ୍ଷା କରାଇବାକୁ ନେଇ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଟର୍ମିନାଲ୍ ଓ ଇଣ୍ଟର ମିଡିଏଟ୍ ପରୀକ୍ଷାକୁ ଜୁଲାଇ ୧ରୁ ୩୧ ମଧ୍ୟରେ କରାଯିବ। ଅନ୍ୟ ବର୍ଷର ପରୀକ୍ଷା ବାକି ଥିଲେ ସେହି ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ୍ ନମ୍ବରକୁ ଧ୍ୟାନରେ ରଖି ଉନ୍ନୀତ କରାଯିବ ବୋଲି ଏଆଇସିଟିଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିସହିତ ଏଭଳି ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ବିଦ୍ୟାର୍ଥୀଙ୍କ ପାଇଁ ଅଗଷ୍ଟ ୧ ତାରିଖରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ମୁକ୍ତ ଏବଂ ପତ୍ରମାଧ୍ୟମ ଶିକ୍ଷାର୍ଥୀମାନେ ଅଗଷ୍ଟ ୧୫ ଠାରୁ ନାମ ଲେଖାଇପାରିବେ। ଜୁଲାଇ ପର୍ଯ୍ୟନ୍ତ ପରିସ୍ଥିତି ସ୍ବାଭାବିକ ନ ହେଲେ ନୂଆ ସେମିଷ୍ଟର୍ ନିମନ୍ତେ ଅନ୍ଲାଇନ୍ ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ଏଆଇସିଟିଇ କହିଛି। ଚଳିତ ବର୍ଷ ଅର୍ଥାତ୍ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଫି ବୃଦ୍ଧି ନ କରିବାକୁ ମଧ୍ୟ ଏଆଇସିଟିଇ କହିଛି।