କଥା ରଖିଲେ ଜିଲ୍ଲାପାଳ, ଇଂଜିନିୟର ଅନନ୍ତ ଡାଟା ଏଣ୍ଟ୍ରି ଅପରେଟର୍‍ ନିଯୁକ୍ତ

ବଲାଙ୍ଗିର: ରାଜ୍ୟରେ ଚାକିରି ମିଳିଲାନି। ରାଜ୍ୟ ବାହାରକୁ ଯାଇ ଏକ ଠିକା ସଂସ୍ଥାରେ ଇଂଜିନିୟର୍‍ ଭାବେ କାମ କରୁଥିଲେ। କରୋନା ମହାମାରୀ ପାଇଁ ଠିକା ସଂସ୍ଥା କାମ ବନ୍ଦ କରିଦେଲା। ବିନା ଦରମାରେ କେତେ ଦିନ ପଡି ରହିବେ। ତେଣୁ ଘରକୁ ଫେରି ଆସିଲେ। ହାତରେ କାମ ଧନ୍ଦା କିଛି ନଥିଲା। ମେହେନତ କଲେ ଚଳେ ପରିବାର। ତେଣୁ ବାଧ୍ୟ ହୋଇ ଇଂଜିନିୟର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବାପା ସହ ମିଶି ହାତରେ କୋଦାଳ ଧରିଲେ। ମାଟି ଖୋଳିଲେ ଓ ବୋହିଲେ ମୁଣ୍ଡରେ। ୟେ ହେଉଛି ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତର ଜୁର୍ଲାକାନି ଗାଁର ଅନନ୍ତ ବେରିଆଙ୍କ କଥା। ଅଢେଇ ମାସ ଧରି ସେ ମନରେଗା ଯୋଜନାରେ ମାଟି କାମ କରୁଥିବା ବେଳେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ଯାଇଥିଲେ କାମ କେମିତି ହେଉଛି ତାହା ଦେଖିବା ପାଇଁ। ସେଠାରେ ଉପସ୍ଥିତ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଜିଲାପାଳ ଶ୍ରୀ ରାଣାଙ୍କୁ ଅନନ୍ତଙ୍କ ସାକ୍ଷାତ କରାଇଥିଲେ। ଆଲୋଚନା ବେଳେ ଜିଲାପାଳ ଜାଣିବାକୁ ପାଇଥିଲେ ଯେ, ମାଟି କାମ କରୁଥିବା ଅନନ୍ତ ଜଣେ ସିଭିଲ୍‍ ଇଂଜିନିୟର୍‍। ସେଠାରେ କିଛି କହି ନଥିଲେ ବି ଜିଲାପାଳ ଅଫିସ୍‍ ଆସି ଦେଖା କରିବାକୁ ଅନନ୍ତଙ୍କୁ କହିଥିଲେ। ସେହି ଅନୁସାରେ ଜିଲାପାଳ କାର୍ଯ୍ୟାଳୟରେ ଅନନ୍ତ ଜିଲାପାଳ ଶ୍ରୀ ରାଣାଙ୍କୁ ସାକ୍ଷାତ କରିଥିଲେ। ବର୍ତ୍ତମାନ ଜିଲାରେ ତାଙ୍କ ଯୋଗ୍ୟତା ଅନୁସାରେ କୌଣସି ଚାକିରୀ ନଥିଲେ ବି ବିକଳ୍ପ କିଛି ବ୍ୟବସ୍ଥା କରି ରୋଜଗାର ଯୋଗାଇ ଦିଆଯିବ ବୋଲି କଥା ଦେଇଥିଲେ ଜିଲାପାଳ ଶ୍ରୀ ରାଣା। ଆଉ ଏବେ ନିଜ କଥା ରଖିଛନ୍ତି ଜିଲାପାଳ। ନଭେମ୍ବର ମାସରେ ବଲାଙ୍ଗିର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍‍ଡିଏ)ରେ ଡାଟା ଏଣ୍ଟ୍ରି ଅପରେଟର୍‍ ଭାବେ ତାଙ୍କୁ ନିଯୁକ୍ତି ମିଳିଥିବା ଜଣାପଡିଛି। ଅନନ୍ତ ଡିଆର୍‍ଡିଏରେ କାମ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଦେଓଗାଁ ବ୍ଲକ ଜୁର୍ଲାକାନି ଗାଁର ଦିନ ମଜୁରିଆ ବୈଷ୍ଣବ ବେରିଆଙ୍କ ବଡ ପୁଅ ହେଉଛନ୍ତି ଅନନ୍ତ। ସିଇଭି କଲେଜ, ଭୁବନେଶ୍ୱରରୁ ସିଭିଲ ଇଂଜିନିୟରିଂ କରିଥିବା ଅନନ୍ତ ଚେନ୍ନାଇରେ ଅଭିଜିତ ଏଜେନ୍ସି ପ୍ରାଇଭେଟ ଲିମିଟେଡ୍‍ରେ ସାଇଟ୍‍ ଇଂଜିନିୟର୍‍ ଭାବେ ଚାକିରୀ କରୁଥିଲେ। ତେବେ ଇଂଜିନିୟରିଂ ପାଠ ପଢି ଗାଁରେ ମାଟି କାମ କରିବା ଅପେକ୍ଷା ସରକାରୀ ଅଫିସରେ କାମ କରିବାକୁ ଭଲ ଲାଗୁଛି ବୋଲି କହିଛନ୍ତି ଅନନ୍ତ।

Comments are closed.