ବାଂଲାଦେଶ ପୁଣି ପରାସ୍ତ ; ଇଂଲଣ୍ଡର କ୍ରମାଗତ ୨ୟ ବିଜୟ

ଆବୁଧାବି : ‌ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ତା’ର ଚମତ୍କାର ଫର୍ମ ବଜାୟ ରଖି ଇଂଲଣ୍ଡ ସୁପର-୧୨ ପର୍ଯ୍ୟାୟରେ କ୍ରମାଗତ ୨ୟ ମ୍ୟାଚ୍‌ ଜିତିପାରିଛି। ବୁଧବାର ବୋଲରଙ୍କ ସଫଳ ପ୍ରଦର୍ଶନ ପରେ ଜେସନ୍‌ ରୟଙ୍କ ଅର୍ଦ୍ଧଶତକ ବଳରେ ପୂର୍ବ ଚମ୍ପିଆନ୍ ଇଂଲଣ୍ଡ ୮ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ଗ୍ରୁପ୍-୧ ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂକରି ୯ ୱିକେଟରେ ୧୨୪ ରନ୍‌ କରିଥିଲା। ପରେ ରୟଙ୍କ ଅର୍ଦ୍ଧଶତକ ବଳରେ ୧୪.୧ ଓଭରରେ ୨ ୱିକେଟ ହରାଇ ଇଂଲଣ୍ଡ ଜିତିଥିଲା। ୱେଷ୍ଟଇଣ୍ଡିଜ୍‌କୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ କରିଥିବା ଇଂଲଣ୍ଡ କ୍ରମାଗତ ୨ୟ ବିଜୟ ସହ ୪ ପଏଣ୍ଟ ପାଇ ଟେବୁଲ ଶୀର୍ଷକୁ ଉଠିଛି । ଶ୍ରୀଲଙ୍କାଠାରୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ବାଂଲାଦେଶ କ୍ରମାଗତ ୨ୟ ପରାଜୟ ଭୋଗିଛି।
ଇଂଲଣ୍ଡ ସହଜରେ ୧୨୫ ରନ୍ ବିଜୟଲକ୍ଷ୍ୟର ପିଛା କରିଥିଲା। ଓପ୍‌ନିଂ ଯୋଡ଼ି ୫ମ ଓଭରରେ ୩୯ ରନ୍‌ କରିବା ପରେ ଇଂଲଣ୍ଡ ପ୍ରଥମ ୱିକେଟ ହରାଇଥିଲା। ଓପ୍‌ନର ଜୋସ୍ ବଟ୍‌ଲର ୧୮ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୮ ରନ୍‌କରି ବିଦାୟ ନେଇଥିଲେ। ୨ୟ ୱିକେଟ ପାଇଁ ଜେସନ୍ ରୟ ଓ ଡାୱିଡ୍‌ ମଲାନ୍ ୮ ଓଭରରେ ୭୩ ରନ୍‌ ଯୋଗକରି ଇଂଲଣ୍ଡର ବିଜୟ ନିଶ୍ଚିତ କରିଥିଲେ। ୩୩ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିବା ଜେସନ୍ ରୟ ୩୮ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୬୧ ରନ୍‌କରି ଆଉଟ ହୋଇଥିଲେ। ବାମହାତି ଡାୱିଡ୍ ମଲାନ୍ ୨୫ ବଲ୍‌ରୁ ୩ଟି ଚୌକା ସହ ୨୮ ଏବଂ ଜନି ବେୟାରଷ୍ଟୋ ୪ ବଲ୍‌ରୁ ୮ ରନ୍‌କରି ଅପରାଜିତ ରହିଥିଲେ। ଜେସନ୍ ରୟ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ବାଂଲାଦେଶ ବ୍ୟାଟିଂ କରିଥିଲା। ଆରମ୍ଭରୁ ଏହାର ୩ ପ୍ରମୁଖ ବ୍ୟାଟ୍‌ସମ୍ୟାନ୍ ବେପରୁଆ ସଟ୍‌ ଖେଳିବାରୁ ୨୬ ରନ୍‌ରେ ବାଂଲାଦେଶ ୩ଟି ୱିକେଟ ହରାଇଥିଲା। ଲିଟନ୍ ଦାସ ୯, ମହମ୍ମଦ ନଇମ୍ ୫ ଓ ସାକିବ୍ ଅଲ୍‌ ହାସନ୍ ୪ ରନ୍‌କରି ଆଉଟ ହୋଇଥିଲେ। ୩ୟ ୱିକେଟ ପାଇଁ ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ମୁସ୍‌ଫିକୁର ରହିମ୍ ଓ ଅଧିନାୟକ ମହମ୍ମଦୁଲ୍ଲା ୫୭ ରନ୍‌ ଯୋଡ଼ିଥିଲେ। ତେବେ ଏଦୁହେଁ ମଧ୍ୟ ବେପରୁଆ ସଟ୍‌ ଖେଳି ଆଉଟ ହୋଇଥିଲେ। ମୁସ୍‌ଫିକୁର ୩୦ ବଲ୍‌ରୁ ୩ଟି ଚୌକା ସହ ୨୯ ରନ୍‌କରି ଆଉଟ୍‌ ହୋଇଥିଲେ। ମହମ୍ମଦୁଲ୍ଲା ୨୪ ବଲ୍‌ରୁ ୧୯ ରନ୍‌ କରିଥିଲେ। ଆଫିଫ୍ ହୋସେନ୍ ୫ ଓ ମେହ୍‌ଦି ହାସନ୍ ମିରାଜ୍ ୧୧ ରନ୍‌ କରିଥିଲେ। ନୁରୁଲ ହାସନ୍ ଓ ନାସୁମ୍ ଅହମ୍ମଦଙ୍କ ପ୍ରୟାସ ଯୋଗୁଁ ବାଂଲାଦେଶ ୧୨୪ ରନ୍‌ରେ ପହଞ୍ଚି ପାରିଥିଲା। ନୁରୁଲ ୧୮ ବଲ୍‌ରୁ ୧୬ ରନ୍‌ କରିଥିବା ବେଳେ ନାସୁମ୍ ୯ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୯ ରନ୍‌କରି ଅପରାଜିତ ଥିଲେ। ଟାଇମାଲ ମିଲ୍‌ସ ୩ଟି ଏବଂ ମୋଇନ୍ ଅଲୀ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.