୪ର୍ଥ ଟେଷ୍ଟ: ଇଂଲଣ୍ଡ ୨୩୩ ରନରେ ଆଗୁଆ

0

ସାଉଦାମ୍ପଟନ : ଏଠାରେ ଭାରତ ବିପକ୍ଷରେ ଚାଲିଥିବା ଚତୁର୍ଥ କ୍ରିକେଟ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୮ ୱିକେଟ ବିନିମୟରେ୨୬୦ରନ କରିଛି। ଫଳରେ ହାତରେ ୨ଟି ଦ୍ୱିତୀୟ ଇନିଂସ ୱିକେଟ ଥାଇ ଇଂଲଣ୍ଡ ମୋଟ ୨୩୩ ରନରେ ଆଗୁଆ ରହିଛି। ପ୍ରଥମ ଇନିଂସରେ ୨୭ ରନରେ ପଛୁଆ ଥିବା ଇଂଲଣ୍ଡ ପୂର୍ବଦିନ ସ୍କୋର ୦/୬ ରନରୁ ତୃତୀୟ ଦିନର ଖେଳ ଆରମ୍ଭ କରିଥିଲା। ଦଳୀୟ ସ୍କୋର ୨୪ ରନରେ ଆଲିଷ୍ଟର କୁକ୍‍ଙ୍କୁ (୧୨) ଆଉଟ କରି ଯଶପ୍ରୀତ ବୁମ୍‍ରା ଭାରତ ପାଇଁ ଦିନର ପ୍ରଥମ ସଫଳତା ଅର୍ଜନ କରିଥିଲେ। ରନ୍‍ ହାର ବଢାଇବା ଉଦ୍ଦେଶ୍ୟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‍ ଅଲରାଉଣ୍ଡର ମୋଇନ ଅଲ୍ଲୀଙ୍କୁ ବ୍ୟାଟିଂକ୍ରମରେ ପଦୋନ୍ନତି ଦେଇ ତିନି ନମ୍ବର ସ୍ଥାନରେ ଖେଳାଇଥିଲେ। ତେବେ ରୁଟ୍‍ଙ୍କ ଏହି ରଣନୀତି ବିଫଳ ହୋଇଥିଲା। ୩୩ ରନରେ ମୋଇନ ଅଲ୍ଲୀ (୯) ଦ୍ୱିତୀୟ ଖେଳାଳିଭାବେ ଆଉଟ ହୋଇଥିଲେ। ସତର୍କତାର ସହ ବ୍ୟାଟିଂ କରୁଥିବା କିଟନ ଜେନିଙ୍ଗ୍‍ସ ବ୍ୟକ୍ତିଗତ ୩୬ ରନ କରିଥିବାବେଳେ ମହମ୍ମଦ ସାମିଙ୍କ ପ୍ରଥମ ଶିକାର ପାଲଟିଥିଲେ। ସାମିଙ୍କ ଏହି ଓଭରର ଶେଷ ବଲ ବାକି ଥିବାବେଳେ ଅମ୍ପାୟାର ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦେଶ ଦେଇଥିଲେ। ତେବେ ବିରତି ପରେ ସାମି ତାଙ୍କର ଅସମାପ୍ତ ଓଭରର ଶେଷ ବଲରେ ଜନି ବେୟାରଷ୍ଟୋ (୦)ଙ୍କୁ ଆଉଟ କରି ନିଜର ଦ୍ୱିତୀୟ ସଫଳତା ପାଇଥିଲେ। ଜୋ ରୁଟ ଓ ବେନ୍‍ ଷ୍ଟୋକ୍‍ସ ୫ମ ୱିକେଟ ପାଇଁ ୩୦ ରନ ଯୋଗକରିଥିଲେ। ଏହି ଯୋଡି କ୍ରିଜରେ ଜମିଆସୁଥିବାବେଳେ ରୁଟ୍‍ ୪୮ ରନ କରି ରନଆଉଟ ହୋଇଥିଲେ। ରୁଟ୍‍ଙ୍କ ପ୍ରସ୍ଥାନ ପରେ ବେନ୍‍ ଷ୍ଟୋକ୍‍ସ ଓ ଜୋସ୍‍ ବଟ୍‍ଲର ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନିରାଶ କରିବା ସହ ଚା’ପାନ ବିରତି ସୁଦ୍ଧା ଦଳୀୟ ସ୍କୋରକୁ ୫ ୱିକେଟରେ ୧୫୨ ରନରେ ପହଞ୍ଚାଇଥିଲେ। ବିରତି ପରେ ଷ୍ଟୋକ୍‍ସ ୩୦ ରନ କରି ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ ଆଉଟ ହୋଇଥିଲେ। ବଟଲର ୬୯ ଓ ରସିଦ ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ। କରନ୍‌ ୩୭ ରନ୍‌ କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ସାମି ୩ଟି, ଈଶାନ୍ତ ୨ଟି, ବୁମ୍‍ରା ଓ ଅଶ୍ୱିନ ପ୍ରତ୍ୟେକ ଗୋଟିଏ ୱିକେଟ ପାଇଛନ୍ତି।

Leave A Reply