ଦ୍ବିତୀୟ ଆସେସ୍‌ ଟେଷ୍ଟ ମ୍ୟାଚ୍‌ : ଲାବୁସେନଙ୍କ ଶତକ, ଅଷ୍ଟ୍ରେଲିଆର ବିଶାଳ ସ୍କୋର

ଆଡିଲେଡ୍‌ : ଘରୋଇ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯାଉଥିବା ୨ୟ ଆସେସ୍‌ ଟେଷ୍ଟ ମ୍ୟାଚ୍‌ର ଶୁକ୍ରବାର ଥିଲା ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ଅଷ୍ଟ୍ରେଲିଆ ତରଫରୁ ମାର୍ନସ ଲାବୁସେନ୍‌ ଶତକ ହାସଲ କରିଥିବା ବେଳେ କାମଚଳା ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୯ ୱିକେଟ୍ ହରାଇ ୪୭୩ ରନ୍‌ କରି ପାଳି ସମାପ୍ତି ଘୋଷଣା କରିଛି। ଲାବୁସେନ୍‌ ୧୦୩ ରନ୍ କରିଥିବା ବେଳେ ସ୍ମିଥ୍‌ ୯୩ ରନ୍‌ କରି ଅଳ୍ପକେ ଶତକ ହାସଲରୁ ବଞ୍ଚିତ ହୋଇଥିଲେ।
ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨ ୱିକେଟ୍ ହରାଇ ୨୨୧ ରନ୍‌ କରିଥିଲା। ଲାବୁସେନ୍‌ ୯୫ ଓ ସ୍ମିଥ୍‌ ୧୮ ରନ୍‌ କରି ଅପରାଜିତ ରହିଥିଲେ। ଦ୍ବିତୀୟ ଦିନ ଖେଳ ଆରମ୍ଭର ଅଳ୍ପ ସମୟ ପରେ ଲାବୁସେନ ଶତକ ହାସଲ କରିଥିଲେ। ତେବେ ଦଳର ସ୍କୋର ୨୪୧ ରନ୍‌ ହୋଇଥିବା ବେଳେ ଲାବୁସେନ ବ୍ୟକ୍ତିଗତ ଭାବେ ୮ଟି ଚୌକା ସହାୟତାରେ ୧୦୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଲାବୁସେନ୍‌ଙ୍କ ୱିକେଟ୍‌ ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଟ୍ରାଭିସ୍‌ ହେଡ୍‌ ଓ ସ୍ମିଥ୍‌ ଦଳର ସ୍କୋରକୁ ୨୯୧ ରନ୍‌ରେ ପହଞ୍ଚାଇଥିଲେ। ଏହି ସ୍କୋରରେ ହେଡ୍ ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ବ୍ୟାଟସମ୍ୟାନ୍‌ କାମେରନ୍‌ ଗ୍ରୀନ୍‌ ବେଶୀ ସମୟ ପିଚ୍‌ରେ ତିଷ୍ଠି ପାରିନଥିଲେ। ସେ ମାତ୍ର ୨ ରନ୍‌ କରି ଆଉଟ୍‌ ହୋଇଥିଲେ। ୨୯୪ ରନ୍‌ରେ ଅଷ୍ଟ୍ରେଲିଆ ୫ଟି ୱିକେଟ୍ ହରାଇଥିବା ବେଳେ ୬ଷ୍ଠ ୱିକେଟ୍‌ ନିମନ୍ତେ ସ୍ମିଥ୍‌ ଓ ଆଲେକ୍ସ କ୍ୟାରେଙ୍କ ମଧ୍ୟରେ ୯୧ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଦଳର ସ୍କୋର ୩୮୫ ରନ୍‌ ହୋଇଥିବା ବେଳେ ସ୍ମିଥ୍‌ ବ୍ୟକ୍ତିଗତ ଭାବେ ୧୨ଟି ଚୌକା ଓ ୧ଟି ଛକା ସହାୟତାରେ ୯୩ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହିପରି ଦଳର ସ୍କୋର ୩୯୦ ରନ୍‌ ହୋଇଥିବା ବେଳେ ଅଷ୍ଟ୍ରେଲିଆର ୭ମ ୱିକେଟ୍ ପତନ ଘଟିଥିଲା। କ୍ୟାରେ ବ୍ୟକ୍ତିଗତ ଭାବେ ୫ଟି ଚୌକା ସହାୟତାରେ ୫୧ ରନ୍‌ କରି ଆଉଟ୍ ହୋଇଥିଲେ। ଏହାପରେ ମିଚେଲ୍‌ ଷ୍ଟାର୍କ ଓ ମାଇକେଲ୍ ନିସେର୍‌ ନିଜ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରି ଖେଳିବା ସହ ଦଳର ସ୍କୋରକୁ ଆଗେଇ ନେଇଥିଲେ। ଦଳର ସ୍କୋର ୪୪୮ ରନ୍‌ ହୋଇଥିବା ବେଳେ ନିସେର୍‌ ବ୍ୟକ୍ତିଗତ ଭାବେ ୫ଟି ଚୌକା ଓ ୧ଟି ଛକା ସହାୟତାରେ ୩୫ ରନ୍‌ କରି ଆଉଟ୍‌ ହୋଇଥିଲେ। ୯ମ ୱିକେଟ୍ ଭାବେ ଝାଏ ରିଚାର୍ଡସନ୍‌ ୯ ରନ୍ କରି ଆଉଟ୍‌ ହୋଇଥିଲେ। ଷ୍ଟାର୍କ ୫ଟି ଚୌକା ସହାୟତାରେ ୩୯ ରନ୍‌ କରି ଅପରାଜିତ ରହିଥିଲେ। ଇଂଲଣ୍ଡର ବୋଲର ବେନ୍‌ ଷ୍ଟୋକ୍‌ସ ୩ଟି ୱିକେଟ୍‌ ହାସଲ କରିଥିବା ବେଳେ ଜେମ୍‌ସ ଆଣ୍ଡରସନ୍‌ ୨ଟି ୱିକେଟ୍ ହାସଲ କରିଥିଲେ। ଷ୍ଟୁଆର୍ଟ ବ୍ରଡ଼, କ୍ରିସ୍‌ ୱକ୍‌ସ, ଓଲି ରବିନ୍‌ସନ ଓ ଜୋ ରୁଟ୍‌ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ।
ଜବାବରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ମୂଳରୁ ଶୋଚନୀୟ ପ୍ରଦର୍ଶନ କରିଛି। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୨ ୱିକେଟ୍‌ ହରାଇ ୧୭ ରନ୍ କରିଛି। ଦଳ ତରଫରୁ ହାସିବ୍‌ ହମିଦ୍‌ ଓ ରୋରି ବନ୍‌ର୍ସ ବ୍ୟାଟିଂ ଓପନ୍‌ କରିଥିଲେ। ତେବେ ଦୁଇ ଓପନର୍‌ ପ୍ରଥମ ୱିକେଟ୍‌ ନିମନ୍ତେ ମାତ୍ର ୭ ରନ୍‌ ସଂଗ୍ରହ କରି ପାରିଥିଲେ। ରୋରି ବନ୍‌ର୍ସ ୪ ରନ୍‌ କରି ଆଉଟ୍‌ ହୋଇଥିଲେ। ଦଳର ସ୍କୋର ୧୨ ରନ୍‌ ହୋଇଥିବା ବେଳେ ହମିଦ୍‌ ୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଡାୱିଡ୍‌ ମାଲାନ୍‌ ୧ ଓ ଅଧିନାୟକ ଜୋ ରୁଟ୍‌ ୫ ରନ୍‌ କରି ଅପରାଜିତ ରହିଛନ୍ତି। ଅଷ୍ଟ୍ରେଲିଆର ବୋଲର ମିଚେଲ୍‌ ଷ୍ଟାର୍କ ଓ ମାଇକେଲ୍‌ ନିସେର୍‌ ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଛନ୍ତି।

Comments are closed.