ରସିଦ୍‍ ଫେରିଲେ ; ପୋର୍ଟର ନୂଆମୁହଁ

0

ଲଣ୍ଡନ : ଭ୍ରମଣକାରୀ ଭାରତ ବିପକ୍ଷରେ ଅଗଷ୍ଟ ୧ରୁ ଘରୋଇ ଇଂଲଣ୍ଡ ୫ ମ୍ୟାଚ୍‍ ବିଶିଷ୍ଟ ସିରିଜ୍‍ର ପ୍ରଥମ ଟେଷ୍ଟମ୍ୟାଚ୍‍ ଖେଳିବ। ଏହି ମ୍ୟାଚ୍‍ ପାଇଁ ଇଂଲଣ୍ଡର ୧୩ ଜଣିଆ ଦଳ ଗୁରୁବାର ଘୋଷଣା କରାଯାଇଛି। ଆଶା ଅନୁସାରେ ଦଳକୁ ଲେଗ୍‍ସ୍ପିନର ଆଦିଲ ରସିଦ୍‍ ଫେରିଥିବା ବେଳେ ନୂଆମୁହଁ ଭାବେ ଯୁବ ଫାଷ୍ଟବୋଲର ଜେମି ପୋର୍ଟର ରହିଛନ୍ତି। ଏଜ୍‍ବାଷ୍ଟନ୍‍ରେ ଖେଳାଯିବାକୁ ଥିବା ଏହି ଟେଷ୍ଟମ୍ୟାଚ୍‍ ପାଇଁ ସ୍ପିନ୍‍ ବୋଲିଂ ଅଲ୍‍ରାଉଣ୍ଡର ମୋଇନ୍‍ ଅଲୀଙ୍କୁ ସ୍ଥାନ ମିଳିଥିବା ବେଳେ ଆହତ ଥିବାରୁ ଫାଷ୍ଟବୋଲର କ୍ରିସ୍‍ ୱକ୍‍ସ ଦଳରେ ସ୍ଥାନ ପାଇନାହାନ୍ତି।
ଇଂଲଣ୍ଡରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ପିଚ୍‍ ଶୁଖିଲା ରହିଛି। ଏହି ପିଚ୍‍ରେ ବଲ୍‍ ସ୍ପିନ୍‍କରିବ ବୋଲି ଇଂଲଣ୍ଡର ମନୋନୟନକାରୀ ଅନୁମାନ କରୁଛନ୍ତି। ତେଣୁ ଦଳରେ ଉଭୟ ସ୍ପିନର ଆଦିଲ ରସିଦ୍‍ ଓ ମୋଇନ୍‍ ଅଲୀଙ୍କୁ ସାମିଲ କରାଯାଇଛି। ଗତ ଆସେସ୍‍ ସିରିଜ୍‍ରେ ଦୁର୍ବଳ ପ୍ରଦର୍ଶନ କରିବା ପରେ ମୋଇନ୍‍ ଅଲୀଙ୍କୁ ଇଂଲଣ୍ଡର ଟେଷ୍ଟ ଦଳରୁ ବାଦ୍‍ ଦିଆ ଯାଇଥିଲା। ତେବେ ୨୦୧୪ରେ ଅଷ୍ଟ୍ରେଲିଆ ଏବଂ ପରେ ଭାରତ ବିରୋଧରେ ଦିନିକିଆ ସିରିଜ୍‍ରେ ମୋଟ ୨୦ଟି ୱିକେଟ ନେବା ପରେ ମୋଇନ୍‍ଙ୍କୁ ଟେଷ୍ଟ ଦଳକୁ ଫେରାଇ ଅଣାଯାଇଛି। ପୁଣି ଭାରତ ବିପକ୍ଷରେ ମୋଇନ୍‍ଙ୍କ ବୋଲିଂ ରେକର୍ଡ ବହୁତ ଭଲ। ୨୦୧୪ରେ ଭାରତରେ ଖେଳା ଯାଇଥିବା ଟେଷ୍ଟମ୍ୟାଚ୍‍ରେ ମୋଇନ୍‍ ୧୯ଟି ୱିକେଟ ପାଇଥିଲେ। ୨୦୧୫-୧୬ରେ ୟୁଏଇରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଜୀବନର ଆରମ୍ଭ କରିବା ପରଠାରୁ ଆଦିଲ ରସିଦ୍‍ ୧୦ଟି ବିଦେଶ ଗସ୍ତରେ ଖେଳିଛନ୍ତି। ୨୦୧୬-୧୭ରେ ଭାରତ ଗସ୍ତରେ ଇଂଲଣ୍ଡ ୪-୦ରେ ଟେଷ୍ଟ ସିରିଜ୍‍ ହାରିଥିବା ବେଳେ ରସିଦ୍‍ ସର୍ବାଧିକ ୨୩ଟି ୱିକେଟ ନେଇଥିଲେ। ତେବେ ଘରୋଇମାଟିରେ ସେ ଆଦୌ ଟେଷ୍ଟମ୍ୟାଚ୍‍ ଖେଳିନାହାନ୍ତି। ପୁଣି ଗତ ଫେବୃୟାରୀଠାରୁ ରସିଦ୍‍ କୌଣସି ଲାଲ୍‍ ବଲ୍‍ କ୍ରିକେଟ ମଧ୍ୟ ଖେଳିନାହାନ୍ତି। ତେବେ ନିକଟରେ ଭାରତ ବିପକ୍ଷରେ ୩ ମ୍ୟାଚ୍‍ର ଦିନିକିଆ ସିରିଜ୍‍ରେ ରସିଦ୍‍ ଭଲ ବୋଲିଂ କରିଥିଲେ। ଚଳିତବର୍ଷ ଇଂଲଣ୍ଡ ପାଇଁ ଖେଳିଥିବା ଦୁଇ ସ୍ପିନର ଡମ୍‍ ବେସ୍‍ ଓ ଜ୍ୟାକ୍‍ ଲିଚ୍‍ ଟେଷ୍ଟ ଦଳରେ ସ୍ଥାନ ପାଇନାହାନ୍ତି। ଘରୋଇ କ୍ରିକେଟ୍‍ରେ ପ୍ରଭାବଶାଳୀ ପ୍ରଦର୍ଶନ କରିବା ପରେ ପେସ୍‍ ବୋଲର ଜେମି ପୋର୍ଟରଙ୍କୁ ଟେଷ୍ଟଦଳରେ ସାମିଲ କରାଯାଇଛି। ଏସେକ୍ସର ପେସ୍‍ ବୋଲର ଜେମି ପୋର୍ଟର ଘରୋଇ କ୍ରିକେଟ ଓ ଇଂଲଣ୍ଡ ‘ଏ’ ପାଇଁ ଭଲ ପ୍ରଦର୍ଶନ କରିବା ଯୋଗୁଁ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି। ୨୦୧୭ରେ ଏସେକ୍ସକୁ କାଉଣ୍ଟି ଚମ୍ପିଆନ୍‍ କରିବାରେ ପୋର୍ଟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ପାଇଥିଲେ। ଜୋସ୍‍ ବଟ୍‍ଲରଙ୍କୁ ବ୍ୟାଟ୍‍ସମ୍ୟାନ୍‍ ଭାବେ ଦଳରେ ରଖା ଯାଇଥିବା ବେଳେ ଜନି ବେୟାରଷ୍ଟୋ ୱିକେଟ ରକ୍ଷଣ କରିବେ।
ଇଂଲଣ୍ଡ ଟେଷ୍ଟ ଦଳ: ଜୋ ରୁଟ୍‍ (ଅଧିନାୟକ), ମୋଇନ୍‍ ଅଲୀ, ଜେମ୍‍ସ ଆଣ୍ଡରସନ୍‍, ଜନି ବେୟାରଷ୍ଟୋ (ୱିକେଟ ରକ୍ଷକ), ଷ୍ଟୁଆର୍ଟ ବ୍ରଡ୍‍, ଜୋସ୍‍ ବଟ୍‍ଲର, ଆଲଷ୍ଟାୟାର କୁକ୍‍, ସାମ୍‍ କରନ୍‍, କିଟନ ଜେନିଙ୍ଗ୍‍ସ, ଡାୱିଡ୍‍ ମାଲାନ୍‍, ଜେମି ପୋର୍ଟର, ଆଦିଲ ରସିଦ୍‍ ଓ ବେନ୍‍ ଷ୍ଟୋକ୍‍ସ।

Leave A Reply