କେରଳର ପୂର୍ବତନ ଅର୍ଥମନ୍ତ୍ରୀ ତଥା ୧୩ ଥର ବିଧାୟକ କେଏମ୍‍ ମାଣିଙ୍କ ପରଲୋକ

କୋଚି : କେରଳ କଂଗ୍ରେସ (ଏମ୍‍) ଅଧ୍ୟକ୍ଷ, କେରଳ ଆଧୁନିକ ରାଜନୀତିର ମୁଖିଆ ତଥା ୧୩ ଥର ବିଧାୟକ କେଏମ୍‍ ମାଣିଙ୍କ ମଙ୍ଗଳବାର କୋଚିର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଶ୍ୱାସ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ଅପ୍ରେଲ ପ୍ରଥମ ସପ୍ତାହରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ହସ୍ପିଟାଲ ବୁଲେଟିନ୍‍ରେ କୁହାଯାଇଛି ଯେ ମାଣି ଶ୍ୱାସ ଜନିତ ସମସ୍ୟାରେ ଗତି କରୁଥିଲେ ଓ ତାଙ୍କ ଛାତିରେ ସଂକ୍ରମଣ ହୋଇଯାଇଥିଲା। ମଙ୍ଗଳବାର ଦିନ ୩ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

କଂଗ୍ରେସ ବିଭାଜିତ ହେବା ପରେ ମାଣି କେରଳ କଂଗ୍ରେସ (ଏମ୍‍) ସ୍ଥାପନ କରିଥିଲେ। କେରଳ ଅର୍ଥ ମନ୍ତ୍ରୀ ଭା​‌ବେ ସେ ସର୍ବାଧିକ ୧୩ ଥର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି । ଏହାସହ ରାଜନୀତିରେ ସେ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ୧୯୬୫ରେ ସେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। କେରଳ କୋଟାୟାମ ଜିଲାର ପାଲା ବିଧାନସଭା ଆସନରୁ ୧୩ ଥର ନିର୍ବାଚିତ ହେବାର ବିରଳ ରେକର୍ଡ ତାଙ୍କ ନାମରେ ରହିଛି। କେରଳ ବିଧାନସଭା ସଦସ୍ୟ ଭାବେ ସର୍ବାଧିକ ୫୨ ବର୍ଷ କାର୍ଯ୍ୟ କରିଛନ୍ତି।

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡି ତାଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Comments are closed.