ନାୟକ ’ପଟ୍ଟନାୟକ’: କାଲି ସରିବ ନବୀନଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ

ଭୁବନେଶ୍ବର (ରଞ୍ଜିତ୍ ମହାନ୍ତି):  ଯାବତୀୟ ପ୍ରତିକୂଳ ପରିସ୍ଥିତି ଓ ବିରୋଧୀଙ୍କ ସମାଲୋଚନା ମଧ୍ୟରେ ୫ମ ପାଳିର ପ୍ରଥମ ବର୍ଷ ଆସନ୍ତାକାଲି ପୂରଣ କରିବାକୁ ଯାଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ମ ପାଳି ଆରମ୍ଭ ହେଉହେଉ ସାମୁଦ୍ରିକ ଚକ୍ରବାତ ‘ଫଣି’ରେ ଉଜୁଡ଼ା ଓଡ଼ିଶାର ପୁନରୁଦ୍ଧାର ସାଙ୍ଗକୁ ମଧ୍ୟକାଳରେ କରୋନା ଓ ପୁଣି ଠିକ୍ ବର୍ଷକ ପରେ ଆଉ ଏକ ସାମୁଦ୍ରିକ ଚକ୍ରବାତ ’ଅମ୍ପନ’ର ଦୃଢ଼ ମୁକାବିଲା ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀଙ୍କ ଆଖିରେ ‘ନାୟକ‘ ବା ‘ହୀରୋ’ ଭାବରେ ପରିଚିତି ଦେଇଛି । ‘ରାଜନୀତି ଏକ ପ୍ରତିବଦ୍ଧ ସେବା’ କେବଳ ସ୍ଲୋଗାନ ନୁହେଁ ତାହାକୁ କାର୍ଯ୍ୟକାରୀ କରିହୁଏ ତାହାକୁ ପ୍ରମାଣିତ କରିଛନ୍ତି ନବୀନ ।

କରୋନା ସଙ୍କଟର ସଠିକ ପରିଚାଳନା ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟର ପ୍ରସ୍ତୁତି ଓଡ଼ିଶାକୁ ଦେଶ ଓ ଦେଶ ବାହାରେ ବି ପ୍ରଶଂସା କରିଛି । ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମରେ ନବୀନ ସାଜିଛନ୍ତି ‘ମଡ଼େଲ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ତାଙ୍କର ଅତି କଠୋର ସମାଲୋଚକମାନେ ମଧ୍ୟ ନବୀନଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି ।

୨୦୧୯ ମେ ୨୯ ତାରିଖରେ ୫ମଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ଗଠନ ନିମନ୍ତେ ପୂର୍ଣ୍ଣ ବହୁମତ ମିଳିବ ନାହିଁ ବୋଲି ଯାବତୀୟ ଆକଳନକୁ ଭୁଲ ପ୍ରମାଣିତ କରି ପାଖାପାଖି ଦୁଇ ତୃତୀୟାଂଶ ଆସନରେ ତାଙ୍କ ଦଳ ବିଜୟୀ ହୋଇଥିଲା । ସାରା ଦେଶରେ ମୋଦୀ ସୁନାମୀ ଆସିଥିବାବେଳେ ଓଡ଼ିଶାରେ ନବୀନ ଲହର ମୋଦି ସୁନାମୀକୁ ରୋକିବାରେ ସମର୍ଥ ହୋଇଥିଲା ଏବଂ ପୁନର୍ବାର ଦଳ କ୍ଷମତାସୀନ ହୋଇଥିଲା । କେବଳ ସେତିକି ନୁହେଁ ଦୁଇଦୁଇଟି ଆସନରୁ ନବୀନ ବିଜୟୀ ହୋଇଥିଲେ । ଗୋଟିଏ ନିଜର ପୁରୁଣା ଆସନ ହିଞ୍ଜିଳି ଓ ଦ୍ବିତୀୟଟି ନୂଆ ଆସନ ବରଗଡ଼ର ବିଜେପୁର ।

ନବୀନଙ୍କ ସମ୍ପର୍କରେ ୫ ସୂଚନା 

  • ନବୀନ ପଟ୍ଟନାୟକ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ
  • ଜଣେ ଲେଖକ ଭାବରେ ତାଙ୍କର ପରିଚିତି ଅଛି ଏବଂ ସେ ବିଜୁ ଜନତା ଦଳର ସଭାପତି ମଧ୍ୟ 
  • ନବୀନ ବର୍ତମାନ ଦେଶର ସର୍ବାଧିକ ସମୟଧରି ନିରବଚ୍ଛିନ୍ନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ
  • ୫ଥର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାରେ  ଜ୍ୟୋତି ବସୁ ଓ ପୱନ ଚାମଲିଂଙ୍କ ପରେ ତୃତୀୟ ନବୀନ ପଟ୍ଟନାୟକ
  • ଇଂରାଜୀ, ହିନ୍ଦୀ, ଫରାସୀ ଓ ପଞ୍ଜାବୀ ଭାଷାରେ ମଧ୍ୟ ତାଙ୍କର ପ୍ରବେଶ ରହିଛି 

 

ନୂଆ ସରକାରର ରୂପରେଖ ଥିଲା ପୁରୁଣା ସରକାରଠାରୁ କିଛିଟା ଭିନ୍ନ । ସ୍ଥାନ ପାଇଥିଲେ ଅନେକ ନୂଆ ମୁହଁ । ରାଜନୀତିରେ ଓ ଦଳରେ  ନୂଆ ପ୍ରବେଶ କରିଥିବା କିଛି ନିର୍ବାଚିତ ପ୍ରତିନିଧିଙ୍କୁ ବି ମିଳିଥିଲା ମନ୍ତ୍ରୀ ପଦ । ଶପଥ ନେବାର ପ୍ରଥମ ଦିନରେ ହିଁ କ୍ୟାବିନେଟ୍‌ ବୈଠକ ଡାକି ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଆହ୍ଵାନ ଦେଇଥିଲେ ନବୀନ । ପ୍ରତିଶ୍ରୁତି ଅନୁସାରେ ସରକାର ଗଠନର ପ୍ରଥମ ଦିନରେ ଚାଷୀଙ୍କୁ ଦିଆଯାଇଥିଲା କାଳିଆ ସହାୟତାର ବକେୟା କିସ୍ତି ।

ଏହାପରେ ଆରମ୍ଭ ହୋଇଥିଲା ‘ମୋ-ସରକାର’ କାର୍ଯ୍ୟକ୍ରମ । ୫-ଟି ସରକାର । ପୁରୀଠାରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର, ସମଲେଶ୍ବରୀ ମନ୍ଦିର ଆଦି ନିମନ୍ତେ କରାଯାଇଥିଲା ବିକାଶ ନକ୍ସା । ଶ୍ରୀକ୍ଷେତ୍ରର ରୂପ ପରିବର୍ତନ ସହ ଏହାକୁ ଧାର୍ମିକ ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ଶ୍ରୀମନ୍ଦିର ଚାରିପଟରୁ ଆରମ୍ଭ ହୋଇଥିଲା ଉଚ୍ଛେଦ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ଅନେକ ଲୋକ ନିଜ ଘରଡ଼ିହ ବି ଛାଡ଼ିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ ।

ସରକାରରେ ଶୃଙ୍ଖଳା ଓ ଉତ୍ତରଦାୟିତ୍ବ ଧାର୍ଯ୍ୟ କରିଥିଲେ ନବୀନ ।  ମନ୍ତ୍ରୀ-ବିଧାୟକ, ସାଂସଦଙ୍କ ରିପୋର୍ଟ କାର୍ଡ଼ ସମୀକ୍ଷା କରାଗଲା । ମିଶନ ଶକ୍ତିର ବିକାଶ ସହ ଗ୍ରାମାଞ୍ଚଳର ମହିଳାମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ଯୋଜନା କରାଗଲା । ଏହାରି ଭିତରେ ଧାରା ୩୭୦ ଉଚ୍ଛେଦ ଓ ଟ୍ରିପଲ୍ ତଲାକ ବିଲ୍ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହ ଠିଆ ହୋଇଥିଲେ ସେ । ଦଳୀୟ ରାଜନୀତିଠାରୁ ଦେଶର ସ୍ବାର୍ଥ ଥିଲା ଏ କ୍ଷେତ୍ରରେ ପ୍ରାଥମିକତା ।

ରାଜନୀତିର ଅସୂୟା ଓ ରାଜନୈତିକ ପଶାପାଲିରେ ନବୀନ କେବେ ହାରିଥିବା ଦେଖାଯାଇନାହିଁ । ତାଙ୍କର କଠୋର ସମାଲୋଚକ ଓ ରାଜନୈତିକ ପ୍ରତିପକ୍ଷ ମଧ୍ୟ ତାଙ୍କ ସହ ଏକତ୍ର ଠିଆ ହୋଇଥିବା ଦୃଷ୍ଟିଗୋଚର ହୋଇଛି । ରାଜ୍ୟ ରାଜନୀତିରେ ଏପରି ଉଦାହରଣ ଅନେକ । ସେହିପରି ଏକଦା ନିର୍ବାଚନ ପୂର୍ବରୁ ତାଙ୍କୁ କଠୋର ସମାଲୋଚନା କରୁଥିବା ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ମଧ୍ୟ ଶେଷରେ ନବୀନଙ୍କ ଆତିଥ୍ୟ ଗ୍ରହଣ କରିଥିବା ଓ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଥିବା ନଜିର ରହିଛି ।

 

ପ୍ରଥମ ବର୍ଷର ଅଧା ଦିନ ନ ଯାଉଣୁ ରାଜ୍ୟକୁ ମାଡ଼ି ଆସିଥିଲା ମହାମାରୀ କରୋନା । ଏହି ସମୟରେ ନବୀନ ଦେଇଥିଲେ ନୂଆ ଆଉ ଭିନ୍ନ ସ୍ଲୋଗାନ- ‘ଅର୍ଥନୀତି ନୁହେଁ, ଜୀବନ ବଡ଼’ ।

ଦେଶରେ ଲକ୍ ଡ଼ାଉନ ଆରମ୍ଭ ହେବା ପୂର୍ବରୁ ଓଡ଼ିଶାରେ ଆରମ୍ଭ ହୋଇଥିଲା କରୋନା ପ୍ରସ୍ତୁତି । ରାଜଧାନୀରେ ଦୁଇ ବଡ଼ବଡ଼ ମେଡ଼ିକାଲ କଲେଜ ଡ଼ାକ୍ତରଖାନା ସହ ଚୁକ୍ତି କୋବିଦ-୧୯ ଡ଼ାକ୍ତରଖାନା ସ୍ଥାପନ ପାଇଁ କରାଗଲା ଚୁକ୍ତି । ପ୍ରଥମ ପର୍ଯ୍ୟାୟରେ ସ୍ଥାପନ ହେଲା ୧୦୦୦ ଶଯ୍ୟା। ଏହାପରେ ପ୍ରତି ଜିଲାରେ କୋବିଦ-୧୯ ହସପିଟାଲ ଓ ପ୍ରତି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରାଯାଇ ଦେଶ ପାଇଁ ସୃଷ୍ଟି ହେଲା ନୂଆ ଉଦାହରଣ ।

କରୋନା ମୁକାବିଲା ପାଇଁ ପଞ୍ଚାୟତସ୍ତରରେ ଆରମ୍ଭ ହେଲା ପ୍ରସ୍ତୁତି । ୩ ଡ଼ଜନରୁ ଅଧିକ ବରିଷ୍ଠ ଅଧିକାରୀଙ୍କୁ ଦିଆଗଲା ରାଜ୍ୟରେ କରୋନା ପରିଚାଳନାର ଦାୟିତ୍ବ । ପଞ୍ଚାୟତସ୍ତରରେ ସରପଞ୍ଚଙ୍କୁ ଦିଆଗଲା ଜିଲାପାଳଙ୍କ ପରି ମାଜିଷ୍ଟ୍ରେଟ କ୍ଷମତା । ସ୍ବାସ୍ଥ୍ୟ କର୍ମୀ, ପୁଲିସ କର୍ମୀ, ସଫେଇ କର୍ମୀ ଓ ସରପଞ୍ଚଙ୍କ ପାଇଁ କରାଗଲା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମରଣୋତ୍ତର ସହାୟତା ବ୍ୟବସ୍ଥା । ପ୍ରବାସୀଙ୍କ ଫେରିବା ନିମନ୍ତେ ଆରମ୍ଭ ହେଲା ପଞ୍ଜୀକରଣ । ୧୬ ଲକ୍ଷ ପ୍ରବାସୀଙ୍କ ମଧ୍ୟରୁ ଫେରିଥିବା ୩ ଲକ୍ଷରୁ ଅଧିକ ପ୍ରବାସୀଙ୍କ ନିମନ୍ତେ ସଙ୍ଗରୋଧ ବ୍ୟବସ୍ଥା କରାଯାଇପାରିଲା । ଏ​‌ବେ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାଠାରୁ ସୁସ୍ଥ ହେବା ଲୋକଙ୍କ ସଂଖ୍ୟା ଅଧିକ ।

ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରି ଦେଶ ପାଇଁ ଉଦାହରଣ ସାଜିଲେ ନବୀନ । ବିଦେଶ ଫେରନ୍ତା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ସେଣ୍ଟର ପ୍ରତିଷ୍ଠା ଠାରୁ ଆରମ୍ଭ କରି ଟେଷ୍ଟିଂ ବ୍ୟବସ୍ଥା କରିବା । ମହାମାରୀ ବିରୋଧରେ ରାଜ୍ୟ ସରକାରଙ୍କ ଯୁଦ୍ଧଂ ଦେହି ଡାକରା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଲା । ଏପରିକି ଅନ୍ୟ ରାଜ୍ୟ ତୁଳନାରେ ମଧ୍ୟ ମୃତ୍ୟୁର ତାଲିକା ସୀମିତ ରହିଲା ।

କରୋନାର ଏହି ବିପତ୍ତି ସମୟରେ ଉପକୂଳ ଓଡ଼ିଶା କମ୍ପାଇଲା ସାମୁଦ୍ରିକ ଚକ୍ରବାତ ‘ଅମ୍ପନ’ ।  ବିଧ୍ୱଂସୀ ବାତ୍ୟା ଓଡ଼ିଶାର ଉପକୂଳ ଦେଇ ଅତିକ୍ରମ କରିଗଲା । ହେଲେ ‘ଜିରୋ-କାଜୁଆଲିଟି’ ନିମନ୍ତେ ନବୀନଙ୍କ ପ୍ରଶାସନିକ ପରିଚାଳନା ସଫଳ ହେଲା। ଯେଉଁଥିପାଇଁ ଓଡ଼ିଶାଗସ୍ତରେ ଆସିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଏଥିପାଇଁ କେବଳ ପ୍ରଶଂସା କରି ନାହାନ୍ତି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ବିପର୍ଯ୍ୟୟ ପରିଚାଳନା ଓଡ଼ିଶାଠାରୁ ଶିଖିବା କଥା ବୋଲି ଉଦାହରଣ ଦେଇଛନ୍ତି ।

 

Comments are closed.