ଏନ୍‌କାଉଣ୍ଟର ମନୋରଞ୍ଜନ ନୁହେଁ

ମୁମ୍ବଇ ଏନ୍‌କାଉଣ୍ଟର ବିଶେଷଜ୍ଞ ଦୟା ନାୟକ ସେପ୍ଟେମ୍ବର ୨୦୧୯ରେ ମହାରାଷ୍ଟ୍ର ଏଟିଏସ୍‌ ସ୍କ୍ବାଡ୍‌କୁ ବଦଳି ହୋଇଯାଇଛନ୍ତି। ଯଦିଓ ନିକଟ ଅତୀତରେ ଦୟାଙ୍କ ଏନ୍‌କାଉଣ୍ଟର କାର୍‌ନାମା ସମ୍ପର୍କରେ କୌଣସି ରୋଚକ ଖବର ପ୍ରକାଶ ପାଇନାହିଁ, ତାଙ୍କ ନିଜ କହିବା ମୁତାବକ ୨୦୦୩ ସୁଦ୍ଧା ଏନ୍‌କାଉଣ୍ଟରରେ ସେ ଏକା ୮୩ଜଣ ଗ୍ୟାଙ୍ଗ୍‌ଷ୍ଟର୍‌ଙ୍କୁ ମାରିଛନ୍ତି। ପାଠକେ ଜାଣନ୍ତି ପୁଲିସ ଏନ୍‌କାଉଣ୍ଟରକୁ ନେଇ ଖାସ୍‌ କରି ଦୟା ନାଏକଙ୍କ କାହାଣୀକୁ ଭିତ୍ତିକରି କେବଳ ବଲିଉଡ୍‌ରେ ଢେର ବ୍ୟାବସାୟିକ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ନାନା ପାଟେକର ଅଭିନୀତ ‘ଅବ୍‌ତକ ଛପନ୍‌’ ୨୦୦୪ ବେଶ୍‌ ଲୋକପ୍ରିୟତା ଲାଭ କରିଥିଲା। ଆଜିକୁ ୧୫ବର୍ଷ ପୂର୍ବେ ବକ୍ସ ଅଫିସ ବେପାର ୧୩କୋଟି ଛୁଇଁଥିଲା ଯାହା କିଛି କମ୍‌ ନଥିଲା।
ହାଇଦ୍ରାବାଦରେ ଅବିକଳ ଦୟା ନାଏକଙ୍କ ପରି ଏନ୍‌କାଉଣ୍ଟର ବିଶେଷଜ୍ଞ ଅବଶ୍ୟ ନାହାନ୍ତି, ତେବେ ନିକଟରେ ପୁଲିସ ଏନ୍‌କାଉଣ୍ଟରରେ ପ୍ରାଣ ହରେଇଥିବା ଚାରିଜଣ ଅଭିଯୁକ୍ତଙ୍କ ଖବର ଚର୍ଚ୍ଚାକୁ ଆସିଛି। ସାରା ଦେଶରେ ଲୋକେ ଖୁସି ମନାଉଛନ୍ତି, ଯେମିତି ୨ୟ ସ୍ବାଧୀନତା ଆସିଛି। ଖୁବ୍‌ଶୀଘ୍ର ନ୍ୟାୟ ମିଳିଛି ବୋଲି ହାଇଦ୍ରାବାଦ ପୁଲିସକୁ ସାବାସି ମିଳୁଛି। ଲୋକେ ମହୋତ୍ସବରେ ମିଠା ବାଣ୍ଟିବା ପରି ଖୁସିରେ ମିଠା ବାଣ୍ଟୁଛନ୍ତି ଏବଂ ପୁଲିସ ହାତରେ ରାଖୀ ବାନ୍ଧିବା ପାଇଁ ଭିଡ଼ ହେଉଛି। ପ୍ରତ୍ୟକ୍ଷ ଭାବରେ ନହେଲେ ହେଁ ରାଜନେତାମାନେ ପୁଲିସ ଏନ୍‌କାଉଣ୍ଟରକୁ ତାରିଫ୍‌ କରୁଛନ୍ତି। ଉନ୍ନାଓ ପୀଡ଼ିତାଙ୍କ ବାପା ଏଇ ଅବସରରେ କହିଛନ୍ତି, ‘ତାଙ୍କ ଝିଅର ନୃଶଂସ ହତ୍ୟା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଏମିତି ଗୁଳି ମାରି ଦିଆଯାଉ, ନଚେତ୍‌ ଫାଶୀ ଖୁଣ୍ଟରେ ଝୁଲେଇ ଦିଆଯାଉ।’ ନିର୍ଭୟାଙ୍କ ମା’ କହିଛନ୍ତି, ‘ବର୍ଷବର୍ଷ ଧରି ମୁଁ ଏଇକଥା କହିଆସୁଛି ଯେ ଦୁଷ୍କର୍ମକାରୀଙ୍କ ପ୍ରତି ତୁରନ୍ତ ଦଣ୍ଡବିଧାନ ହେଉ। ମୋ କଥା ସରକାର ଶୁଣୁନାହାନ୍ତି। ତେବେ ଅନ୍ତତଃ ଗୋଟିଏ ଝିଅକୁ ତ ନ୍ୟାୟ ମିଳିଛି। ମୁଁ ଖୁସି।’ ଏଣେ ହାଇଦ୍ରାବାଦ ପୁଲିସର ସଫଳତା (!) ଉତ୍ତରପ୍ରଦେଶ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଉତ୍ତରପ୍ରଦେଶ ପୁଲିସ ପ୍ରଶାସନ ସଫେଇ ଦେଇଛି, କେବଳ ଗତ ଦୁଇବର୍ଷ ଭିତରେ ୧୦୩ ଅପରାଧୀଙ୍କୁ ଏନ୍‌କାଉଣ୍ଟରରେ ଖତମ୍‌ କରାଯାଇଛି। ସେତିକି ନୁହେଁ, ଏଇ ସମୟ ଭିତରେ ୫୧୭୮ ପୁଲିସ-ଅପରାଧୀ ମୁହାଁମୁହିଁରେ ୧୮୫୯ ଅପରାଧୀ ଆହତ ହୋଇଛନ୍ତି। ଅର୍ଥାତ୍‌ ଉତ୍ତରପ୍ରଦେଶରେ ଆଉ ଜଙ୍ଗଲର କାନୁନ୍‌ ନାହିଁ କି ରାଜ୍ୟ ପୁଲିସ ହାତରେ ଚୁଡ଼ି ପିନ୍ଧି ବସିନାହାନ୍ତି। ପାଠକେ, ହାଇଦ୍ରାବାଦ ମାମଲାରେ ବୃହତ୍‌ ଗୋଷ୍ଠୀ ପୁଲିସ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରୁଥିବାବେଳେ ସମାନ ତୀବ୍ରତାରେ ମାନବାଧିକାର କର୍ମୀଙ୍କୁ ସମାଲୋଚନା କରିବା ପାଇଁ ପଛେଇ ନାହାନ୍ତି। ତେଣୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କିଛି ଅଲଗା କଥା କହିଛନ୍ତି। ସେ ସ୍ବୀକାର କରିଛନ୍ତି ଅପରାଧିକ ମାମଲା ଫଇସଲା ବ୍ୟବସ୍ଥାରେ ସଂସ୍କାର ଆସିବା ଜରୁରୀ, ତେବେ ‘‘ନ୍ୟାୟ ଯଦି ପ୍ରତିଶୋଧ ଭାବନାରେ କରାଯିବ, ଅଚିରେ ନ୍ୟାୟ ନିଜର ମହନୀୟ ଚରିତ୍ର ହରେଇ ବସିବ। ପ୍ରତିଶୋଧ ଉଦ୍ଦେଶ୍ୟରେ ନ୍ୟାୟକୁ କଦାପି ନ୍ୟାୟ କୁହାଯାଇପାରିବ ନାହିଁ।’’ ସେ ଏକଥା ମଧ୍ୟ କହିଛନ୍ତି ନ୍ୟାୟ ‘ତାତ୍‌କାଳିକ’ ମଧ୍ୟ ସମ୍ଭବ ହୋଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଜାତୀୟ ମାନବାଧିକାର କମିସନ ହାଇଦ୍ରାବାଦ ଏନ୍‌କାଉଣ୍ଟର ସମସ୍ୟାର ତଦନ୍ତ ଆରମ୍ଭ କରିଥିବାବେଳେ ସୁପ୍ରିମକୋର୍ଟରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଯାଚିକା ଦାଏର ସରିଛି।
ପର୍ଯ୍ୟବେକ୍ଷକମାନଙ୍କ ମତ, ହାଇଦ୍ରାବାଦରେ ଜଣେ ଡାକ୍ତରାଣୀଙ୍କ ସହିତ ଯାହା ଘଟିଲା, ତାହା ବର୍ବରୋଚିତ ଏବଂ ଅକ୍ଷମଣୀୟ, ତେବେ ୟାର ଅର୍ଥ ବିଲ୍‌କୁଲ୍‌ ନୁହେଁ ଯେ ପୁଲିସ ଦଣ୍ଡ ଦେବାର କର୍ତ୍ତୃତ୍ବ ନିଜ ହାତକୁ ନେବ। ବିଧି ବ୍ୟବସ୍ଥାର ବାଡ଼ ଡେଇଁ ଏନ୍‌କାଉଣ୍ଟର କରିବ ! ଏମିତି ନହେଉ, କିନ୍ତୁ ଯଦି ହାଇଦ୍ରାବାଦ ପୁଲିସ ଉପରେ ପ୍ରବଳ ଚାପ ଯୋଗୁଁ ଏନ୍‌କାଉଣ୍ଟର ପ୍ରାୟୋଜିତ ହୋଇଥାଏ, ତେବେ ଆମ ରାଷ୍ଟ୍ରୀୟ ବ୍ୟବସ୍ଥା ପାଇଁ ଏହା ଉଭୟ ଲଜ୍ଜା ତଥା ଅଭିଶାପ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମୟିକ ଭାବରେ ହେଲେ ହେଁ ପୁଲିସ ଯଦି ନିଜକୁ ସ୍ବତନ୍ତ୍ର କର୍ତ୍ତୃପକ୍ଷ ବୋଲି ବିଚାରିବ ଏବଂ ପ୍ରତିଶୋଧ ପରାୟଣ ହେବ, ତେବେ ଆଇନର ଶାସନ ଦୁର୍ବଳ ହୋଇପଡ଼ିବ। ଖବର ଅନୁସାରେ, ଉତ୍ତର ପ୍ରଦେଶରେ ମାତ୍ର ବର୍ଷକ ଭିତରେ ଛୋଟବଡ଼ ହଜାରେରୁ ଅଧିକ ଏନ୍‌କାଉଣ୍ଟର ହୋଇଛି। ତେବେ କୌଣସି ଗୋଟିଏ ଘଟଣାରେ ସୁରକ୍ଷା କର୍ମୀ ମୃତାହତ ହେବାର ସମ୍ବାଦ ନାହିଁ। ପ୍ରାୟ ଦୁଇବର୍ଷ ତଳେ ଜଣେ ବରିଷ୍ଠ ପୁଲିସ ଅଫିସରଙ୍କ ମନ୍ତବ୍ୟ (ଏନ୍‌କାଉଣ୍ଟର ଉପରେ) ଥିଲା ଏମିତି- ‘‘ଏନ୍‌କାଉଣ୍ଟର ସରକାରୀ ନୀତିର ଅଂଶବିଶେଷ ଅବଶ୍ୟ ନୁହେଁ, ତେଣୁ ଅପରାଧ ରୋକିବା ପାଇଁ ପୁଲିସର ନିଜସ୍ବ ପଦ୍ଧତି। ଆମେ ଏନ୍‌କାଉଣ୍ଟର ଶବ୍ଦ ବ୍ୟବହାର କରୁନା, ପୁଲିସ ଏନ୍‌ଗେଜ୍‌ମେଣ୍ଟ କହୁ।’’
କେଇବର୍ଷ ତଳେ ଏକ ବିଦେଶୀ ପ୍ରିଣ୍ଟ ମିଡିଆରେ ଭାରତୀୟ ପୁଲିସ ଉପରେ ଦର୍ଶାଯାଇଥିଲା, ସ୍ବାଧୀନ ଭାରତ କିଛି କ୍ଷେତ୍ରରେ ଯଥେଷ୍ଟ ଆଗକୁ ଆସିଛି, ଶାସନ ବ୍ୟବସ୍ଥାରେ ସଂସ୍କାର ଜନଜୀବନକୁ ଗୁଣାତ୍ମକ କରିଛି, କିନ୍ତୁ ଯାହା ବଦଳିନାହିଁ ତାହା ହେଉଛି ପୁଲିସ। ଅନେକ ଦୃଷ୍ଟିରୁ ପୁଲିସ ଉପନିବେଶବାଦୀ ଢାଞ୍ଚାରେ ହିଁ ଯାହା ରହିଯାଇଛି। କାମ ତୁଳନାରେ ଦରମା ନାହିଁ। ଆଧୁନିକ ତାଲିମ ନାହିଁ। ଥାନାରେ ଯେତିକି ସୁରକ୍ଷାକର୍ମୀ ରହିବା କଥା ନାହାନ୍ତି। ଏଣେ ଭାରତରେ ଅପରାଧ ସଂଖ୍ୟା ଅଧିକ। ଆଉ ପୁଲିସ ତଳସ୍ତରରେ ଦୁର୍ନୀତି ଏବଂ ନୃଶଂସତା ସୁସ୍ପଷ୍ଟ। କମ୍‌ ସମୟରେ ଅପରାଧ ସମ୍ପର୍କିତ ଅନୁସନ୍ଧାନ/ପରୀକ୍ଷାନିରୀକ୍ଷା ସାରିବା ପାଇଁ ଥାନାସ୍ତରରେ ସର୍ବନିମ୍ନ ଜ୍ଞାନକୌଶଳ, ସାଜସରଞ୍ଜାମ ନାହିଁ। ଯାହା ଆଧୁନିକ ଜ୍ଞାନକୌଶଳ କରିବା କଥା ସେ କାମଟି ମୋଟା ଲାଠି ଖଣ୍ଡେ ତୁଲାଉଛି। ଆଉ ଏସବୁ ବାଦ୍‌ ରହିଛି ରାଜନୈତିକ ବାଧ୍ୟବାଧକତା।
ଜଣେ ସ୍ତମ୍ଭକାର ଲେଖିଛନ୍ତି, କେଇମାସ ପରେ ହାଇଦ୍ରାବାଦ ଏନ୍‌କାଉଣ୍ଟର ଭାରତୀୟ ପୁଲିସ ଇତିହାସରେ ଅନ୍ୟ ଏକ ଏନ୍‌କାଉଣ୍ଟର ହୋଇ ରହିଯିବ। ୨୦୧୬ରେ ୮ଜଣ ଛାତ୍ରଙ୍କୁ ଭୋପାଳରେ ପୁଲିସ ଏନ୍‌କାଉଣ୍ଟରରେ ମାରି ଦିଆଯାଇଥିଲା। ୨୦୧୮ରେ ତଦନ୍ତ କମିସନ ଦର୍ଶାଇଲେ- ଏନ୍‌କାଉଣ୍ଟର ଯଥାର୍ଥ ଥିଲା। ୨୦୧୫ରେ ଆନ୍ଧ୍ରପ୍ରଦେଶରେ ରକ୍ତ ଚନ୍ଦନ ଚୋରାଚାଲାଣ କରୁଥିବା ଅଭିଯୋଗରେ ୨୦ଜଣ ଏନ୍‌କାଉଣ୍ଟରରେ ପ୍ରାଣ ହରେଇଥିଲେ। ୨୦୧୩ରେ ମୁମ୍ବଇର ଏକ ଅଦାଲତ ୨୧ଜଣଙ୍କୁ ଦଣ୍ଡ ଦେଇଥିଲେ- ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ। ୨୦୦୬ ରାମ ନାରାୟଣ ଗୁପ୍ତା ମାମଲାରେ ଦଣ୍ଡ ପାଇଥିବା ଏଇ ୨୧ଜଣଙ୍କ ମଧ୍ୟରେ ୧୩ଜଣ ପୁଲିସ ସାମିଲ ଥିଲେ। ୨୦୦୫ର ସୋହରାବୁଦ୍ଦିନ୍‌ ସେଖ୍‌ ଏନ୍‌କାଉଣ୍ଟର ଅଭିଯୁକ୍ତମାନେ ଦୋଷମୁକ୍ତ ଘୋଷିତ ହୋଇଥିଲେ ହେଁ ଆଜି ବି ତାହା ବିତର୍କିତ ରହିଛି। ପାଠକମାନଙ୍କୁ ସ୍ମରଣ କରାଇ ଦିଏ, ଦେଢ଼ବର୍ଷ ତଳେ ଜାତୀୟ ମାନବାଧିକାର କମିସନର ସ୍ବତନ୍ତ୍ର ମନିଟର୍‌ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ହର୍ଷ ମନ୍ଦର ଇସ୍ତଫା ଦେଇଥିଲେ ଏଇଥିପାଇଁ ଯେ ଉତ୍ତରପ୍ରଦେଶ ଓ ହରିୟାଣାରେ ପୁଲିସ ଏନ୍‌କାଉଣ୍ଟର ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ଟାର୍ଗେଟ କରିଥିଲେ ହେଁ କମିସନ ନୀରବ ଥିଲେ। ହର୍ଷ ଆସାମର ବିଦେଶୀ ନାଗରିକଙ୍କ ନିର୍ଯାତନା ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଥିଲେ। କେବଳ ୨୦୦୦ରୁ ୨୦୧୭ ପର୍ଯ୍ୟନ୍ତ ଏନ୍‌ଏଚ୍‌ଆର୍‌ସି ୧୭୮୨ ଏନ୍‌କାଉଣ୍ଟର ଘଟଣାର ତଦନ୍ତ ଭାର ନେଇଥିଲେ, ଯେଉଁଥିରୁ ୭୯୪ ମାମଲା ସମ୍ପୃକ୍ତ ଥିଲା କେବଳ ଉତ୍ତରପ୍ରଦେଶ ସହିତ। ଅକ୍ଟୋବର ୨୦୦୬ରେ ସୁପ୍ରିମକୋର୍ଟଙ୍କ ମତ ଥିଲା- ‘‘ମିଥ୍ୟା ଏନ୍‌କାଉଣ୍ଟର ବିରଳତମ ଅପରାଧ ଭାବରେ ଗଣାହେବା କଥା ଏବଂ ଏଥିପାଇଁ ଯେଉଁ ସୁରକ୍ଷା କର୍ମୀ ଦାୟୀ, ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିବା କଥା।’’ ୨୦୧୪ରେ ଉଚ୍ଚତମ ନ୍ୟାୟାଳୟ ଏନ୍‌କାଉଣ୍ଟର ମୃତ୍ୟୁର ତଦନ୍ତ ପାଇଁ ୧୬ଦଫା ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି। ପର୍ଯ୍ୟବେକ୍ଷକଙ୍କ ମତ, ୟାର ସଠିକ୍‌ ଅନୁପାଳନ ହେଉନାହିଁ, ହାଇଦ୍ରାବାଦ ଘଟଣା ୪ଜଣ ଅଭିଯୁକ୍ତ (ମୃତ) ହୁଏତ ଦୋଷୀ ସାବ୍ୟସ୍ତ ହୋଇଥାନ୍ତେ, ତେବେ ପୁଲିସ ହେପାଜତରେ ଥିବାବେଳେ ସେମାନଙ୍କ ଏନ୍‌କାଉଣ୍ଟର ମୃତ୍ୟୁ ଆମ ବ୍ୟବସ୍ଥାର ଅବକ୍ଷୟକୁ ହିଁ ଇଙ୍ଗିତ କରୁଛି। ‘ଏନ୍‌କାଉଣ୍ଟର ଦର୍ଶନ’ ମୌଳିକ ଭାବରେ ଅପରାଧ ଦର୍ଶନ ଏବଂ ସ୍ପଷ୍ଟ ଭାବରେ ଏହା ଆଇନର ପରିପନ୍ଥୀ। ଏନ୍‌କାଉଣ୍ଟର ମନୋରଂଜନ ନୁହେଁ, ହିଂସା ବିଳାସ ନୁହେଁ। ଦୋଷୀକୁ ନିର୍ଦ୍ଧାରିତ ସମୟରେ କଠୋର ଦଣ୍ଡ ଦିଆଯାଉ, କିନ୍ତୁ ପୁଲିସ ଏନ୍‌କାଉଣ୍ଟର ଗାଥା ଆମ ସାଂସ୍କୃତିକ ଅବସ୍ଥାର ଅଂଶବିଶେଷ ନହେଉ।

ଶୈଳେନ୍ଦ୍ର ଦ୍ବିବେଦୀ
ଜଗନ୍ନାଥ ନଗର, ରସୁଲଗଡ଼, ଭୁବନେଶ୍ବର-୧୦
[email protected]

Comments
Loading...