କେନ୍ଦ୍ରାପଡ଼ାରେ ଏନକାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଔଷଧ ବ୍ୟବସାୟୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାର କଳାପୋଲ ନିକଟରେ ପୁଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ ଏବଂ ମିତୁନା ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ୧୮ ତାରିଖ ଦିନ ଘଟିଥିବା ଔଷଧ ବ୍ୟବସାୟୀ ହତ୍ୟାକାଣ୍ଡରେ ଏହି ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଥିଲେ। ଏମାନଙ୍କୁ ଗିରଫ କରିବା ଲାଗି କେନ୍ଦ୍ରାପଡ଼ା ପୁଲିସ ସ୍ବତନ୍ତ୍ର ଯୋଜନା କରିଥିଲା। ଶୁକ୍ରବାର ରାତିରେ ଏମାନେ ଅଙ୍ଗୁଳାଇ ରାସ୍ତାରେ ଯାଉଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିବା ପରେ ମାର୍ଶାଘାଇ ପୁଲିସ ଏବଂ ସ୍ପେଶାଲ ସ୍କ୍ବାଡ୍‌ର ଏକ ଟିମ୍‌ ସେମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲା। କଳାପୋଲ ନିକଟରେ ପୁଲିସ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଅପରାଧୀମାନେ ଖସି ପଳାଇବା ଲାଗି ପୁଲିସ ଉପରକୁ ଗୁଳି ଚଳାଇଥିଲେ। ପୁଲିସ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲା। ଭେଲୁ ଏବଂ ମିତୁନାର ଗୋଡ଼ରେ ପୁଲିସ ଗୁଳି ବାଜିଥିଲା। ଉଭୟ ଅପରାଧୀଙ୍କ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି।

Comments are closed.