ସୋପିଆନରେ ଏନକାଉଣ୍ଟର, ଆଇଏସ୍‌ କମାଣ୍ଡର ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନର ଆଶିପୋରା ଅଞ୍ଚଳରେ ଶୁକ୍ରବାର ଭୋର ସମୟରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ତାଙ୍କ ନାମ ଇଶାକ ସୋଫି ଏବଂ ଘର ସୋପୋର ଅଞ୍ଚଳରେ। ଇଶାକ୍‌ ଇସଲାମିକ ଷ୍ଟେଟ(ଆଇଏସ) ଜାମ୍ମୁ-କାଶ୍ମୀରର କମାଣ୍ଡର ଥିଲେ। ସେ ୨୦୧୫ରେ ହରକୁଟ ମୁଜାହିଦ୍ଦିନରେ ସାମିଲ ହୋଇଥିଲେ ଏବଂ ପରେ ୨୦୧୮ରେ ଆତଙ୍କବାଦୀ ସଂଗଠନ ଆଇଏସରେ ଯୋଗଦେଇଥିଲେ।

ଇଶାକଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଗୁରୁବାର ବିଳମ୍ବିତ ରାତିରେ ଯବାନମାନେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଆତଙ୍କୀମାନେ ଲୁଚି ରହିଥିବା ସ୍ଥାନକୁ ଯବାନମାନେ ଘେରିଯାଇଥିଲେ। ଆତଙ୍କୀମାନେ ସେଠାରୁ ଖସିବାକୁ ଉଦ୍ୟମ କରି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ସେଠାରେ ଆଉ କେତେଜଣ ଆତଙ୍କୀ ଲୁଚି ରହିଛନ୍ତି। ଫଳରେ ସକାଳ ୮ଟା ସୁଦ୍ଧା ମିଳିଥିବା ଖବର ମୁତାବକ ଆତଙ୍କୀଙ୍କ ସହିତ ଯବାନମାନଙ୍କ ଗୁଳିବିନିମୟ ଜାରି ରହିଥିଲା।

Comments are closed.