ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଗୁରୁତର; ୪ ପୁଲିସ କର୍ମଚାରୀ ଆହତ

ଗଞ୍ଜାମ: ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରେ ଗୁରୁବାର ରାତିରେ ପୁଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଗୁଳିବିନିମୟ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ବାଇଁ ଗୁରୁତର ଆହତ ହୋଇଛି। ମନୋଜ ନାମରେ ଏକାଧିକ ଆପରାଧିକ ମାମଲା ରହିଛି। ତେଣୁ ତାକୁ ଧରିବାକୁ ପୁଲିସ ଗୁରୁବାର ରାତିରେ ଖଲ୍ଲିକୋଟ ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ସମୟରେ ମନୋଜ ଏବଂ ତା’ର ସହଯୋଗୀ ପୁଲିସକୁ ଦେଖି ଫେରାର ହେବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ପିଛା କରିବାରୁ ମନୋଜ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବରେ ପୁଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ମନୋଜ ବାମ ଗୋଡ଼ରେ ଏକ ଗୁଳି ବାଜିଥିବାବେଳେ ଏନକାଉଣ୍ଟର ସମୟରେ ଖଲ୍ଲିକୋଟ ଥାନା ଇନ୍ସପେକ୍ଟରଙ୍କ ସମେତ ୪ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ମନୋଜକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତା’ ନିକଟରୁ ପୁଲିସ ଗୋଟିଏ ମାଉଜର, ୨ଟି ଗୁଳି ଏବଂ ଏକ ମାଗାଜିନ ଜବତ କରିଛି। ଘଟଣାସ୍ଥଳରୁ ମନୋଜର ଜଣେ ସହଯୋଗୀ ଫେରାର ହୋଇଯାଇଛି।

Comments are closed.