ଭୁବନେଶ୍ଵର ଓ ଖୋର୍ଦ୍ଧାରେ ଏନକାଉଣ୍ଟର, ଧରାପଡ଼ିଲେ ୨ ଦୁର୍ଦ୍ଦାନ୍ତ ଅପରାଧୀ

ଭୁବନେଶ୍ଵର/ଖୋର୍ଦ୍ଧା: ରାଜଧାନୀ ଭୁବନେଶ୍ଵର ଏବଂ ଖୋର୍ଦ୍ଧାରେ ଦୁଇଟି ଏନକାଉଣ୍ଟର ଘଟିଛି। ଫଳରେ ପୁଲିସ ହାତରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଧରାପଡ଼ିଛନ୍ତି। ଭୁବନେଶ୍ଵରରେ ହୋଇଥିବା ଏନକାଉଣ୍ଟରରେ ଅପରାଧୀ ସୁଶାନ୍ତ ମାଝି ଆହତ ହୋଇଥିବାବେଳେ ଖୋର୍ଦ୍ଧାରୁ ଜାମସେଦ ଖାନ ଧରାପଡ଼ିଛି।

ସୂଚନା ମୁତାବକ, ନୟାଗଡ଼ ହାଟବସ୍ତା ଅଞ୍ଚଳର ସୁଶାନ୍ତ ମାଝି ଏକ ଡକାୟତି ଯୋଜନା ପାଇଁ ନୟାଗଡ଼ରୁ ଭୁବନେଶ୍ଵର ଆସୁଥିଲା। କୌଣସି ସୂତ୍ରରୁ ଏ ସମ୍ପର୍କରେ ଖବରପାଇ ଭୁବନେଶ୍ଵର କଳିଙ୍ଗନଗରର କେ-୭ ଅଞ୍ଚଳରେ ପୁଲିସ ତାଙ୍କୁ ଧରିବା ଲାଗି ଉଦ୍ୟମ କରିଥିଲା। ଏହି ସମୟରେ ସୁଶାନ୍ତ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପୁଲିସ ମଧ୍ୟ ପାଲଟା ଗୁଳି କରିଥିଲା। ସୁଶାନ୍ତ ବାମ ଗୋଡ଼ରେ ପୁଲିସ ଗୁଳି ବାଜିଥିଲା। ଆହତ ଅବସ୍ଥାରେ ତା’କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୁଶାନ୍ତଠାରୁ ପୁଲିସ ଗୋଟିଏ ବ୍ୟାଗ୍‌, ବନ୍ଧୁକ ଓ ୫ ରାଉଣ୍ଡ ଗୁଳି ଜବତ କରିଛି। ସୁଶାନ୍ତ ନାଁରେ ଏକାଧିକ ଡକାୟତି ସହିତ ହତ୍ୟା ଉଦ୍ୟମ ମାମଲା ରହିଛି। ଟାଙ୍ଗୀରୁ ୬୦ ଲକ୍ଷ ଟଙ୍କା ଲୁଟ୍‌ ମାମଲାରେ ମଧ୍ୟ ତା’ର ସମ୍ପୃକ୍ତି ରହିଥିବା ପୁଲିସ ସୂଚନା ଦେଇଛି।

ସେହିପରି ଖୋର୍ଦ୍ଧା ରାମେଶ୍ଵର ନିକଟରେ ନିରାକାରପୁର ଏବଂ ଟାଙ୍ଗୀ ପୁଲିସର ମିଳିତ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜାମସେଦ ଖାନ ଆହତ ହୋଇଛି। ତା’କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲ ଏବଂ ପରେ ଭୁବନେଶ୍ଵର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ଜାମସେଦକୁ ଧରିବା ଲାଗି ୨ଟି ଥାନାର ଆଇଆଇସିଙ୍କୁ ନେଇ ଏକ ଟିମ୍‌ ଗଠନ ହୋଇଥିଲା। ଜାମସେଦ ରାମେଶ୍ଵର ଅଞ୍ଚଳରେ ଥିବା ଖପର ପାଇ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଜାମସେଦ ପୁଲିସ ଉପରକୁ ବୋମା ମାଡ଼ କରିଥିଲା। ଏଥିରେ ଉଭୟ ଥାନାର ଆଇଆଇସିଙ୍କ ସମେତ ଅନ୍ୟ ୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଜାମସେଦ ନାଁରେ ଖୋର୍ଦ୍ଧାର ବିଭିନ୍ନ ଥାନାରେ ମାମଲା ରହିଥିବା ପୁଲିସଠାରୁ ସୂଚନା ମିଳିଛି।

Comments are closed.