ଅନନ୍ତନାଗରେ ଏନକାଉଣ୍ଟର; ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲା ଅନ୍ତର୍ଗତ ନୌଗାମ ଶାହବାଦରେ ଶନିବାର ଭୋର ସମୟରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ଜୈଶ ଆତଙ୍କବାଦୀ ସଂଗଠନର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହିତ ସେଠାରେ ଆହୁରି ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବାବେଳେ ଯବାନମାନେ ସେମାନଙ୍କୁ ଘେରି ରହିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ତେବେ ନିହତ ଆତଙ୍କବାଦୀଙ୍କ ମୃତଦେହ ଜବତ ହୋଇପାରି ନ ଥିବାବେଳେ ତାଙ୍କ ନାମ ମହମ୍ମଦ ଇକବାଲ ବୋଲି ଜଣାପଡ଼ିଛି।

ଚଳିତବର୍ଷ ଜୁନ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ସେନାର କାର୍ଯ୍ୟାନୁଷ୍ଠାନ ଫଳରେ ୧୦୬ରୁ ଅଧିକ ଆତଙ୍କବାଦୀ ନିହତ ହୋଇସାରିଲେଣି। ଗତବର୍ଷ ମୋଟ ୨୫୪ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ମାରିଥିଲେ। ଏହାସହିତ ଏବର୍ଷ ଜୁନ ୬ ସୁଦ୍ଧା ପାକିସ୍ତାନ ପକ୍ଷରୁ ସୀମାନ୍ତରେ ୧୧୭୦ ଥର ଯୁଦ୍ଧବିରତି ଉଲ୍ଲଂଘନ କରାଯାଇଛି। ୨୦୧୮ରେ ପାକିସ୍ତାନ ଦ୍ବାରା ୧୬୨୯ ଥର ଯୁଦ୍ଧବିରତି ଉଲ୍ଲଂଘନ କରାଯାଇଥିଲା।

Comments are closed.