ସୁରକ୍ଷା ବାହିନୀ ଗୁଳିରେ ଦୁଇ ଜେଇଏମ୍‍ ଆତଙ୍କବାଦୀ ମୃତ

0

ଶ୍ରୀନଗର : ଜାମ୍ମୁ କାଶ୍ମୀର ପୁଲୱାମା ଜିଲା ତ୍ରାଲଠାରେ ମଙ୍ଗଳବାର ସୁରକ୍ଷା ବାହିନୀଙ୍କ ଗୁଳିରେ ଜୈଶ ଇ ମହମ୍ମଦ (ଜେଇଏମ୍‍)ର ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଉଚ୍ଚପ୍ରଶିକ୍ଷିତ ସ୍ନାଇପର (ସଠିକ୍‍ ଲକ୍ଷ୍ୟ ଭେଦ କରିପାରୁଥିବା ବନ୍ଧୁକଧାରୀ) ବୋଲି ଜଣାପଡ଼ିଛି।
ତ୍ରାଲଠାରେ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ମଙ୍ଗଳବାର ସକାଳେ ସୁରକ୍ଷା ବାହିନୀଙ୍କୁ ସୂଚନା ମିଳିଥିଲା। ସୂଚନା ଆଧାରରେ ସୁରକ୍ଷା ବାହିନୀ ତ୍ରାଲ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଆରମ୍ଭ କରିଥିଲେ। ଅପରାହ୍ନରେ ଖସିଯିବାକୁ ଉଦ୍ୟମ କରି ଆତଙ୍କବାଦୀମାନେ ଏକ ଘର ମଧ୍ୟରେ ଲୁଚି ରହି ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ପ୍ରତିଜବାବରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଗୁଳି ବିନିମୟ କରାଯାଇଥିଲା। ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସୁରକ୍ଷା ବାହିନୀ କହିବା ପରେ ବି ସେମାନେ ଶୁଣିନଥିଲେ। ଶେଷରେ ସୁରକ୍ଷା କର୍ମୀ ସେହି ଘରଟିକୁ ରକେଟ ଓ ଗ୍ରେନେଡ଼ ମାରି ଉଡ଼ାଇ ଦେଇଥିଲେ।
ଏହା ପୂର୍ବରୁ ସୋମବାର ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ତ୍ରାଲ ଅଞ୍ଚଳରେ ଥିବା ସେନାର ୪୨ ଆରଆର ଶିବିର ଉପରକୁ ଗୁଳିମାଡ଼ କରିଥିଲେ। ସେନା ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନରେ ଗୁଳି ବିନିମୟ କରାଯାଇଥିଲା। ତେବେ ରାତି ଅନ୍ଧାରରେ ଫାଇଦା ନେଇ ଆତଙ୍କବାଦୀମାନେ ଖସି ଯିବାରେ ସଫଳ ହୋଇଥିଲେ। ତ୍ରାଲ ଅଞ୍ଚଳରେ ସୁରକ୍ଷା ବାହିନୀର ତଲାସୀ ଅଭିଯାନ ଜାରି ରହିଛି।

Leave A Reply