ବେକାରି ଦୂରୀକରଣ ପାଇଁ ନୂଆ ଯୋଜନା, ଆରମ୍ଭ ହେବ ସ୍ବତନ୍ତ୍ର ପାଠ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟରେ ବେକାରି ସମସ୍ୟାକୁ ଦୂରୀକରଣ କରିବାକୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଉଚ୍ଚଶିକ୍ଷାରୁ ବଞ୍ଚିତ ଯୁବବର୍ଗଙ୍କ ଦକ୍ଷତା‌ ବିକାଶ କରି ସେମାନଙ୍କୁ ସ୍ବାବଲମ୍ବୀ କରିବାକୁ ପରିକଳ୍ପନା କରିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)। ଏନେଇ ଚଳିତବର୍ଷ ଏହି ପ୍ରକଳ୍ପ ଆରମ୍ଭ ହେବ। ଏଥିପାଇଁ ଯୁବବର୍ଗଙ୍କୁ ଦକ୍ଷତା ବିକାଶ ପାଠ୍ୟକ୍ରମ ପ୍ରଦାନ କରାଯିବା ସହ ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ଏହି ପାଠ୍ୟକ୍ରମ ସରିବା ପରେ ପ୍ରମାଣପତ୍ର (ସାର୍ଟିଫିକେଟ୍‌) ମଧ୍ୟ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯିବ।

ଓୟୁଏଟି ପକ୍ଷରୁ ଚଳିତବର୍ଷ ପ୍ରାରମ୍ଭିକ ଭାବେ ରାଜ୍ୟର ୬ଟି ଖଣିଜ ସମ୍ପଦ ଥିବା ଜିଲାରେ ଏହି ପ୍ରକଳ୍ପ ଆରମ୍ଭ କରାଯିବ। ଏହି ପ୍ରକଳ୍ପରେ ଯୁବବର୍ଗଙ୍କୁ ୬ ମାସର ଦକ୍ଷତା ବିକାଶ ପାଠ୍ୟକ୍ରମ ପ୍ରଦାନ କରାଯିବ। ସେହିପରି ଅବଶିଷ୍ଟ ୬ ମାସରେ ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ମୁଖ୍ୟତଃ ଯୁବପିଢିଙ୍କୁ ବିଭିନ୍ନ ଅତ୍ୟାଧୁନିକ ଚାଷ ଓ ଉଦ୍ୟୋଗପତି ହେବା ନେଇ ପାଠ ପଢାଯିବା ସହ ଅଭିଜ୍ଞ ବିଶେଷଜ୍ଞଙ୍କ ଦ୍ବାରା ପ୍ରଶିକ୍ଷଣ ଦିଆଯିବ। ଏହି ପାଠ୍ୟକ୍ରମର ଅବଧି ଏକ ବର୍ଷ ରହିଛି। ଖୁବ୍‌ଶୀଘ୍ର ପାଠପଢା ପାଇଁ ମାନଦଣ୍ଡ ସ୍ଥିର କରାଯିବ। ବିଶ୍ବବିଦ୍ୟାଳୟ ପକ୍ଷରୁ ଏନେଇ ନିୟମାବଳୀ ପ୍ରସ୍ତୁତ କରାଯାଉଛି। କେଉଁମାନେ ଏହି ପାଠ ପଢିପାରିବେ ଓ ଏନେଇ କ’ଣ ଯୋଗ୍ୟତା ରହିବ ସେନେଇ ନୀତି ନିର୍ଦ୍ଧାରଣ କରାଯିବ।

Comments are closed.