ତିନି ସେନାଙ୍କୁ ମିଳିଲା ସୁରକ୍ଷା ଉପକରଣ କିଣିବାର ଜରୁରିକାଳୀନ କ୍ଷମତା

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସୀମାରେ ସୁରକ୍ଷାକୁ ଆହୁରି କଡାକଡି କରିବା ପାଇଁ  ଜଳ, ସ୍ଥଳ ଓ ବାୟୁ ସେନାକୁ ସୁରକ୍ଷା ଉପକରଣ କିଣିବାକୁ କେନ୍ଦ୍ର ସରକାର ଜରୁରିକାଳୀନ କ୍ଷମତା ଦେଇଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରତି ସେନା ୩୦୦ କୋଟି ଟଙ୍କା ମଧ୍ୟରେ ସୁରକ୍ଷା ଉପକରଣ କିଣିପାରିବେ । ଏଥିପାଇଁ ୩ ମାସ ସମୟ ଦିଆଯାଇଛି । ଜରୁରୀକାଳିନ ଅଧିକାର ଆଧାରରେ ସୁରକ୍ଷା ଉପକରଣ କିଣିବା ପାଇଁ ସେନାଙ୍କୁ ପ୍ରତିରକ୍ଷା ଆର୍ଥିକ ବିଭାଗର ଆର୍ଥିକ ପରାମର୍ଶଦାତାଙ୍କ ସହମତି ଆବଶ୍ୟକ ନାହିଁ ବୋଲି କୁହାଯାଇଛି ।

 

ସୂଚନା ଅନୁଯାୟୀ, ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସୀମାରେ ଭାରତ ପକ୍ଷରୁ ସୁରକ୍ଷାକୁ ଆହୁରି ବଢାଇ ଦିଆଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ତିନି ସେନାର ବିଭିନ୍ନ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଇସ୍ରାଇଲରୁ ୨୫୦ ସ୍ପାଇକ୍ କ୍ଷେପଣାସ୍ତ୍ର କିଣିବା ପାଇଁ ସେନା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏହା ସୁରକ୍ଷାର ଜରୁରୀକାଳିନ ଆବଶ୍ୟକତାକୁ ପୂରଣ କରିପାରିବ । ସେହିପରି ଅନ୍ତଃରାଷ୍ଟ୍ରୀୟ ବଜାରରୁ କିଛି କ୍ଷେପଣାସ୍ତ୍ର କିଣିବା ପାଇଁ ବାୟୁ ସେନା ପକ୍ଷରୁ ମଧ୍ୟ କୁହାଯାଇଥିଲା।

Comments are closed.