ଯମୁନା ଏକ୍ସପ୍ରେସୱେରେ ଜରୁରୀ ଅବତରଣ କଲା ବିମାନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମଥୁରା ଜନପଦରେ ଯମୁନା ଏକ୍ସପ୍ରେସ୍‌ୱେ ଏକ ବିମାନ ଜରୁରୀ ଅବତରଣ କରିଛି। ଦୁଇ ଆସନ ବିଶିଷ୍ଟ ଏକ ଛୋଟ ଏୟାରକ୍ରାଫ୍ଟ ହଠାତ୍‌ ରାଜପଥରେ ଅବତରଣ କରିଥିଲା। ଅବତରଣ ପୂର୍ବରୁ ରାଜପଥରେ ଯାନବାହନ ଚଳାଚଳକୁ କିଛି ସମୟ ବନ୍ଦ କରିଦିଆଯାଇଥିଲା। ତେବେ ଅବତରଣ ପରେ ଯାନବାହାନ ଚଳାଚଳ ପୁଣି ଆରମ୍ଭ ହୋଇଥିଲା। ବିମାନର ପାଇଲଟ୍‌ ଏବଂ ସହପାଇଲଟ୍‌ ଉଭୟେ ସୁରକ୍ଷିତ ରହିଛନ୍ତି।

ସୂଚନା ଅନୁସାରେ, ବିମାନଟି ଅଲୀଗଡ଼ରୁ ଉଡ଼ାଣ ଆରମ୍ନଭ କରି ନାରନୌଲ ଯାଉଥିଲା। ତେବେ ମଝି ଆକାଶରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାଇଲଟ୍‌ ଜରୁରୀ ଅବତରଣ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ବିମାନ ଅବତରଣ ଖବର ପ୍ରଚାରିତ ହେବା ପରେ ଆଖପାଖର ଲୋକେ ବିମାନକୁ ଦେଖିବା ଲାଗି ଭିଡ଼ ଜମାଇଥିଲେ। ଏକ୍ସପ୍ରେସୱେ କର୍ମଚାରୀମାନେ ଲୋକଙ୍କୁ ବିମାନ ନିକଟକୁ ଯିବାକୁ ବାରଣ କରିଥିଲେ।

Comments are closed.