ଟୋକିଓରେ ବଢ଼ୁଛି କରୋନା ସଂକ୍ରମଣ : ଜରୁରୀ କାଳୀନ ପରିସ୍ଥିତି ଘୋଷଣା କଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ : ଜାପାନ ରାଜଧାନୀ ଟୋକିଓରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ଯାହା ଆଶଙ୍କା କରା ଯାଉଥିଲା; ତାହା ହିଁ ଘଟିଛି। ଗୁରୁବାର ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା ଅଲିମ୍ପିକ୍‌ସକୁ ଦୃଷ୍ଟିରେ ରଖି ଟୋକିଓ ସହରରେ ଭୂତାଣୁ ଜନିତ ଜରୁରୀ କାଳୀନ ପରିସ୍ଥିତି ଜାରି କରିଛନ୍ତି। ଫଳରେ ନିଶ୍ଚିତ ହୋଇଯାଇଛି ଯେ ଅଲିମ୍ପିକ୍‌ସ ଇତିହାସରେ ପ୍ରଥମ କ୍ରୀଡ଼ା ଭାବେ ଟୋକିଓ ଅଲିମ୍ପିକ୍‌ସ ବିନା ଦର୍ଶକରେ ଆୟୋଜନ ହେବ। କ୍ରୀଡ଼ା ଆରମ୍ଭହେବାକୁ ଆଉ ମାତ୍ର ୨ ସପ୍ତାହ ବାକିଥିବା ବେଳେ ଜାପାନ ସରକାର ଏପରି କଠୋର ନିଷ୍ପତ୍ତି ନେଇଛନ୍ତି।
ଏବେ ମଧ୍ୟ ଟୋକିଓ ସହରରେ ଜରୁରୀ କାଳୀନ ପରିସ୍ଥିତି ଥିଲେ ହେଁ ରବିବାର ଏହା ସମାପ୍ତ ହୋଇଯିବ। ସୋମବାରଠାରୁ ଏହି ଭୂତାଣୁ ଜନିତ ଜରୁରୀ କାଳୀନ ପରିସ୍ଥିତି ଆରମ୍ଭହୋଇ ଅଲିମ୍ପିକ୍‌ସ ସମାପ୍ତ ପର୍ଯ୍ୟନ୍ତ ବଳବତ୍ତର ରହିବ। ପ୍ରଧାନମନ୍ତ୍ରୀ ସୁଗା କହିଛନ୍ତି, କୋଭିଡ୍‌-୧୯ର ଡେଲ୍‌ଟା ପ୍ରଜାତିର ପ୍ରଭାବକୁ ଦୃଷ୍ଟିରେ ରଖି ଏବଂ ଭୂତାଣୁ ସଂକ୍ରମଣ ସାରାଦେଶରେ ବ୍ୟାପିବାରୁ ରୋକିବା ପାଇଁ ଆମକୁ ଏପରି କଠୋର ନିଷ୍ପତ୍ତି ନେବାକୁ ପଡ଼ିଛି। ଜାପାନର କୋଭିଡ୍‌ ପରିଚାଳନା ମନ୍ତ୍ରୀ ୟାସୁତୋସି ନିଶିମୁରା କହିଛନ୍ତି, ଲୋକମାନଙ୍କ ଚଳପ୍ରଚଳ ବୃଦ୍ଧିହେଲେ ଅଧିକ ସଂକ୍ରମିତ ହେଉଥିବା ଡେଲ୍‌ଟା ପ୍ରଜାତିର ଭୁତାଣୁ ଘାତକ ହୋଇପାରେ। କରୋନା ସଂକ୍ରମିତ ହୋଇଥିବା ଜାପାନବାସୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଡେଲ୍‌ଟା ପ୍ରଜାତି ଦ୍ବାରା ସଂକ୍ରମିତ। ଏହା ଅଧିକ ବଢ଼ିବ ବୋଲି ଆଶଙ୍କା ରହିଛି। ଏହାସହ ନିଶିମୁରା ଏହା ମଧ୍ୟ କହିଛନ୍ତି ଯେ ଭୂତାଣୁ ଜରୁରୀ କାଳୀନ ପରିସ୍ଥିତିରେ ବାର୍ ଓ ରେଷ୍ଟୁରାଣ୍ଟରେ ମଦକୁ ନିଷିଦ୍ଧ କରାଯାଇଛି। ସେଗୁଡ଼ିକ ରାତି ୮ଟା ସୁଦ୍ଧା ବନ୍ଦହେବ। ସପ୍ତାହକ ତଳେ ଟୋକିଓରେ ଦୈନିକ ୬୭୩ ନୂଅା କରୋନା ସଂକ୍ରମିତ ଥିବା ବେଳେ ଗୁରୁବାର ଏହା ୮୯୬କୁ ବୃଦ୍ଧିପାଇଛି। କ୍ରମାଗତ ୧୯ ଦିନ ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

Comments are closed.