ଆଉ ୫୦୦ ନୁହେଁ, ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜୋରିମାନା

ଦିଲ୍ଲୀ: ମାସ୍କ ନ ପିନ୍ଧିଲେ ଆଉ ୫୦୦ ନୁହେଁ, ପୁରା ୨୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଏପରି ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ଦିଲ୍ଲୀ ଉପଜିଲାପାଳ । ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି ଯେ ପୂର୍ବରୁ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ୁଥିଲା, ମାତ୍ର ଏବେ ତାହାକୁ ୨୦୦୦ ଟଙ୍କା କରାଯାଇଛି । ଏହା ସହ ଏହି ସମୟରେ କରୋନାକୁ ନେଇ ରାଜନୀତି ନ କରିବା ଓ ଘରେ ଛଟ୍ ପର୍ବ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ରାଜନୀତି କରିବାର ଏହା ସମୟ ନୁହେଁ।  ଏହା ହେଉଛି  ସେବା କରିବାର ସମୟ ।  ଆମେ ଯେତେ ଲୋକ ସେବା କରିବା, ସେତେ ଅଧିକ ଲୋକ ଆମକୁ ମନେ ରଖିବେ | ଭବିଷ୍ୟତରେ ଲୋକମାନେ ମନେ ରଖିବେ ଯେ ଦିଲ୍ଲୀ କିପରି କରୋନା ଯୁଦ୍ଧରେ ଲଢ଼େଇ କରିଥିଲା । ଆମେ ଚାହୁଁଛୁ ଭାଇ ଓ ଭଉଣୀମାନେ ଛଟ୍ ପୂଜାକୁ ବହୁତ ଭଲ ଭାବରେ ପାଳନ କରନ୍ତୁ । ମାତ୍ର ଗୋଟିଏ ସଂକ୍ରମିତ ବ୍ୟକ୍ତି ଅନେକଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ଛଟ ପୂଜା ପାଇଁ ଘାଟକୁ ଯାଇଥିବା କୌଣସି ବ୍ୟକ୍ତି ଯଦି ସଂକ୍ରମିତ ଥାଆନ୍ତି, ତେବେ ଏହାଦ୍ବାରା ଅନେକ ଲୋକ ସଂକ୍ରମିତ ହୋଇପାରନ୍ତି । ତେଣୁ ଘରେ ଛଟ୍ ପର୍ବ ପାଳନ କରନ୍ତୁ । ଅନେକ ରାଜ୍ୟ ଏପରି ନିଷେଧାଦେଶ ଜାରି କରିଛନ୍ତି । ଦିଲ୍ଲୀ ଏହାମଧ୍ୟରୁ ଅନ୍ୟତମ । ଆମେ ଚାହୁଁଛୁ କରୋନା ସଂକ୍ରମଣ ନ ବଢ଼ୁ, ତେଣୁ ଲୋକମାନେ ଏଥିରେ ସହଯୋଗ କରିବା ଆବଶ୍ୟକ ବୋଲି କେଜରିୱାଲ କହିଛନ୍ତି ।

Comments are closed.