ହାତୀ ଭାଙ୍ଗିଲା ଘର: କାନ୍ଥ ପଡି ୨ଶିଶୁ ଆହତ, ବହୁ ଆସବାବପତ୍ର ନଷ୍ଟ

ଦେବଗଡ: ଦେବଗଡ ବନଖଣ୍ଡ ତିଲେଇବଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଝରାଗୋଗୁଆ ଓ କାଶୋରଲଇ ଗ୍ରାମରେ ରବିବାର ରାତିରେ ଏକ ଦନ୍ତାହାତୀ ପଶି ୪ଟି ଘର ଭାଙ୍ଗିବାସହ ବହୁ ଆସବାବ ପତ୍ର ନଷ୍ଟ କରିଦେଇଛି। ଏହା ସହ ହାତୀଟି ଘର ଭାଙ୍ଗୁଥିବା ସମୟରେ କାନ୍ଥ ପଡି ୨ଜଣ ଶିଶୁ ଆହତ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଲଇମୁରା ଫରେଷ୍ଟ ସେକ୍ସନ ଅଂଚଳରୁ ଏକ ଦନ୍ତାହାତୀ ତିଲେଇବଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଝରାଗୋଗୁଆ ବିଟ ଅଂଚଳରେ ପଶି ଝରାଗୋଗୁଆ ଗ୍ରାମର ରବି କିସାନଙ୍କର ଘର ଭାଙ୍ଗିଦେବା ସହ ବହୁ ଆସବାବ ପତ୍ର ମାଡିଦଳି ନଷ୍ଟ କରିଥିଲା। ଏଥିସହ ଉକ୍ତ ବିଟ ଅଂଚଳର କାଶୋରଲଇ ଗ୍ରାମରେ ପଶି ଗ୍ରାମର ଯୋଗେଶ୍ୱର ମୁଣ୍ଡା, ନୃପତି ଝାଙ୍କର ଓ ଗୋପାଳ କିସାନଙ୍କର ଘର ଭାଙ୍ଗିଦେଇଥିଲା। ସେମାନଙ୍କ ଘରେ ଥିବା ଧାନ, ଚାଉଳ ଓ ଫଳ ଇତ୍ୟାଦି ଖାଇଦେବା ସହ ବହୁ ଆସବାବପତ୍ର ମାଡିଦଳି ନଷ୍ଟ କରିଥିଲା। ହାତୀଟି ଘର ଭାଙ୍ଗୁଥିବା ଭୟରେ ବାହାରକୁ ବାହାରି ନ ପାରି ଜୀବନ ବିକଳରେ ଘର ମଧ୍ୟରେ ଲୁଚି ରହିଥିବା ଯୋଗେଶ୍ୱର ମୁଣ୍ଡାଙ୍କ ପୁଅ ସୁବାସ ମୁଣ୍ଡା ଓ ଝିଅ ସଉକିନୀ ମୁଣ୍ଡାଙ୍କ ଉପରେ ଘରର ଭଙ୍ଗା କାନ୍ଥ ପଡି ସେମାନେ ଆହତ ହୋଇଥିଲେ। ପରେ ହାତୀଟି ଲଇମୁରା ଅଂଚଳକୁ ଫେରିଯାଇଥିବା ଜଣାପଡିଛି।

ସୂଚନା ପାଇ ତିଲେଇବଣି ଫରେଷ୍ଟର ସୁଧାଂଶୁ ବେହେରା ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିବାସହ ଆହତ ସୁବାସ ଓ ସଉକିନୀଙ୍କୁ ତିଲେଇବଣି ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିବା ଜଣାପଡିଛି। ହାତୀ ଉପଦ୍ରବରେ କ୍ଷତିଗ୍ରସ୍ତମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବନ ବିଭାଗ ପକ୍ଷରୁ ସେମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ସମ୍ପୃକ୍ତ ଅଞ୍ଚଳବାସୀ ଦାବୀ ଜଣାଇଛନ୍ତି।

Comments are closed.