ପୁଣିଥରେ ଯାଜପୁରକୁ ଫେରିଲା ନରହନ୍ତା ଦନ୍ତା

ଯାଜପୁର: ପୁଣିଥରେ ଯାଜପୁରକୁ ଫେରିଛି ବିଗତ ଦଶଦିନ ଧରି ଯାଜପୁରର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଇଥିବା ନରହନ୍ତା ଦନ୍ତାହାତୀ। ମଙ୍ଗଳବାର ହାତୀକୁ ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରୁ ଉଦ୍ଧାର କରି କଟକ କୁସୁନପୁର ଅଞ୍ଚଳକୁ ବନ ବିଭାଗ ପକ୍ଷରୁ ନିଆଯାଉଥିବା ବେଳେ ବାଟରେ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡିଥିଲା । ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତ ଦଶଦିନ ଧରି ଉପଦ୍ରବ କରିବା ସହ ଚାରି ଜଣଙ୍କ ଜୀବନ ନେଇଥିଲା ଦନ୍ତା। ଆହୁରି ମଧ୍ୟ ଦନ୍ତା ଆକ୍ରମଣରେ  ୧୦ଜଣ ଲୋକେ ଆହାତ ହୋଇଥିଲେ। ବିନବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ କରାଯାଇଥିବା ଏହି  ନରହନ୍ତା ହାତୀର ଉପଦ୍ରବ ଦେଖି ଭୟରେ କଟକ ଜିଲ୍ଲାରେ ଏହାକୁ ବିରୋଧ କରାଯାଇଥିଲା । ଫଳରେ ବନ ବିଭାଗ ପକ୍ଷରୁ ହାତୀକୁ ଫେରାଇ ଆଣି ଚଣ୍ଡିଖୋଲ ସ୍ଥିତ ଏକ ଫାର୍ମ ହାଉସରେ ଛଡା ଯାଇଛି । ହାତୀର ଗୋଡ଼କୁ ଶିକୁଳିରେ ବନ୍ଧା ଯାଇ ତାର ଚିକିତ୍ସା ଜାରି ରହିଛି । ହାତୀଟି ସୁସ୍ଥ ହେବା ପରେ କୌଣସି ଜଙ୍ଗଲ କିମ୍ବା ନନ୍ଦନକାନନରେ ଛଡା ଯିବ ବୋଲି କୁହାଯାଉଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଠାରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Comments are closed.