ବିଳମ୍ବିତ ରାତିରେ ବ୍ୟାପକ ଧାନ ଫସଲ ନଷ୍ଟ କଲେ ହାତୀପଲ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଡୁମୁରିଆ ଗ୍ରାମର ଚାଷଜମିରେ ଗତ ବିଳମ୍ବିତ ରାତିରେ ୧୯ ଘରିଆ ହାତୀ ପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ବିଳମ୍ବିତ ରାତିରେ ଡୁମୁରିଆ ଗ୍ରାମର ଗୈାରହରୀ ନାଏକଙ୍କ ପାଚିଲା ଧାନ ବିଲରେ ପଶି ପାଖାପାଖି ଏକରେରୁ ଉର୍ଦ୍ଧ୍ୱ ଧାନ ଫସଲ ଖାଇବା ସହ ମାଡି ଦଳି ନଷ୍ଟ କରିଛନ୍ତି ଏବଂ ଅମଳ ପାଇଁ ରଖାଯାଇଥିବା ଦେଢ଼ଶହ ଧାନବିଡା ଖାଇ ଦେଇଛନ୍ତି ଏହି ହାତୀ ପଲ । ଏହା ସହ ଗ୍ରାମର ଲକ୍ଷ୍ମୀଧର ନାଏକ ଓ ବିଦ୍ୟାଧର ମହାନ୍ତଙ୍କ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଆଜି ଭୋରରୁ ଏହି ହାତୀ ପଲ ଅଟେଇ ସଂରକ୍ଷିତ ଜଙ୍ଗଲର ବଣମହୁଲଡିହା ଗ୍ରାମ ପାତୁଳି ସାହି ଜଙ୍ଗଲରେ ଡେରା ପକାଇଛନ୍ତି । ଏହି ହାତୀ ପଲରେ ତିନୋଟି ଦନ୍ତା ଓ ଦୁଇଟି ଛୁଆ ହାତୀ ଥିବା ଜଣାପଡିଛି । ଗତ ଦୁଇ ଦିନ ହେଲା ଏହି ହାତୀ ପଲ ଡୁମୁରିଆ, ପଲାଣଘାଟି, ଚିନାମାଳିପଶି ଅଞ୍ଚଳରେ ଧାନ ଫସଲରେ କ୍ଷୟକ୍ଷତି ଘଟାଇ ଥିବାରୁ ଏହି ହାତୀ ପଲଙ୍କ ଚଳାଚଳ ଉପରେ ବନ ବିଭାଗ ସତର୍କ ଦୃଷ୍ଟି ରଖିଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।

Comments are closed.