ହାତୀଛୁଆର ମୃତଦେହ ଉଦ୍ଧାର

ତାଳଚେର: ଅନୁଗୋଳ ଜିଲା ତାଳଚେର ବ୍ଲକର ସନ୍ଥପଡ଼ା ପଞ୍ଚାୟତ ଅନ୍ତର୍ଗତ ଦାସନାଳୀ ଗ୍ରାମ ନିକଟରେ ଥିବା ଆଶପଣ୍ଡ ପୋଖରୀ ନିକଟରୁ ମଙ୍ଗଳବାର ଅପରାହ୍ଣରେ ଏକ ମୃତ ହାତୀଛୁଆକୁ ବନ କର୍ମଚାରାମାନେ ଉଦ୍ଧାର କରିଥିବା ଜଣାଯାଇଛି ା ଅଞ୍ଚଳବାସୀ ମୃତଦେହ ଦେଖି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳକୁ ତାଳଚେର ବନାଞ୍ଚଳ ଅଧିକାରୀ ପ୍ରଭାତ କୁମାର ରାଉତ ଓ ବନ କର୍ମଚାରୀମାନେ ଯାଇ ହାତୀ ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି। ହାତୀ ଛୁଆଟିର ବୟସ ପ୍ରାୟ ୩ ମାସ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଥିଲା ବେଳେ କେଉଁ ପରିସ୍ଥିତିରେ ତାର ମୃତ୍ୟୁ ହେଲା ସଠିକ୍‍ ତଥ୍ୟ ମିଳିପାରି ନାହିଁ। ଗତକାଲି ଏହି ଛୁଆଟି ହାତୀ ପଲଙ୍କ ସହିତ ଦାସନାଳୀ ଅଞ୍ଚଳରେ ବୁଲୁଥିଲା ବୋଲି ବନ କର୍ମଚାରୀମାନେ ପ୍ରକାଶ କରିଥିଲା ବେଳେ ଆଜି ତାର ମୃତ୍ୟୁ ହେବା ଘଟଣା ନେଇ ବନ ବିଭାଗ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବା ସହ ତାହାର ମଳକୁ ପରୀକ୍ଷା ପାଇଁ ପଠାଯିବ ବୋଲି ବନ ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି।

Comments are closed.