ଛତିଶାରେ ୨୨ଘରିଆ ହାତୀପଲଙ୍କ ଡେରା

ଚୌଦ୍ୱାର : ଚନ୍ଦକା ଜଙ୍ଗଲରୁ ଆସି ଗତ ୧୫ଦିନ ଧରି ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଶଙ୍କରପୁର, ମଙ୍ଗରାଜପୁର, ମହିସାଲଣ୍ଡା,ବ୍ରହ୍ମପୁର,ବଡ଼ସାମନ୍ତରାପୁର, ବାଣୀପଦା, ଆଗ୍ରାହାଟ ଆଦି ପଞ୍ଚାୟତରେ ବୁଲାବୁଲି କରି ଅଞ୍ଚଳରେ ଆତଙ୍କ ଖେଳାଇଥିବା ୨୨ଘରିଆ ହାତୀପଲ ଏବେ ବାଣୀପଦା ନିକଟ ଛତିଶା ପାଟ ଅଞ୍ଚଳରେ ଡେରା ପକାଇଥିବା ଚୌଦ୍ୱାର ବନପାଳ ମନୋରମା ହୋତା ସୂଚନାଦେଇଛନ୍ତି । ଗତ ୩ଦିନ ତଳେ ଏହି ହାତୀପଲ ଆଗ୍ରାହାଟ ଗ୍ରାମକୁ ପଶିବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ ଓ ବନକର୍ମଚାରୀ ମାନେ ନିଆଁହୁଳା ଓ ଟର୍ଚ୍ଚ ଲାଇଟ ପକାଇ ସେମାନଙ୍କୁ ଘଉଡ଼େଇ ଦେଇଥିଲେ । ସ୍ଥାନୀୟ ବନ ବିଭାଗ କର୍ମଚାରୀ ଓ ଲୋକମାନେ ଦିନରାତି ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିବା ଫଳରେ ହାତୀପଲଟି ଛତିଶା ପାଟ ନିକଟକୁ ପଳାଇଯାଇଛନ୍ତି । ହେଲେ ରାତିହେଲେ ଛତିଶା ନିକଟ ବାଣୀପଦା, ବନ୍ଦାଳ, ଚାଙ୍ଗୁଡ଼ିଆ ଆଦି ଗ୍ରାମର ତଳିଆ ଜମିରେ ପଶୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେବେ ହାତୀ ପଲ ଉପରେ ନଜର ରଖା ଯାଇଥିବା ଓ ସେମାନଙ୍କୁ ଆଠଗଡ଼ ବନଖଣ୍ଡ ଆଡ଼କୁ ମୁହାାଁଇବାର ପ୍ରଚେଷ୍ଟା ଜାରୀ ରହିଥିବାରୁ ଲୋକମାନେ ଭୟଭୀତ ନହେବାକୁ ଶ୍ରୀମତୀ ହୋତା ପ୍ରକାଶ କରିଛନ୍ତି ।

Comments are closed.