ସିଡିଏ ଉପକଣ୍ଠରେ ହାତୀପଲ

0

କଟକ : କଟକ ଜିଲା ଖୁଣ୍ଟୁଣୀ ଅଞ୍ଚଳରେ ବୁଲୁଥିବା ଏକ ହାତୀପଲ ମଙ୍ଗଳବାର ରାତିରେ ମହାନଦୀରେ ପହଁରିପହଁରି ମର୍କତନଗର ଫେଜ୍‍-୨ ଥାନା ଅନ୍ତର୍ଗତ ଧବଳେଶ୍ୱର ବସ୍ତି ନିକଟରେ ପହଞ୍ଚିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଜଙ୍ଗଲ ବିଭାଗ ଓ ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ବାଣ ଫୁଟାଇବା ସହ ନିଆଁହୁଳା ଦେଖାଇ ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି। ବିଳମ୍ବିତ ରାତି ସୁଦ୍ଧା ହାତୀମାନେ ବସ୍ତି ନିକଟସ୍ଥ ଜଙ୍ଗଲରେ ଥିବା ଜଣାପଡ଼ିଛି। ଏହାକୁ ନେଇ ସମଗ୍ର ମର୍କତନଗର ଓ ବିଡ଼ାନାସୀ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
ମଙ୍ଗଳବାର ସନ୍ଧ୍ୟାରେ ମହାନଦୀର ମଧୁସୂଦନ ସେତୁ ନିକଟରେ ଏକ ହାତୀପଲ ପହଁରିପହଁରି ଧବଳେଶ୍ୱର ବସ୍ତି ନିକଟସ୍ଥ ଜଙ୍ଗଲରେ ପଶିଥିଲେ। ଏହି ପଲରେ ଦୁଇଟି ଦନ୍ତା ସମେତ ପ୍ରାୟ ୮ଟି ହାତୀ ଥିବା ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କଠାରୁ ସୂଚନା ପାଇ ସେମାନଙ୍କୁ ଘଉଡାଇବା ପାଇଁ ୨୦ ଜଣିଆ ଟିମ୍‍ ସହ ଜଙ୍ଗଲ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଣ ଓ ନିଆଁ ସାହାଯ୍ୟରେ ଘଉଡ଼ାଇବାକୁ ଉଦ୍ୟମ କରିଥିଲା। ତେଣୁ ହାତୀମାନେ ଆଗକୁ, ଅର୍ଥାତ୍‍ ସହର ଭିତରକୁ ପଶିପାରି ନଥିଲେ ହେଁ ଉକ୍ତ ସ୍ଥାନ ଛାଡ଼ି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ମର୍କତନଗର ଓ ବିଡ଼ାନାସୀ ଅଞ୍ଚଳର ଶହଶହ ଲୋକ ନଦୀ ବନ୍ଧ ଉପରକୁ ଉଠି ଆସିଛନ୍ତି। ସେତୁ ପାର୍ଶ୍ବରେ ଅସ୍ଥାୟୀ କୁଡିଆ କରି ରହିଥିବା ଲୋକଙ୍କୁ ପୁଲିସ ସ୍ଥାନାନ୍ତର କରିଛି। ଏହି ହାତୀପଲକୁ ୯ମ ବାଟାଲିୟନର ୨ପ୍ଲାଟୁନ, କମିସନରେଟ ପୁଲିସ ଓ ଜଙ୍ଗଲ ବିଭାଗ କର୍ମଚାରୀମାନେ ଜଗି ରହିଛନ୍ତି। ସହର ଭିତରକୁ ଯେପରି ଏହି ହାତୀପଲ ପ୍ରବେଶ ନକରିବେ ସେଥିପାଇଁ ବନ ବିଭାଗର କର୍ମଚାରୀ ଓ ପୁଲିସ୍‍ ମିଳିତଭାବେ ଉଦ୍ୟମ ଚଳାଇଛନ୍ତି। ସାରାରାତି ପୁଲିସ୍‍ ପେଟ୍ରୋଲିଂ କରିବ। ଜନସାଧାରଣ ଏଥିରେ ଭୟଭୀତ ନହୋଇ ସତର୍କ ରହିବାକୁ ବନ ବିଭାଗ ଅନୁରୋଧ କରିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସେତୁ ଆରପଟେ ପ୍ରାୟ ୧୭ଟି ହାତୀ ଥିଲେ। ଏମାନେ ଦୁଇ ଦଳରେ ଭାଗ ହୋଇଯାଇଥିଲେ। ୮ଟି ହାତୀ ଥିବା ଏକ ପଲ ନଦୀ ଏପଟ ଧବଳେଶ୍ୱର ବସ୍ତି ନିକଟସ୍ଥ ଜଙ୍ଗଲ ଭିତରେ ପଶି ଯାଇଥିବାବେଳେ ଅନ୍ୟ ଦଳ କେଉଁଠି ଅଛନ୍ତି ସେ ସଂକ୍ରାନ୍ତରେ ଜଣାପଡ଼ି ନାହିଁ।

Leave A Reply