ନନ୍ଦନକାନନରେ ହରପିସ ସଂକ୍ରମଣ – ‘ଗୌରୀ’ ହାତୀର ଜୀବନ ଗଲା

0

ଭୁବନେଶ୍ଵର: କଟକ ଜିଲ୍ଲା ବାରଙ୍ଗ ସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନରେ ଶୁକ୍ରବାର ରାତି ୯ଟା ୫୧ ମିନିଟରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ‘ଗୌରୀ’ ନାମକ ସେହି ହାତୀ ହରପିସ ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲା ଓ ପଶୁ ବିଶେଷଜ୍ଞଙ୍କ ତତ୍ୱାବଧାନରେ ତାର ଚିକିତ୍ସା ଚାଲିଥିଲା। ଗୌରୀର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ୪କୁ ହ୍ରାସ ପାଇଛି। ୨୦୧୨ ଡିସେମ୍ବରରେ ଗୌରୀକୁ ଆଠଗଡ଼ ବନାଞ୍ଚଳରୁ ଅଣାଯାଇଥିଲା। ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୨୧ ମଧ୍ୟରେ ନନ୍ଦନକାନନରେ କ୍ରମାଗତ ୪ଟି ହାତୀର ମୃତ୍ୟୁ ହେବାପରେ ପ୍ରାଣୀ ଉଦ୍ୟାନ କର୍ତୃପକ୍ଷଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଅଗଷ୍ଟ ୨୫ରେ ମାଈ ହାତୀ ‘ଜୁଲି’, ସେପ୍ଟେମ୍ବର ୧୫ରେ ଏକମାତ୍ର ଦନ୍ତା ହାତୀ ‘ଚନ୍ଦନ’, ସେପ୍ଟେମ୍ବର ୨୦ରେ ‘କମଳା’ର ମୃତ୍ୟୁ ପରେ ଏବେ ‘ଗୌରୀ’ର ମୃତ୍ୟୁ ପଶୁପ୍ରେମୀ ମାନେ ନିରାଶ ହୋଇଛନ୍ତି। ପ୍ରଥମ ଦୁଇଟି ହାତୀ ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନ ପକ୍ଷରୁ ହାତୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯିବ ସହ ହାତୀ ଖୁଆଡ଼କୁ ସଂକ୍ରମଣ ମୁକ୍ତ କରାଯିବ ପ୍ରକ୍ରିୟା ଆରମ୍ଭ କରାଯାଇଛି।

 

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତୃପକ୍ଷଙ୍କୁ ହାତୀ ମୃତ୍ୟୁ ନେଇ ରିପୋର୍ଟ ତଲବ କରାଯାଇଛି। ଅନ୍ୟ ପକ୍ଷରେ ଆଉ ଗୋଟିଏ ହାତୀ ମଧ୍ୟ ଏହି ଭୁତାଣୁରେ ସଂକ୍ରମିତ ହୋଇ ଗୁରୁତର ଥିବା ଜଣାପଡିଛି। ଏହି ରୋଗ ବିଶେଷ ଭାବେ ଦକ୍ଷିଣ ଭାରତ ହାତୀମାନଙ୍କଠାରେ ଦେଖାଯାଉଥିବା ବେଳେ ପୀଡିତ ହାତୀଠାରୁ ଅନ୍ୟ ହାତୀକୁ ଏହା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି।

ମୃତ୍ୟୁବରଣ କରିଥିବା ହାତୀମାନଙ୍କ ମଧ୍ୟରୁ ଜୁଲିକୁ ମାତ୍ର ୨ ବର୍ଷ ବୟସରେ ୨୦୦୯ ମେ ମାସ ୩୧ରେ ଢେଙ୍କାନାଙ୍କ ବନଖଣ୍ଡରୁ ଉଦ୍ଧାର କରାଯାଇଥିଲା ବେଳେ ଚନ୍ଦନକୁ ୨୦୧୦ ଜୁଲାଇରେ ଚନ୍ଦକା ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା ଏବଂ ୨୦୧୩ ଅଗଷ୍ଟ ୧ରେ ଜନ୍ମିତ କମଳାକୁ ଓଡିଶା ଭେଟେନାରୀ କଲେଜରୁ ସେହି ବର୍ଷ ନଭେମ୍ବରରେ ନନ୍ଦନକାନନକୁ ଅଣାଯାଇଥିଲା।

ହରପିସ ସଂକ୍ରମଣ କଣ?
ମଣିଷଙ୍କ ତତ୍ୱାବଧାନରେ ରହୁଥିବା ଅର୍ଥାତ ଚିଡିଆଖାନାରେ ରହୁଥିବା ହାତୀ ଏବଂ ଜଙ୍ଗଲରେ ରହୁଥିବା ହାତୀଙ୍କୁ ଏହି ସଂକ୍ରମଣ ହୋଇଥାଏ। ମଣିଷମାନଙ୍କ ଦେହରେ ମଧ୍ୟ ଏହି ସଂକ୍ରମଣ ଦେଖାଯାଇଥାଏ। ଏଲିଫାଣ୍ଟ ହର୍ପିସ ଭାଇରସର ଅନ୍ୟ ନାଁ ହେଉଛି ଏଣ୍ଡୋଥେଲିଓ ହର୍ପିସ ଭାଇରସ (EEHV)। ୧୯୯୫ରେ ପ୍ରଥମ ଥର ଏହି ଭାଇରସ ସଂକ୍ରମଣରେ ୧୬ ମାସର ହାତୀ ଛୁଆ ‘କୁମାରୀ’ର ମୃତ୍ୟୁ ଘଟିଥିଲା। ଏ ପର୍ଯ୍ୟନ୍ତ ୧୪ ପ୍ରକାରର ଏଲିଫାଣ୍ଟ ହର୍ପିସ ଭାଇରସ ଚିହ୍ନଟ କରାଯାଇଛି ଓ ଏଥିରୁ ଅଧାରୁ ଅଧିକ ଭାଇରସ ରକ୍ତସ୍ରାବୀ ଅଟେ। ତେବେ ଏହି ଭାଇରସ ମଣିଷମାନଙ୍କ ପାଇଁ ବିପଦ ନୁହେଁ କିନ୍ତୁ ହାତୀମାନଙ୍କ କ୍ଷେତ୍ରରେ ଅତ୍ୟଧିକ ବିପଦପୂର୍ଣ୍ଣ। କେତେକ କ୍ଷେତ୍ରରେ ଏହା ବଂଶାନୁକ୍ରମିକ ମଧ୍ୟ ହୋଇଥାଏ।

ହାତୀମାନଙ୍କ କ୍ଷେତ୍ରରେ ଏହି ଭାଇରସ ଅଳ୍ପ ଦିନ ମଧ୍ୟରେ ରକ୍ତ କଣିକାରେ ପ୍ରବେଶ କରି ବଂଶ ବିସ୍ତାର କରନ୍ତି ଓ କ୍ରମଶଃ ରକ୍ତ କଣିକାକୁ ନଷ୍ଟ କରିଦିଅନ୍ତି। ଯଦିଓ ଅନେକ ହାତୀ ଦେହରେ ଏହି ସଂକ୍ରମଣ ଆପେ ପ୍ରଭାବହୀନ ହୋଇଯାଏ କିନ୍ତୁ ଏହି ଭାଇରସ ସଂକ୍ରମଣ ଆରମ୍ଭ ହେବା ମାତ୍ରେ ରକ୍ତ ନମୁନା ପରୀକ୍ଷଣରୁ ଜଣାପଡ଼ିଥାଏ। ଏହି ସଂକ୍ରମଣ ପାଇଁ ଏ ଯାଏଁ କୌଣସି ସଫଳ ଚିକିତ୍ସା ବ୍ୟବସ୍ତା ନ ଥିବା ବେଳେ କେବଳ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହୋଇପାରିଲେ ଔଷଧ ବ୍ୟବହାର ଦ୍ୱାରା ଏହାର ପ୍ରଭାବ କାମ କରାଯାଇପାରେ। ୪୦ ପ୍ରତିଶତ କ୍ଷେତ୍ରରେ ହାତୀମାନେ ଏହି ସଂକ୍ରମଣରୁ ରକ୍ଷା ପାଇଥାନ୍ତି।ପାଶ୍ଚାତ୍ୟ ଦେଶଗୁଡିକରେ ଏହି ସଂକ୍ରମଣ ଅଧିକ ଥିବା ବେଳେ ଭାରତ ଓ କାମ୍ବୋଡ଼ିଆରେ ହାତୀମାନଙ୍କୁ ଏହା ସଂକ୍ରମିତ କରିଥାଏ। ଏହି ସଂକ୍ରମଣ ଗୋଟିଏ ହାତୀ ଦେହରୁ ଅନ୍ୟ ହାତୀକୁ ଯିବାର ସମ୍ଭାବନା ଅଧିକ ଥାଏ।

Leave A Reply