ଚନ୍ଦକା ଜଙ୍ଗଲରୁ ଲୋପ ପାଇବ ହାତୀବଂଶ!

ଚନ୍ଦକା (ନିହାରକାନ୍ତି ଦାଶ): ରାଜ୍ୟରେ ହାତୀସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ସେହିଭଳି ଚନ୍ଦକା ଜଙ୍ଗଲରେ ହାତୀ ବଂଶ ଲୋପ ପାଇବା ସମ୍ଭାବନା ସୃଷ୍ଟି ହୋଇଛି। ଏକଦା ଚନ୍ଦକା ଅଭୟାରଣ୍ୟ ହାତୀଙ୍କ ଭୂସ୍ବର୍ଗ ଥିଲା। ଓଡ଼ିଶାର ସବୁଠୁ ଅଧିକ ହାତୀ ଏହି ଜଙ୍ଗଲରେ ଥିଲେ। ବିରାଟ ଜଙ୍ଗଲ ଓ ବିଭିନ୍ନ ଜୈବ ବିବିଧତାରେ ଭରା ପ୍ରାକୃତିକ ପରିବେଶ ପ୍ରାଣୀଜଗତକୁ ଆକୃଷ୍ଟ କରିବାର ପ୍ରଚୁର କ୍ଷମତା ରଖିଥିଲା।

ରାଜଧାନୀର ଖୁବ୍‌ ନିକଟରେ ଥିବା ଏଭଳି ପରିବେଶକୁ ଦେଖି ଏହି ଜଙ୍ଗଲକୁ ସଂରକ୍ଷିତ ଜଙ୍ଗଲର ମାନ୍ୟତା ଦେବା ସହ ୧୯୮୨ରେ ଚନ୍ଦକା ହସ୍ତୀ ଅଭୟାରଣ୍ୟ ଘୋଷଣା କରାଯାଇଥିଲା। ୧୯୩.୩୯ ବର୍ଗ ପରିମିତ ଆୟତନ ସହ ୧୭୪ କି.ମି ପରିସୀମାକୁ ନେଇ ଅଭୟାରଣ୍ୟ ଗଠିତ ହୋଇଥିଲା। ହାତୀଙ୍କ ସୁରକ୍ଷା ପାଇଁ ଖାଇ ନିର୍ମାଣ, ଖାଦ୍ୟ ଓ ପାନୀୟ ପାଇଁ ବିଭିନ୍ନ ପ୍ରଜାତିର ଚ​ାରାରୋପଣ ଓ ପୋଖରୀ ନିର୍ମାଣରେ କୋଟି କୋଟି ଟଙ୍କା ବ୍ୟୟ ହୋଇଛି। ହସ୍ତୀ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ​‌ହୋଇଛି; କିନ୍ତୁ କର୍ମଚାରୀ ଅଭାବ, ଚୋରାକାଠ ବ୍ୟବସାୟୀଙ୍କ ଜଙ୍ଗଲ ଲୁଟ୍‌, ବନ ବିଭାଗ କର୍ମଚାରୀଙ୍କ ସହ କାଠ ମାଫିଆଙ୍କ ମଧୁଚନ୍ଦ୍ରିକା ଫଳରେ ଜଙ୍ଗଲ ହ୍ରାସ ଏବଂ ସହରୀକରଣ ବୃଦ୍ଧି, ହାତୀ କରିଡର ବନ୍ଦ ଫଳରେ ଚନ୍ଦକା ଜଙ୍ଗଲରେ ହାତୀଙ୍କ ସଂଖ୍ୟା ଆଶାତୀତ ଭାବରେ ହ୍ରାସ ପାଇଛି। ଗୋଟିଏ ହାତୀ ଅନ୍ୟୂନ ୩ କ୍ବିଣ୍ଟାଲ ଖାଦ୍ୟ ଦୈନିକ ଖାଇଥାଏ ଓ ୪୦ରୁ ୬୦ କି.ମି ବାଟ ଚାଲିଥାଏ।

ଏକ ପରିସଂଖ୍ୟନରୁ ଜଣାଯାଇଛି, ୧୯୭୯ରେ ପ୍ରଥମ ହାତୀ ଗଣନା ସମୟରେ ଓଡ଼ିଶାରେ ୨୦୪୪ ହାତୀ ଥିଲା। ୧୯୯୯-୨୦୦୦ ବେଳକୁ ଏହି ସଂଖ୍ୟା ହ୍ରାସ ପାଇ ୧୮୨୭ରେ ପହଞ୍ଚିଥିଲା। ୧୯୮୨ ବେଳକୁ ଚନ୍ଦକା ଅଭୟାରଣ୍ୟରେ ହାତୀ ସଂଖ୍ୟା ୫୭ ଥିଲା; କିନ୍ତୁ ୧୯୯୯ ହାତୀଗଣନା ବେଳକୁ ଏହା ବୃଦ୍ଧି ପାଇ ୮୩ରେ ପହଞ୍ଚିଥିଲା। ୨୦୦୨ରେ ହାତୀ ସଂଖ୍ୟା ୮୦ରେ ପହଞ୍ଚିଥିଲା ଓ ୨୦୦୪ରେ ପାଖାପାଖି ୭୦ ହାତୀ ଥିଲେ। ୨୦୧୨ରେ ହାତୀ ସଂଖ୍ୟା କମି ୨୭କୁ ଖସିଆସିଲା। ୨୦୧୫ ବେଳକୁ ଚନ୍ଦକା ହସ୍ତୀ ଅଭୟାରଣ୍ୟରେ ୮ଟି ହାତୀ ଥିବା ଜଣାପଡ଼ିଥିଲା।

ଅନ୍ୟପକ୍ଷରେ ୧୯୯୫ରୁ ୨୦୦୬ ଭିତରେ ୨୨ଟି ହାତୀଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ବର୍ତ୍ତମାନ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରେ ୫ଟି ହାତୀ ଚଳପ୍ରଚଳ କରୁଥିବା ସୂଚନା ମିଳିଛି। ଦ୍ରୁତ ସହରୀକରଣ, ଖାଦ୍ୟାଭାବ ଓ ଖାଦ୍ୟ ଅନ୍ବେଷଣରେ ଅନ୍ୟ ଜଙ୍ଗଲକୁ ପଳାୟନ ହାତୀ ସଂଖ୍ୟା ହ୍ରାସର ପ୍ରମୁଖ କାରଣ ବୋଲି ବନ ବିଭାଗର କର୍ମଚାରୀ କହିଛନ୍ତି। ଯେଉଁଭଳି ସ୍ଥିତିରେ ଚନ୍ଦକା ହସ୍ତୀ ଅଭୟାରଣ୍ୟ ପହଞ୍ଚିଛି, ଭବିଷ୍ୟତରେ ଚନ୍ଦକା ଜଙ୍ଗଲ ହାତୀଶୂନ୍ୟ ହୋଇଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

Comments are closed.