୮ ମାସରେ ଓଡ଼ିଶାରେ ମଲେଣି ୫୮ ହାତୀ; ଆକ୍ରମଣରେ ମରିଛନ୍ତି ୮୫ ମଣିଷ

ଭୁବନେଶ୍ୱର : ବନ ବିଭାଗ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଓଡିଶା ଏବେ ହାତୀଙ୍କ ଲାଗି ଅସୁରକ୍ଷିତ ସ୍ଥାନ ପାଲଟିଛି। ହାତୀ ସୁରକ୍ଷା ଲାଗି ରାଜ୍ୟ ସରକାର ନେଇଥିବା ପଦକ୍ଷେପ କେବଳ କାଗଜକଲମରେ ସୀମିତ ରହିଯାଇଛି। ଗତ ଏକମାସ ମଧ୍ୟରେ ରାଜ୍ୟରେ ୧୬ଟି ହାତୀଙ୍କ ମୃତ୍ୟୁ ଘଟିଛି। ଯାହାକି ବିଶ୍ବର ପଶୁପ୍ରେମୀଙ୍କୁ ବ୍ୟଥିତ କରିଛି। ଏଥିପାଇଁ ଭଏସ ଫର ଏସିଆନ ଏଲିଫ୍ୟାଣ୍ଟସ ସୋସାଇଟି (ଭିଏଫଏଇଏସ) ନିର୍ବାହୀ ନିର୍ଦେଶିକା ସଙ୍ଗୀତା ଆୟାର ଓଡିଶା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ହରିଶଙ୍କର ଉପାଧ୍ୟାୟଙ୍କୁ ଦାୟୀ କରିଛନ୍ତି। ଶ୍ରୀ ଉପାଧ୍ୟାୟଙ୍କ ବିେରାଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଙ୍ଗୀତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।
ସଙ୍ଗୀତା ତାଙ୍କ ଅଭିେଯାଗରେ ଦର୍ଶାଇଛନ୍ତି ଯେ ୨୦୧୯ ଅକ୍ଟୋବର ମାସରୁ ୨୦୨୦ ଜୁନ ମାସ ମଧ୍ୟରେ ୫୮ ହାତୀଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୨୫ଟି ହାତୀଙ୍କର ଅପ୍ରାକୃତିକ ମୃତ୍ୟୁ ଘଟିଥିବା ବେଳେ ୮ଟି ହାତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏହି ୮ମାସ ମଧ୍ୟରେ କେବଳ ହାତୀ ନୁହନ୍ତି, ହାତୀ ଆକ୍ରମଣରେ ୮୫ଜଣ ମଣିଷଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୧୯ଜଣ ଆହତ ହୋଇଛନ୍ତି। ଏତଦବ୍ୟତୀତ ଦୁଇଟି ଚିତାବାଘ ମୃତଦେହ ମିଳିଥିଲା ବେଳେ ୬ଟି ବାଘଛାଲ ଜବତ ହୋଇଛି। ରାଜ୍ୟରେ ହାତୀ ମୃତ୍ୟୁହାର ଉଦବେଗଜନକ ଭାବେ ବଢି ଚାଲିଥିବା ନେଇ ଓଡିଶା ବନ୍ୟପ୍ରାଣୀ ସୋସାଇଟି ପକ୍ଷରୁ ମଧ୍ୟ ବନ୍ୟପ୍ରାଣୀ ବିଭାଗକୁ ସତର୍କ କରାଯାଇଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ମୁଖ୍ୟ କର୍ଣ୍ଣପାତ କରିନାହାନ୍ତି। ଏପରିକି ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଶ୍ରୀ ଉପାଧ୍ୟାୟଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଏ ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ସେ ଏହାକୁ ଅତି ହାଲୁକା ଭାବେ ଗ୍ରହଣ କରିଥିଲେ ବୋଲି ସଙ୍ଗୀତା ଅଭିେଯାଗରେ ଦର୍ଶାଇଛନ୍ତି। ରାଜ୍ୟର ବିଭିନ୍ନ ଜଙ୍ଗଲରେ ହାତୀଙ୍କ ମୃତ୍ୟୁ ଘଟୁଥିଲା ବେଳେ େକବଳ ତଳିଆ କର୍ମଚାରୀଙ୍କୁ ଦାୟୀ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଉ ନାହିଁ। ଅଧିକାଂଶ କ୍ଷେତ୍ରରେ ମୃତ ହାତୀ ସମ୍ପର୍କରେ କୌଣସି ତଥ୍ୟ ସଂଗ୍ରହ କରା ନ ଯାଇ ତରବରିଆ ଭାବେ ଜଙ୍ଗଲ ଭିତରେ ପୋତି ଦିଆଯାଉଛି। ଗତ ଜୁନ ମାସ ୨୦ ତାରିଖରେ ଚମ୍ପୁଆ ରେଞ୍ଜରେ ଏକ ହାତୀକୁ ହତ୍ୟା କରାଯାଇଥିଲା। ବିଭାଗୀୟ ଅଧିକାରୀମାନେ ହାତୀଟିର ଶବ ବ୍ୟବଚ୍ଛେଦ ନ କରି ପୋତି ଦେବା ସହ ଆନ୍ଥ୍ରାକ୍ସ ଯୋଗୁ ହାତୀଟିର ମୃତ୍ୟୁ ଘଟିଥିବା କହିଥିଲେ। ଯଦି ଏପରି ସ୍ଥିତି ଲାଗିରହେ ତେବେ ଆସନ୍ତା ବର୍ଷକ ମଧ୍ୟରେ ଓଡିଶାରୁ ହାତୀବଂଶ ଲୋପ ପାଇଯିବାର ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ।
ଗତ ମାର୍ଚ୍ଚ ୨୪ ତାରିଖରେ ୧୫ଟି ହାତୀଙ୍କର ମୃତ୍ୟୁ ଘଟିଥିଲା। ଦୁଇଟି ହାତୀର ବୟସାଧିକ ଯୋଗୁ ମୃତ୍ୟୁ ଘଟିଥିଲା ବେଳେ ବାକିତକ ବିଷକ୍ରିୟା ଓ ବିଦ୍ୟୁତ ଆଘାତ େଯାଗୁ ଘଟିଥିବା ଜଣାପଡିଛି। ବାରହା ଶିକାର ଲାଗି ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ଘଟୁଥିଲା ବେଳେ ଆଉ କେତେବେଳେ ନୁଆଁଣିଆ ବିଦ୍ୟୁତ୍ ତାର ଯୋଗୁ ହାତୀଙ୍କର ମୃତ୍ୟୁ ଘଟୁଛି। ଅନ୍ତର୍ଜାତୀୟ ବଜାରରେ ହାତୀଦାନ୍ତ ଦୁର୍ଲଭ ହୋଇଥିବାରୁ ଦାନ୍ତ ପାଇଁ ହାତୀ ଶିକାର କରାଯାଉଛି। ଏହାର ପ୍ରମାଣ ଦେଖିବାକୁ ମିଳିଥିଲା ଜୁନ ୧୩ ତାରିଖରେ। ଜୋଡା ଜଙ୍ଗଲରେ ଖାଦ୍ୟରେ ବିଷଦେଇ ଏକ ଦନ୍ତାହାତୀଙ୍କୁ ହତ୍ୟା କରିବା ପରେ ଶିକାରୀମାନେ ହାତୀଟିର ଦାନ୍ତ କାଟି ନେଇଥିଲେ। ଏହି ଘଟଣାରେ ମଧ୍ୟ କାହାକୁ ଉତ୍ତରଦାୟୀ କରାଯାଇ ନ ଥିଲା। େସହିପରି ଗତ ଜୁନ ୧୨ ତାରିଖରେ ସୁନ୍ଦରଗଡ କୁଆଁରମୁଣ୍ଡା ଜଙ୍ଗଲରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ହତ୍ୟାକାରୀକୁ ଗିରଫ କରିବା ପରିବର୍ତ୍ତେ କୁଆଁରମୁଣ୍ଡା ଓ କଲୁଙ୍ଗା ଫରେଷ୍ଟରଙ୍କୁ କେବଳ କାରଣଦର୍ଶାଅ ନୋଟିସ ଜାରି କରାଯାଇ ଘଟଣାକୁ ଚାପି ଦିଆଯାଇଥିଲା। ଅଧିକାଂଶ କ୍ଷେତ୍ରରେ ବିଭାଗୀୟ ଅଧିକାରୀମାନେ ହାତୀ ମୃତ୍ୟୁକୁ ଯଥା ସମ୍ଭବ ଚପାଇ ଦେବାକୁ ଉଦ୍ୟମ କରି ସଫଳ ହେଉଛନ୍ତି। ଏପରି କରିବାକୁ ମୁଖ୍ୟ ବନ ସଂରକ୍ଷକ ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିେଯାଗରେ ଦର୍ଶାଯାଇଛି। ଦେଶର ସଂସ୍କୃତି ଓ ଐତିହ୍ୟର ପ୍ରତୀକ ହାତୀକୁ କେନ୍ଦ୍ର ସରକାର ସିଡ୍ୟୁଲ-୧ ପ୍ରାଣୀର ମାନ୍ୟତା ଦେଇଥିଲା ବେଳେ ଓଡିଶାରେ ଏମାନଙ୍କୁ ନିର୍ବିଘ୍ନରେ ହତ୍ୟା କରାଯାଉଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ହାତୀ ବଂଶ ଲୋପ ପାଇବାକୁ ବସିଛି। ବିଭାଗୀୟ ମୁଖ୍ୟ ଭାବେ ବନ୍ୟପ୍ରାଣୀ ସଂରକ୍ଷକଙ୍କୁ ଏଥିପାଇଁ ଉତ୍ତରଦାୟୀ କରି ତାଙ୍କ ବିେରାଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଙ୍ଗୀତା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.