୫ ବର୍ଷରେ ଗଲାଣି ୪୦୬ ହାତୀଙ୍କ ଜୀବନ, ବିଦ୍ୟୁତ ଆଘାତରେ ସର୍ବାଧିକ ମୃତ୍ୟୁ

ରାଜ୍ୟରେ ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ୪୦୬ଟି ହାତୀ ମୃତ୍ୟୁବରଣ କରିଥିବା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ହାତୀ ମୃତ୍ୟୁ ସଂକ୍ରାନ୍ତରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ୪୦୬ଟି ହାତୀ ମଧ୍ୟରୁ ବିଭିନ୍ନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୧୬୨ ରହିଛି। ଏଥି ମଧ୍ୟରେ ରେଳ ଦୁର୍ଘଟଣାରେ ୧୪ଟି ହାତୀ ମରିଥିବା ବେଳେ ବିଦ୍ୟୁତ୍‍ ଆଘାତରେ ୫୪ଟି ଓ ରାସ୍ତା ଦୁର୍ଘଟଣାରେ ୪ଟି ହାତୀ ମରିଛନ୍ତି। ଅନ୍ୟାନ୍ୟ କାରଣ ଯୋଗୁଁ ୯୦ଟି ହାତୀ ମୃତ୍ୟୁବରଣ କରିଥିବା ବେଳେ ଶିକାରୀମାନଙ୍କ ହାତରେ ୧୧ଟି ହାତୀ ମରିଛନ୍ତି।

ଦୁର୍ଘଟଣା ଓ ଶିକାର ଜନିତ ହାତୀ ମୃତ୍ୟୁକୁ ରୋକିବା ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି। ସେହିପରି ବନ୍ୟଜନ୍ତୁ ଶିକାର ସଂକ୍ରାନ୍ତରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ବିଗତ ୫ବର୍ଷରେ ରାଜ୍ୟରେ ୮୦୨ଟି ଜନ୍ତୁ ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ହାତୀ, ବାଘ ସମେତ ଅନ୍ୟାନ୍ୟ ବିରଳ ବନ୍ୟଜନ୍ତୁ ରହିଛନ୍ତି। ଏହି ସମୟରେ ୧୧ଟି ହାତୀ, ଗୋଟିଏ ମହାବଳ ବାଘ, ୧୦ଟି କଲରାପତରିଆ, ୪ଟି ହେଟାବାଘ, ୧୨ଟି ଭାଲୁ, ୩୩୪ଟି ବାର୍‍ହା, ୯୭ଟି ମୃଗ, ୭ଟି ଗୟଳ, ୫ଟି କୃଷ୍ଣସାର ମୃଗ, ୫ଟି ବ୍ରଜକାପ୍ତା ଓ ୬୬ଟି ସମ୍ବର ଶିକାରୀଙ୍କ ହାତରେ ପ୍ରାଣ ହରାଇଛନ୍ତି। ୩୨୪୮ ଜଣ ଶିକାରୀ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ ୨୦୧୬-୧୭ ବର୍ଷରେ ରାଜ୍ୟରେ ୫୩୭ ଜଣ ଶିକାରୀ ଗିରଫ ହୋଇଥିବା ବେଳେ ୨୦୧୮-୧୯ ରେ ଏହି ସଂଖ୍ୟା ୧୨୭୪ରେ ପହଞ୍ଚିଥିଲା। ୨୦୨୦-୨୧ ବର୍ଷରେ ରାଜ୍ୟରୁ ୬୦୯ ଜଣ ଶିକାରୀ ଗିରଫ ହୋଇଥିବା ମନ୍ତ୍ରୀ କହିଛନ୍ତି।

Comments are closed.