ବଢୁଛି ହାତୀମୃତ୍ୟୁ

0

ଭୁବନେଶ୍ୱର : ପ୍ରତିବର୍ଷ ହାତୀ ମୃତ୍ୟୁସଂଖ୍ୟା ବଢି ଚାଲିଥିଲା ବେଳେ ହାତୀବଂଶ ପ୍ରତି ବିପଦ ସୃଷ୍ଟି ହୋଇଛି। କେଉଁଠି ଶିକାରୀଙ୍କ ଦ୍ୱାରା ତ ଆଉ କେଉଁଠି ଦୁର୍ଘଟଣା ଯୋଗୁ ହାତୀଙ୍କ ମୃତ୍ୟୁ ଘଟୁଛି। ତେବେ ଅଧିକାଂଶ ଦୁର୍ଘଟଣା ମନୁଷ୍ୟକୃତ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଘଟିଥିବା ଜଣାପଡିଛି। ଗତ ୯ ବର୍ଷରେ ବିଦ୍ୟୁତ୍‌ ଆଘାତରେ ୪୫ ହାତୀଙ୍କ ମୃତ୍ୟୁ ଘଟିଥିଲା ବେଳେ ୬୩ଟି ହାତୀଙ୍କୁ ହତ୍ୟା କରାଯାଇଛି। ତେବେ ୨୦୧୦ରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟା ୧୦୮କୁ ଛୁଇଁଛି। ତେବେ ଜଙ୍ଗଲ ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏପରିକି ଦୁର୍ଘଟଣା ପାଇଁ ଦାୟୀ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେବଳ ତଳିଆ କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଲଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେଉଁମାନେ ଏଥିପାଇଁ ଉତ୍ତରଦାୟୀ ସେମାନଙ୍କ ନାମ ମଧ୍ୟ ତଦନ୍ତ ପରିସରକୁ ଆସୁନାହିଁ ବୋଲି ଓଡିଶା ବନ୍ୟଜନ୍ତୁ ସମ୍ପାଦକ ଡ. ବିଶ୍ୱଜିତ୍‌ ମହାନ୍ତି ଅଭିଯୋଗ କରିଛନ୍ତି। ଅପରପକ୍ଷରେ ପିସିସିଏଫ (ବନ୍ୟପ୍ରାଣୀ) ବିଦ୍ୟୁତ୍‌ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବା ଲାଗି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି। ବିଦ୍ୟୁତ ତାର ବଦଳରେ କେବୁଲ ବିଛାଇବା ଲାଗି ପ୍ରାୟ ୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ପିସିସିଏଫ ସୂଚନା ଦେଇଛନ୍ତି।
ବାର୍‌ହା ଶିକାର ପାଇଁ ତାର ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ଘଟୁଥିବା ବେଳେ ଏହାକୁ ଦୁର୍ଘଟଣାର ଆଖ୍ୟା ଦିଆଯାଉଛି। ଏହାର ପ୍ରମୁଖ କାରଣ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଜଙ୍ଗଲ ତଥା ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଦେଇ ଯାଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ତାର ଅତି କମରେ ୪.୬ ମିଟର ଉଚ୍ଚତାରେ ରହିବା କଥା; ମାତ୍ର ଅଧିକାଂଶ ସ୍ଥାନରେ ତାର ସବୁ ଭୂମିଠାରୁ ୨ରୁ ୩ ମିଟର ଉଚ୍ଚତାରେ ରହିଛି। ସେହିପରି ବିଭିନ୍ନ ସ୍ଥାନରେ ଜଙ୍ଗଲୀ ଜନ୍ତୁଙ୍କୁ ରୋକିବା ଲାଗି ସୌରଶକ୍ତି ସମ୍ପନ୍ନ ତାରବାଡ ଘେରାଯାଇଥିଲା; ମାତ୍ର ୯୦ ପ୍ରତିଶତ ସ୍ଥାନରେ ଏସବୁ ଅଚଳ। ଫଳରେ ସ୍ଥାନୀୟ ଲୋକେ ଫସଲ ବଞ୍ଚାଇବା ପାଇଁ ହେଉ କିମ୍ବା ଶିକାରୀମାନେ ଶିକାର କରିବା ଉଦ୍ଦେଶ୍ୟରେ ଏଥିରେ ବିଦ୍ୟୁତ୍‌ ସଂଯୋଗ କରୁଛନ୍ତି। ଏହାର ସଂସ୍ପର୍ଶରେ ଆସିବା ଫଳରେ ହାତୀଙ୍କ ମୃତ୍ୟୁ ଘଟୁଛି। ଗତ ୮ ବର୍ଷ ମଧ୍ୟରେ ବାର୍‌ହା ପାଇଁ ଫାଶରେ ୪୪, ବିଦ୍ୟୁତ ତାରବାଡରେ ୧୪, ଅଦରକାରୀ ସୌର ଫେନ୍‌ିସଂରେ ୫ଟି ହାତୀର ମୃତ୍ୟୁ ଘଟିଛି। ହାତୀ ମୃତ୍ୟୁ ରୋକିବା ଲାଗି ୨୦୧୦ ମସିହାରେ କେନ୍ଦ୍ର ଜଙ୍ଗଲ ବିଭାଗ ପକ୍ଷରୁ ଗଠିତ ଏକ ୪ଜଣିଆ ଟିମ୍‌ ପରିସ୍ଥିତି ଅନୁଧ୍ୟାନ କରି ପରାମର୍ଶ ଦେଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଏହାଛଡା ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥା ନିୟମିତ ମରାମତି ଓ ରକ୍ଷଣାବେକ୍ଷଣ କରୁନାହାନ୍ତି। ଝୁଲନ୍ତା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବନ୍ୟ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ କରାଯାଉ ନ ଥିବାରୁ ଶିକାରୀଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ ଫାଶରେ ପଡି ହାତୀଙ୍କ ମୃତ୍ୟୁ ଘଟୁଛି।
ବିଭାଗୀୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଯେଉଁ ସଂରକ୍ଷିତ ଜଙ୍ଗଲ, ଅଭୟାରଣ୍ୟ ଏବଂ ଜନବସତି ନିକଟ ଜଙ୍ଗଲ ଦେଇ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଯାଇଛି ତାକୁ ହଟାଯାଇ କେବୁଲ ବିଛାଯିବ। ଏଥିପାଇଁ ଦୁଇଟି ପର୍ଯ୍ୟାୟରେ ୬୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୨୦କୋଟି ଟଙ୍କା ବ୍ୟୟରେ ୩୮୮ କିଲୋମିଟର କେବୁଲ ବିଛାଯିବ ଏବଂ ୪୦ କୋଟି ବ୍ୟୟରେ ପ୍ରାୟ ୧୧୨୩ କିଲୋମିଟର ତାର ବଦଳାଯିବ। ଏହି କାମ ୬ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବାକୁ ସ୍ଥିର ହୋଇଥିଲା। ମାତ୍ର ଗୋଟିଏ କି ଦୁଇଟି ସ୍ଥାନରେ ଏହି କାମ ଆରମ୍ଭ ହୋଇଥିଲେ ମଧ୍ୟ ଏଯାବତ୍‌ ଶେଷ ହୋଇପାରି ନାହିଁ। ଅପରପକ୍ଷରେ ଦେଖିବାକୁ ଗଲେ ବିଗତ ଦୁଇବର୍ଷ ମଧ୍ୟରେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି। ଚଳିତ ବର୍ଷ ବିଦ୍ୟୁତ ଆଘାତରେ ଏକସଙ୍ଗେ ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଉପରଠାଉରିଆ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବେଳେ ହାତୀ ମୃତ୍ୟୁ ରୋକିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଉଭୟ ବନ ଓ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଜାଣତରେ ଦୁର୍ଘଟଣା ଘଟୁଛି। ବିଦ୍ୟୁତ ତାର ଭୂମିଠାରୁ କମ ଉଚ୍ଚତାରେ ଥିବା ଜାଣି ମଧ୍ୟ ନା ବନ ବିଭାଗ ନା ବିଦ୍ୟୁତ୍ ବିଭାଗ ଅଧିକାରୀ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ତେଣୁ ହାତୀ ମୃତ୍ୟୁ ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଶୁପ୍ରେମୀମାନେ ଦାବି କରିଛନ୍ତି।

Leave A Reply