ଦର୍ପଙ୍କିଆ ଜଙ୍ଗଲରେ ଛୁଆ ହାତୀର ମୃତ୍ୟୁ

ଅତ୍ୟଧିକ ନିଶାଦ୍ରବ୍ୟ ଯୋଗୁଁ ପ୍ରାଣ ହରାଇଥିବା ବିଶେଷଜ୍ଞଙ୍କ ସନ୍ଦେହ

ଭଂଜନଗର : ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ଦର୍ପିଙ୍କିଆ ଜଙ୍ଗଲରେ ଏକ ଛୁଆ ହାତୀର ମୃତ ଘଟିଛି। ମୃତ ଛୁଆ ହାତୀଟିର ବୟସ ୫ ବର୍ଷ ହେବ ବୋଲି ଜଙ୍ଗଲ ବିଭାଗ ଆକଳନ କରିଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଛୁଆ ହାତୀଟିର ମୃତ ଘଟିଥିବା ନେଇ ବିଭାଗୀୟ କର୍ମଚାରୀମାନେ ପ୍ରକାଶ କରିଥିବା ବେଳେ ମୃତର କାରଣ ଅସ୍ପଷ୍ଟ ବୋଲି ଡିଏଫ୍ଓ ଅଭୟ କୁମାର ଦଳେଇ ପ୍ରକାଶ କରିଛନ୍ତି। ପୋଷ୍ଟମାର୍ଟମ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ସେ ଦର୍ଶାଇଛନ୍ତି। ଏହି ବନାଞ୍ଚଳର ଦର୍ପଙ୍କିଆ ଓ ଦୂର୍ଗାପ୍ରସାଦ ଅଞ୍ଚଳରେ ଗତ କିଛି ଦିନ ଧରି ପ୍ରାୟ ୧୭/୧୮ ପଟ ଛୋଟ ବଡ ହାତୀ ଘରିବୁଲି ଧାନ ଫସଲ ଖାଉଥିବା ବେଳେ ଜଙ୍ଗଳ କର୍ମଚାରୀ ଓ ଗ୍ରାମବାସୀ ମିଳିତ ଭାବେ ହାତୀ ଘଉଡା ଅଭିଯାନ ଅବ୍ୟାହତ ରଖିଛନ୍ତି। ଗତକାଲି ରାତିରେ ମଧ୍ୟ ବିଭାଗୀୟ କର୍ମଚାରୀମାନେ ହାତୀ ଘଉଡା ଅଭିଯାନ ଚଳାଇ ଫେରି ଆସିବା ପରେ ଶୁକ୍ରବାର ସକାଳେ ରମ୍ବା ସେକ୍ସନର ଦର୍ପଙ୍କିଆ ଜଙ୍ଗଳରେ ଏକ ପୁରୁଷ ଛୁଆ ହାତୀ ମରିପଡିଥିବାର ଖବର ଚତୁର୍ଦ୍ଧିଗ ପ୍ରସାରିତ ହୋଇଥିଲା। ଫଳରେ ବିଭାଗୀୟ କର୍ମଚାରୀଙ୍କ ସହ ଡିଏଫ୍ଓ ଶ୍ରୀ ଦଳେଇ ଓ ସହ-ବନସରଂକ୍ଷକ ସୁଦର୍ଶନ ବାଦୀ ଓ ରେଂଜର ବିମ୍ବାଧର ସାହୁ ଏବଂ ପ୍ରାଣୀ ଚିକିତ୍ସକ ନିଶିକାନ୍ତ ଭୋଳଙ୍କୁ  ସାଥିରେ ନେଇ ହାତୀ ମୃତ ସ୍ଥଳରେ ପହଁଚିଥିଲେ। ହାତୀ ମୃତ ସଂପର୍କରେ ତନ୍ନ  ତନ୍ନ ଯାଞ୍ଚକରି କାରଣ ଖୋଜିଥିଲେ ହେଁ କୌଣସି ସିଦ୍ଧାନ୍ତରେ ପହଁଚି ପାରି ନ ଥିଲେ। ହାତୀର ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବା କଥା ଡିଏପ୍ଓ ଶ୍ରୀ ଦଳେଇ ଓ ଏସ୍ଏପ୍ଓ ଶ୍ରୀ ବାଦୀ ଦର୍ଶାଇଥିବା ବେଳେ ପ୍ରାଣୀ ବିଶେଷଜ୍ଞ ଶ୍ରୀ ଭୋଳ ଏହି ସଂକ୍ରାନ୍ତରେ ସେ ସ୍ପଷ୍ଟ ତଥ୍ୟ ପ୍ରଦାନ କରି ନଥିଲେ ହେଁ ବ୍ୟବଚ୍ଛେଦ ବେଳେ ପାକସ୍ଥଳରେ ନିଶାଦ୍ରବ୍ୟର ବାସନା ରହିଥିବା ଦର୍ଶାଇଥିଲେ। ପାକସ୍ଥଳୀ ସମତେ କଲିଜା ଓ ହୃତପିଣ୍ଡ ପ୍ରଭୃତିରୁ ମଦ ଗନ୍ଧ ବାହାରିଥିବାରୁ  ଚୁଆ ହାତୀଟି କିଛି ପୋଚ ଭକ୍ଷଣ କରିଥିବାର ସେ ସନ୍ଦେହ କରିଥିଲେ। ସମ୍ଭବତଃ ବିଭିନ୍ନ ଜଙ୍ଗଲାଞ୍ଚଳମାନଙ୍କରେ ଚୋରା ମଦ ବ୍ୟବସାୟୀମାନେ ମଦ ପ୍ରସ୍ତୁତ କରିବା ନିମନ୍ତେ ପ୍ରଥମେ ମହୁଲରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପୋଚ କରିଥାନ୍ତି। ହାତୀମାନେ ଜଙ୍ଗଲରେ ବୁଲୁ ବୁଲୁ ଏହି ପୋଚକୁ ଭକ୍ଷଣ କରିବା ଦ୍ୱାରା ଦିନ ଦିନ ଧରି ନିଶାରେ ପଡି ରହିଥାନ୍ତି। ବଡ ହାତୀ ଏହାକୁ ସହ୍ୟ କରି ଦିନେ ଦୁଇଦିନ ପରେ ସେ ଚେତା ଫେରି ସ୍ୱଭାବିକ ଅବସ୍ଥାରେ ଚଳପ୍ରଚଳନ କରିଥିବା ବେଳେ ଛୁଆ ହାତୀଙ୍କ ପକ୍ଷରେ ଚେତା ଫେରି ଆସିବା ଅସମ୍ଭବ। ଏହି ଛୁଆ ହାତୀଟି ଅଧିକ ନିଶା ଦ୍ରବ୍ୟ ସେବନ କରି ମୃତ ଘଟିଥିବାର ପ୍ରାଣୀ ଚିକିତ୍ସକ ଶ୍ରୀ ଭୋଳ ସନ୍ଦେହ ପ୍ରକାଶ କରଛନ୍ତି। ଅତୀତରେ ଏପରି ବହୁ ଦୃଷ୍ଟାନ୍ତ ରହିଥିବା କଥା ସେ ଟିପ୍ପଣୀ ପ୍ରଦାନ କରିଛନ୍ତି। ଯାହା ହେଉ ନା କାହିଁକି, ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସଂଗ୍ରହ କରାଯାଇଥିବା ମାଂସ, ହୃତପିଣ୍ଡ, କଲିଜା ଓ ପାକସ୍ଥଳୀ ପ୍ରଭୁତିକୁ ପରୀକ୍ଷା ନିମନ୍ତେ ଡେରାଡୁନ୍ ପଠାଇବାର ଉଦ୍ୟମ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ହାତୀଟିର ଶରୀରରେ ଅନ୍ୟ କିଛି ରୋଗଥିବାରୁ ହଠାତ୍ ମୃତ ଘଟିଥିବାର ବିଭାଗୀୟ କର୍ମଚାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ପାଚିଲା ଧାନ ଫସଲ ଅମଳ ସମୟରେ ହାତୀ ଜଙ୍ଗଲରୁ ବାହାରି ଗାଁ କ୍ଷେତ  ଓ ଖଳା ମୁହାଁ ହୋଇଥିବା ବେଳେ ଏମାନଙ୍କ ସୁରକ୍ଷା ନେଇ ବିଭାଗୀୟ କର୍ମଚାରୀମାନାଙ୍କ ଆଖିରୁ ନିଦ ହଜି ଯାଇଛି। ତେବେ, ଦର୍ପଙ୍କିଆ ଜଙ୍ଗଲରେ ଛୁଆ ହାତୀର ମୃତ ଘଟଥିବା ନିକଟରେ କୌଣସି ବିଦ୍ୟୁତ ତାର ମିମ୍ବା ହାତୀର ଦେହରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ବିଭାଗୀୟ କର୍ମଚାରୀମାନେ ମୃତର କାରଣ ଖୋଜି ପାଇ ପାରୁ ନ ଥିବା ବେଳେ ପ୍ରାଣୀ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା ଓ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ଡିଏଫ୍ଓ ଶ୍ରୀ ଦଳେଇ ପ୍ରକାଶ କରିଛନ୍ତି।

Comments are closed.