ପୋଖରିରୁ ହାତୀ ଶାବକର ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: କଲରାପତରିଆ ବାଘର ମୃତ୍ୟୁ ଚର୍ଚ୍ଚା ଥମି ନଥିବା ବେଳେ ଏବେ ପୁଣି ହାତୀ ଶାବକର ମୃତ ଦେହ ପୋଖରିରୁ ଉଦ୍ଧାର ହେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ବିଭାଗୀୟ ସୂତ୍ରରୁ ପ୍ରକାଶ, ହେମଗିର ରେଞ୍ଜ ଅନ୍ତର୍ଗତ ଦାଘୋରା ସେକସନ ଖଜୁରବାହାଲ ଗ୍ରାମର ପୋଖରିରୁ ଏକ ହାତୀ ଶାବକର ମୃତଦେହ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ରାତିରେ ଆଠଟି ହାତୀ ଥିବା ହାତୀପଲ ଖଜୁରବାହାଲ ଗ୍ରାମରେ ପଶି ଆସିଥିଲେ। ଗ୍ରାମ ସ୍ଥିତ ପୋଖରିରେ ଗାଧୋଇଥିବା ସମୟରେ ହାତୀପଲ ସଙ୍ଗେ ଥିବା ଶାବକ ହାତୀ ପୋଖରିରେ ଖସିପଡ଼ିଥିବା ଏବଂ ପୋଖରି ଗଭୀର ଥିବାରୁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ହାତୀ ଶାବକ ବୟସ ପ୍ରାୟ ଗୋଟିଏ ବର୍ଷ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ କଲୁଙ୍ଗେ ଗୋରଖ ଓମାନ, ହେମଗିର ରେଞ୍ଜ ଅଧିକାରୀ ବଳଜିତ ଡୁଙ୍ଗଡୁଙ୍ଗ ସଦଳେବଳେ ଘଟଣା ସ୍ଥଳରେ ପହଞ୍ଚି ମୃତ ହାତୀ ଶାବକର ଶବକୁ ଉଦ୍ଧାର କରି ବ୍ୟବଛେଦ ପରେ ପୋତି ଦେଇଥିବାର ଜଣାପଡ଼ିଛି।

Comments are closed.