ବଡ଼ମ୍ବା ବନାଞ୍ଚଳରୁ ଆଉ ଏକ ହାତୀ କଙ୍କାଳ ମାଟିତଳୁ ଉଦ୍ଧାର

ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ର ଚଢଉ

ବଡ଼ମ୍ବା : ବିଶେଷ ସୂତ୍ରରୁ ଖବରପାଇ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ସୋମବାର ବଡ଼ମ୍ବା ବନାଞ୍ଚଳ ଅନ୍ତର୍ଗତ ଗୋପପୁର ସେକସନ ଅଧୀନ କୁଶାପାଳ ଗ୍ରାମ ନିକଟ ମଣ୍ଡପ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ମାଟିତଳେ ପୋତାଯାଇଥିବା ଆଉଏକ ହାତୀ କଙ୍କାଳ ଜବତ୍ କରିଛନ୍ତି। ଏହି ଦଳରେ ଆସିଥିବା ଭୁବନେଶ୍ୱରସ୍ଥ ଓୟୁଏଟିର ଚିକିତ୍ସା ବିଶେଷଜ୍ଞଙ୍କ କହିବାନୁଯାଇ ଏହା ଏକ ପ୍ରାପ୍ତବୟସ୍କ ମାଈହାତୀର କଙ୍କାଳ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ତେବେ ଏହି ହାତୀର ଶବଟିକୁ ଦୁଇରୁ ଅଢେଇବର୍ଷ ତଳୁ ପୋତା ଯାଇଥିବା ସେମାନେ ଅନୁମାନ କରିଛନ୍ତି। ଘଟଣାର ପ୍ରକୃତ ସତ୍ୟାସତ୍ୟ ତଥା ଅଧିକ ତଦନ୍ତ ଲାଗି ଉପସ୍ଥିତ ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦେଶକ୍ରମେ ଉକ୍ତ କଙ୍କାଳର ପ୍ରମୁଖ ଅଂଶ ସଂଗ୍ରହ କରାଯାଇଛି । ରାଜ୍ୟ ବନ୍ୟପ୍ରାଣୀ ବିଭାଗର ମୁଖ୍ୟ ବନ୍ୟ ସଂରକ୍ଷକ(ସିସିଏଫ୍) ମନୋଜ ଭି ନାୟାରଙ୍କ ନେତୃତ୍ୱରେ ଆସିଥିବା ଏହି ସ୍ୱତନ୍ତ୍ର ତଦନ୍ତକାରୀ ଦଳରେ ବିଭାଗୀୟ ବନ୍ୟ ସଂରକ୍ଷକ(ସିଏଫ୍) କେଦାର ସ୍ୱାଇଁ, ଅନୁଗୁଳସ୍ଥିତ ଆଞ୍ଚଳିକ ମୁଖ୍ୟବନ୍ୟ ସଂରକ୍ଷକ(ଆରସିସିଏଫ୍) ଯୋଗ ଦୟାନନ୍ଦ, ଏସଟିଏଫ ଡିଏସପି ଦିଲ୍ଲିପକୁମାର ସାହୁ ପ୍ରମୁଖ ତଦନ୍ତରେ ଯୋଗଦେଇଥିଲେ। ଆଠଗଡ଼ ବନଖଣ୍ଡ ଅଧିକାରୀ(ଡିଏଫଓ) ସୁଦର୍ଶନ ଗୋପୀନାଥ ଯାଦବ ଏବଂ ସହକାରୀ ଅଧିକାରୀ(ଏସିଏଫ୍) ହରେକୃଷ୍ଣ ମଲ୍ଲିକ ପ୍ରମୁଖ ତଦନ୍ତବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଭୁବନେଶ୍ୱରସ୍ଥ ଓୟୁଏଟି ବିଶ୍ୱଦ୍ୟାଳୟର ବରିଷ୍ଠ ପ୍ରାଣୀ ଚିକିତ୍ସାବିତ୍ ପ୍ରଫେସର ଡା.ଇନ୍ଦ୍ରମଣି ନାଥ ଏବଂ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ପ୍ରାଣୀଚକିତ୍ସା ବିଶେଷଜ୍ଞ ତଥା ସହକାରୀ ପ୍ରଫେସର ଡାକ୍ତର ଶିବପ୍ରସାଦ ପରିଡ଼ା ଏହି ଘଟଣାରେ ପୋତାଯାଇଥିବା ହାତୀର କଙ୍କାଳ ସମୁହର ଛାନଭିନ ତଦନ୍ତ କରିଥିଲେ।

ସୂଚନାଯୋଗ୍ୟ, ଚଳିତମାସ ୨ତାରିଖରୁ ଏସଟିଏଫ୍ ଦ୍ୱାରା ଏଭଳି ପ୍ରଥମ ଘଟଣା ଉନ୍ମୋଚନ ହେବାପରେ ଏ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆଜିର ଘଟଣାକୁ ମିଶାଇ ବଡ଼ମ୍ବା ବନାଞ୍ଚଳରୁ ୪ଟି ହାତୀ କଙ୍କାଳ ଜବତ୍ କରାଗଲାଣି । ସେଥିମଧ୍ୟରୁ ଦୁଇଟି ଦନ୍ତା ହୋଇଥିବା ବେଳେ ଆଉ ଦୁଇଟି ମାଈହାତୀର କଙ୍କାଳ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅପରପକ୍ଷରେ ଏହି ସମୟ ଭିତରେ ନରସିଂହପୁର ବନାଞ୍ଚଳରେ ଗୁଳିବିଦ୍ଧ ଏକ ଦନ୍ତାହାତୀର ଅପମୃତ୍ୟୁ ଘଟିବା ଅନ୍ୟତମ ବିଡ଼ମ୍ବନା ଖବର। ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ଏବଂ ନରସିଂପୁର ବନାଞ୍ଚଳରେ ଗଜରାଜ ଅସୁରକ୍ଷିତ ସେକଥା ଏହିସବୁ ଘଟଣାରୁ ସ୍ପଷ୍ଟ ହୋଇଛି । ଏପରିକି ଏହି ଘଟଣାରେ ଇତିମଧ୍ୟରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ୧୦ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବଡ଼ମ୍ବା ବନାଞ୍ଚଳ ଅଧିକାରୀ(ରେଞ୍ଜର),ଦୁଇଜଣ ବନପାଳ ଏବଂ ଜଣେ ବନରକ୍ଷୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଗୁରତ୍ୱପୂର୍ଣ୍ଣ ବିଷୟ ହେଲା ଏହି ଘଟଣାରେ ୨ଜଣ ବନପାଳ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଭୟରେ ଫେରାର ଥିବା ବେଳେ ବନଖଣ୍ଡରୁ ୮ଜଣ ବନପାଳଙ୍କୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଅନ୍ୟତ୍ର ବଦଳି କରାଯାଇଛି। ରାଜ୍ୟର ପରିବେଶବିତ୍ ଏବଂ ବନ୍ୟପ୍ରାଣୀ ପ୍ରେମୀଙ୍କୁ ଏହି ଘଟଣା ବ୍ୟଥିତ କରିଥିବା ବେଳେ କେନ୍ଦ୍ର ସରକାର ଏଭଳି ସମ୍ବେଦନଶୀଳ ଘଟଣାରେ ଉଦ୍ବେଗ ପ୍ରକାଶ କରି ଏଭଳି ଚିନ୍ତାଜନକ ଘଟଣାର ଏସଆଇଟି ତଦନ୍ତ ନିର୍ଦେଶ ଦେଇଥିବା ପ୍ରକାଶ।

Comments are closed.