ଏକ ଘଣ୍ଟା ଧରି ଗ୍ରାମରେ ହାତୀ ଉପଦ୍ରବ

ସମ୍ବଲପୁର : ମନୁଷ୍ୟର ସ୍ୱାର୍ଥପଣ ଗୁଣ ଯୋଗୁଁ ସମ୍ବଲପୁର ଜିଲାରେ ବଣ ଜଙ୍ଗଲ କମୁଥିବାରୁ ଦିନକୁ ଦିନ ବନ୍ୟଜନ୍ତୁ ମାନେ ଖାଦ୍ୟ ଅନ୍ୱେଷଣରେ ହିଂସ୍ର ହୋଇ ଜନବସତି ମୁହାଁ ହେଉଛନ୍ତି। ଏହି କ୍ରମରେ ଗତ କିଛି ବର୍ଷ ହେବ ବଣୁଆ ହାତୀ ମାନେ ସମ୍ବଲପୁର ଜିଲାରେ ଉପଦ୍ରବ କରି ଗ୍ରାମବାସୀ ମାନଙ୍କର ଘରଦ୍ୱାର ଭାଙ୍ଗି ଦେବା ସହିତ ଫସଲ ନଷ୍ଟ କରି ଦେଉଛନ୍ତି। ଶୁକ୍ରବାର ବିଳମ୍ବିତ ରାତ୍ରି ପ୍ରାୟ ୧ଟା ୩୦ରେ ଯୁଯୁମୁରା ଅର୍ନ୍ତଗତ ବାହାମ ଗ୍ରାମ ଭିତରକୁ ହାତୀ ଖାଦ୍ୟ ଅନ୍ୱେଷଣରେ ପ୍ରବେଶ କରି ଉପଦ୍ରବ କରିବା ଆରମ୍ଭ କରି ଦେଇଥିଲା। ଗ୍ରାମର ସୁଶାନ୍ତ ଧର, ରାମକୃଷ୍ଣ ନାଥ, ସଞ୍ଜୀବ କୁମାର ନାଥଙ୍କ ଘର ମଧ୍ୟକୁ ଏକ ଦନ୍ତା ହାତୀ ପ୍ରବେଶ କରି ଧାନ ଖାଇବାକୁ ଚେଷ୍ଟା କରିଥିଲା। ଦନ୍ତା ହାତୀ ଗ୍ରାମରେ ଉପଦ୍ରବ ଜାରି ରଖିଥିବା ବେଳେ ଭୟଭୀତ ଗ୍ରାମବାସୀ ପଡ଼ିଆବାହାଲ ସ୍ଥିତ ବନ ବିଭାଗ କର୍ମଚାରୀ ମାନଙ୍କୁ ଖବର ଦେବାରୁ ସେମାନେ ରାତ୍ର ପ୍ରାୟ ୨ଟା ୩୦ରେ ପହଞ୍ଚିଥିଲେ। ଏହା ପରେ ବନ ବିଭାଗ ଓ ଗ୍ରାମବାସୀ ମାନେ ମିଳିତ ଭାବରେ ଉଚ୍ଚକ୍ଷମତା ସମ୍ପନ୍ନ ଲାଇଟ ଓ ବାଣ ଫୁଟାଇ ହାତୀକୁ ଜଙ୍ଗଲ ମଧ୍ୟକୁ ବହୁ କଷ୍ଟରେ ଘଉଡାଇଥିଲେ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଫେବୃଆରୀ ୧୦ରେ ସମ୍ବଲପୁର ଉପକଣ୍ଠସ୍ଥ କୁକୁଡାପାଲି ଗ୍ରାମ ପଞ୍ଚାୟତର କୁକୁଡାପାଲି, ଯୁଗିପାଲି, କୁଶନପୁରୀ, ଡୁମାଲପଦର, ଏପ୍ରିଲ ୧୩ରେ ବତେମୁରା ଗ୍ରାମ ପଞ୍ଚାୟତର ବଲାରଙ୍ଗା, ଯୁଯୁମୁରା ବ୍ଲକ ଅର୍ନ୍ତଗତ ସିକ୍ରାପାଲି ଗ୍ରାମ ଆଦିରେ ହାତୀ ପଲ ରାତି ଅଧିଆ ପ୍ରବେଶ କରି ଗୃହ ଭାଙ୍ଗି ଧାନ, ଚାଉଳ ଆଦି ଖାଇବା ସହିତ ଅନେକ ପରିବାର ଅଳ୍ପକେ ହାତୀ ଆକ୍ରମଣରୁ ବର୍ତ୍ତି ଯାଇ ନୂତନ ଜୀବନଦାନ ପାଇଥିବା ନଜୀର ରହିଛି। ଖାଦ୍ୟ ଅନ୍ୱେଷଣରେ ବର୍ଷ ତମାମ ବଣୁଆ ହାତୀ ପଲ ସମ୍ବଲପୁର ଜିଲାର ବିଭିନ୍ନ ଜନବସତି ଅଞ୍ଚଳକୁ ଆସି ବ୍ୟାପକ କ୍ଷୟକ୍ଷତି ଘଟାଇବା ସହିତ ଚାଷୀ ମାନଙ୍କର ଫସଲକୁ ମଧ୍ୟ ନଷ୍ଟ କରୁଛନ୍ତି। ଫଳରେ ହାତୀ ଓ ମନୁଷ୍ୟ ମଧ୍ୟ ବର୍ଷତମାମ ଲଢ଼େଇ ଜାରି ରହିଥିବା ବେଳେ ବାରମ୍ବାର ଦାବି ସତ୍ୱେ ଏ ପର୍ଯ୍ୟନ୍ତ ଏହି ସମସ୍ୟାର ଅନ୍ତ କରିବା ପାଇଁ କୌଣସି ସ୍ତରରେ ମଧ୍ୟ ସ୍ଥାୟୀ ସମାଧାନର ବାଟ ବାହାର କରାଯାଉ ନ ଥିବାର ଅଭିଯୋଗ ହେଉଛି। ଦିନକୁ ଦିନ ଜିଲାରେ ପ୍ରାକୃତିକ ପରିବେଶ କମି ଯାଉଥିବା ବେଳେ ଯଦି ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦିଆ ନ ଯିବ, ତାହା ହେଲେ ଆଗାମୀ ଦିନରେ ଏହା ଆହୁରୀ ଗୁରୁତର ହେବାର ପରିବେଶବିତ ମାନେ ଆଶଙ୍କା ମତ ପ୍ରକାଶ କରୁଛନ୍ତି।

Comments are closed.