ହାତୀ ଆକ୍ରମଣରେ ୩ ମୃତ, ୪ ଆହତ

ପିପିଲି/ବଳଙ୍ଗା : ପୁରୀ ଜିଲାରେ ରବିବାର ସକାଳୁ ହାତୀଙ୍କ ଆତଙ୍କ ଦେଖାଯାଇଛି। ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ନିକଟବର୍ତ୍ତୀ ସଁପୁର ପଞ୍ଚାୟତର ରାଜତେଇ ଓ ନିକଟସ୍ଥ ଚନ୍ଦ୍ରାଦେଇପୁର ଗ୍ରାମରେ ହାତୀଙ୍କ ଉପଦ୍ରବ ସହ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରାଜତେଇ ଗାଁର ଚୈତନ୍ୟ ସାହୁ (୪୧) , ଚନ୍ଦ୍ରାଦେଇପୁର ପଞ୍ଚାୟତ ଅନ୍ତର୍ଗତ ମାଟିଘର ସାହିର ମକର ପଲେଇ ( ୬୨)। ଏହାସହ ଡେଲାଙ୍ଗ ଅଞ୍ଚଳରୁ ଆଜି ଭୋର୍ ରୁ ଦୁଇଟି ଦନ୍ତା ହାତୀ ଚାଲି ଆସିଥିବା ଜଣାପଡ଼ିଛି। ହାତୀ ଆକ୍ରମଣରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ଉକ୍ତ ହାତୀଟି ଏବେ ଚନ୍ଦ୍ରାଦେଇପୁର ଓ ରାଜତେଇ ଗ୍ରାମରେ ଆତଙ୍କ ଜାରି ରଖିଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ସେହିପରି ବଳଙ୍ଗା ଥାନା ଅନ୍ତର୍ଗତ ନିମାପଡ଼ା ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ରବିବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଗୋପିନାଥପୁର ପଞ୍ଚାୟତ ତଥା ଗ୍ରାମର କିଶୋର ଜୁଗଳ ଭଟ୍ଟ(୬୨) । ଚନ୍ଦ୍ରାଦେଇପୁରୁ ପଞ୍ଚାୟତ ତଥା ଗ୍ରାମ ବେହେରା ସାହିର କାଳିଆ ବେହେରା(୪୫) ଏବଂ ଗୋପିନାଥପୁର ପଞ୍ଚାୟତ ତଥା ଗ୍ରାମର ବାବନ ପୃଷ୍ଟି(୬୦) , ହାଡିବନ୍ଧୁ ସାହୁ(୫୦),ତେରହଳ ଗ୍ରାମର ଛବି ଦେଇ (୪୭) ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ଘଟଣାସ୍ଥଳରେ ବନବିଭାଗ ଏବଂ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ସରକାରଙ୍କ ତରଫରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଓ ଆହତଙ୍କୁ ୫ ହଜାର ଟଙ୍କା ମିଳିବା ନେଇ ସୂଚନା ମିଳିଛି।

Comments are closed.