କଇଁମୁଣ୍ଡି ପଠାରେ ଫସିଗଲେ ହାତୀ ପଲ, ଲୋକେ ଆତଙ୍କିତ 

ବାଙ୍କୀ(ଡମପଡ଼ା): ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ମହାନଦୀ ପଠାରେ ଫସିଗଲେ ହାତୀ ପଲ । ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଦେଖାଯାଇଛି । ମହାନଦୀ ମଝିରେ ଫସି ରହିଛନ୍ତି ହାତୀ ପଲ । ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ କଇଁମୁଣ୍ଡି ନିକଟରେ ମହାନଦୀ ପଠାରେ ହାତୀ ପଲ ଫସି ରହିଥିବାର ସ୍ଥାନୀୟ ଲୋକେ ଦେଖି ଭଗିପୁର ବନ ବିଭାଗକୁ ଖବର ଦେଇଥିଲେ । ଜଙ୍ଗଲି ହାତୀ ପଲ ସ୍ଥାନୀୟ ମାଛ ଧରାଳିମାନଙ୍କ ୨ଟି ଛୋଟ ଡଙ୍ଗା ଭାଙ୍ଗି ଦେଇଥିବା ଜଣାପଡିଛି । ଆଠଗଡ଼ ସୁକାସନ ଜଙ୍ଗଲରୁ ଚନ୍ଦକା ଅଭୟାରଣ୍ୟକୁ ଫେରୁଥିବା ବେଳେ ଘନ କୁହୁଡି ଯୋଗୁଁ ହାତୀମାନେ ଫସି ଯାଇଥିବା ଆଶଙ୍କା କରାଯାଉଛି । ଗତ ସପ୍ତାହ ତଳେ ଅନ୍ୟଏକ ହାତୀ ପଲ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ମଚାଇ ଲକ୍ଷାଧିକ ଟଙ୍କାର ପନିପରିବା ଫସଲ ନଷ୍ଟ କରିଥିବା ହେତୁ ସ୍ଥାନୀୟ ଚାଷୀ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନପାଳ ସଂଜୟ କୁମାର ବେହେରାଙ୍କ ତତ୍ୱାବଧାନରେ ବନଖଣ୍ଡ କର୍ମଚାରୀମାନେ ହାତୀଙ୍କ ଗତିବିଧି ଉପରେ ତିକ୍ଷ୍‍ଣ ନଜର ରଖି ଜଗି ବସିଥିବା ଦେଖାଯାଇଛି ।

Comments are closed.