୫ବର୍ଷରେ ଆଖି ବୁଜିଛନ୍ତି ୪୭ ହାତୀ

0

କଟକ : ଦିନକୁ ଦିନ ଧ୍ୱଂସ ପାଉଛି ଜଙ୍ଗଲ। ବିପଦରେ ଏବେ ବନ୍ୟଜନ୍ତୁ। କେତେବେଳେ ବୁଲା କୁକୁର ତ’ ଆଉ କେଉଁ ସମୟରେ ଶିକାରୀ ଓ ଯାନବାହନ ଦୁର୍ଘଟଣାରେ ଶିକାର ଅକାଳ ମୃତ୍ୟୁବରଣ କରୁଛନ୍ତି ନୀରିହ ବନ୍ୟପ୍ରାଣୀ। ଏକଦା ଦିନେ କଟକ ଜିଲ୍ଲାର ଆଠଗଡ ବନଖଣ୍ଡ ଜଙ୍ଗଲି ପଶୁପକ୍ଷୀଙ୍କ ଅଭୟାରଣ୍ୟ ଭାବେ ପରିଚିତ ଥିଲା। ମହାନଦୀର ଅବବାହିକାରେ ଥିବା ଏହି ବନଖଣ୍ଡର ଶୋଭା ବଢାଉ ଥିଲେ ହାତୀ, ଭାଲୁ, କୁଟରା, ହରିଣ, ସମ୍ବର, ନୀଳଗାଇ, ଶିଆଳ, ବାରହା, ଗୟଳ ପ୍ରଭୃତି ବିଭିନ୍ନ ବନ୍ୟଜନ୍ତୁ। ତା ସାଙ୍ଗକୁ ମହାବଳ ବାଘ ସମେତ ବିଭିନ୍ନ ପ୍ରଜାତିର ବାଘ ସାଙ୍ଗକୁ ମୟୂର ତଥା ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ ଥିଲେ। ଏବେ ଶ୍ରୀହୀନ ହେବାରେ ଲାଗିଛି ଏହି ବନଖଣ୍ଡ। ଦିନ ଗଣୁଛନ୍ତି ବନ୍ୟଜନ୍ତୁ। ବିଶେଷକରି ଆଠଗଡ ବନଖଣ୍ଡରେ ହାତୀଙ୍କ ଜୀବନ ଏବେ ବିପନ୍ନ ଓ ଅସୁରକ୍ଷିତ ହୋଇପଡିଛି। ହାତୀଙ୍କ ଦାନ୍ତ ଉପରେ ନଜର ଲାଗିଛି ଶିକାରୀ ତଥା ଜଙ୍ଗଲ ମାଫିଆଙ୍କର। ବନ ବିଭାଗ କର୍ମଚାରୀଙ୍କ ଅଳସୁଆମି ଦେଖି ମାଫିଆମାନେ ହାତୀ ଶିକାର କରି ମୂଲ୍ୟବାନ ଦାନ୍ତ ଲୁଟ୍‍ କରିଚାଲିଛନ୍ତି। ଆଶ୍ଚର୍ଯ୍ୟର କଥା କୌଣସି ଘଟଣାରେ ଶିକାରୀଙ୍କୁ ଗିରଫ କରାଯାଇନାହି କି ଦାନ୍ତ ଉଦ୍ଧାର କରାଯାଇନାହି। ନିକଟରେ ଏହି ବନଖଣ୍ଡରେ ୩ ଟି ହାତୀଙ୍କ ଅମୂଲ୍ୟ ଜୀବନ ଯିବା ସହ ବିଭିନ୍ନ କାରଣରୁ ଗତ ୫ ବର୍ଷରେ ୪୭ଟି ହାତୀଙ୍କ ଜୀବନ ଯାଇଛି। କେବଳ ହାତୀ ନୁହନ୍ତି ହରିଣ, ସମ୍ବର, କୁଟରା,ବାରହା ଆଦି ବିଭିନ୍ନ ବନ୍ୟପ୍ରାଣୀ ମଧ୍ୟ ଜୀବନ ଯାଇଛି। ଶିକାର ସାଙ୍ଗକୁ ବିଦ୍ୟୁତ୍‍ ଆଘାତ, ରାସ୍ତା ଦୁର୍ଘଟଣା,କୁକୁର ଆକ୍ରମଣ ଜନିତ ବିଭିନ୍ନ କାରଣରୁ ନୀରିହ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟିବାରେ ଲାଗିଛି। ତେବେ ଆଠଗଡ ବନଖଣ୍ଡରୁ ବାଘ ବଂଶ ଲୋପ ପାଇଯିବା ପରଠାରୁ କ୍ରମେ ଜଙ୍ଗଲ କ୍ଷୟ ସାଙ୍ଗକୁ ବନ୍ୟଜନ୍ତୁଙ୍କ ସଂଖ୍ୟା କମିବାରେ ଲାଗିଛି ବୋଲି ପରିବେଶବିତମାନେ ମତ ଦିଅନ୍ତି। ମିଳିଥିବା ସୂଚନା ଅନୁସାରେ,୨୦୧୩-୧୪ଆର୍ଥିକ ବର୍ଷରେ ୧୧ଟି ହାତୀ ମୃତ୍ୟୁବରଣ କରିଥିବା ବେଳେ ୨୦୧୪-୧୫ରେ ୩ ଟି, ୨୦୧୫-୧୬ ରେ ୧୦ ଟି ଏବଂ ୨୦୧୭-୧୮ ସେପ୍ଟେମ୍ବର ଶେଷ ସୁଦ୍ଧା୧୪ ଟିି ହାତୀ ଅକାଳରେ ଜୀବନ ଯାଇଛି।
ସେହିପରି ଏହି ବନଖଣ୍ଡରେ ଗତ ୨ବର୍ଷ ମଧ୍ୟରେ ହରିଣ, ସମ୍ବର, କୁଟରା,ବାରହା ଆଦି ବନ୍ୟ ପ୍ରାଣୀଙ୍କ ମୃତ୍ୟୁ ସଂଖ୍ୟା ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ବ। ହାତୀ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବର୍ଷକୁ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ବନଖଣ୍ଡରେ ହାତୀ ହେଉକି ଅନ୍ୟ ବନ୍ୟପ୍ରାଣୀ କେତେ ସୁରକ୍ଷିତ ତାହା ଏଥିରୁ ସ୍ପଷ୍ଟ ଅନୁମେୟ। ଏହି ବନଖଣ୍ଡର ୫ ଟି ବନାଞ୍ଚଳରେ ହାତୀ ସୁରକ୍ଷା ପାଇଁ ସରକାର ସୌରବାଡ, ହାତୀ ଟ୍ରାକର ଓ ପାରା ଫରେଷ୍ଟ ଷ୍ଟାଫ ତଥା ବନ୍ୟପ୍ରାଣୀ ସ୍କ୍ୱାଡ ନିଯୁକ୍ତି ସହ ବନ୍ୟପ୍ରାଣୀଙ୍କ ତୃଷା ମେଣ୍ଟାଇବା ପାଇଁ ଜଙ୍ଗଲରେ ପୋଖରୀ ଖୋଳିବା ଆଦି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିଲେ ମଧ୍ୟ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ବଢୁଥିଲେ ମଧ୍ୟ ଶିକାରୀଙ୍କ ଦ୍ୱାରା ବିଦ୍ଧ ହେଉଥିବା ଘଟଣାରେ ସଂପୃକ୍ତ ଶିକାରୀଙ୍କୁ ଗିରଫ କରିବା କିମ୍ବା ଲୁଟ୍‍ ଦାନ୍ତ ଉଦ୍ଧାର କରିବାରେ ବନ ବିଭାଗ ବିଫଳ ବୋଲି ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ୨୦୧୪-୧୫ମସିହାରେ ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ରେଞ୍ଜରେ ୨୪କିଲୋମିଟର ସୌରତାର ବାଡ଼ ଓ ଟ୍ରେଞ୍ଚ ଖନନ କରାଯାଇଥିବାବେଳେ ୨୦୧୫-୧୬ ମସିହାରେ ଖୁଣ୍ଟୁଣୀ ଓ ଆଠଗଡ଼ ରେଞ୍ଜରେ ୧୩.୩୪କିମି, ୨୦୧୬-୧୭ରେ ଆଠଗଡ଼ ବ୍ଲକ ଖୁଣ୍ଟୁଣୀ ରେଞ୍ଜରେ ୨୨.୬୪୫କିମି ବ୍ୟାପି ସୌରତାର ବାଡ଼ ସହ ଟ୍ରେଞ୍ଚ ଖନନ କରାଯାଇଛି। ସେହିପରି ୨୦୧୭-୧୮ ଖୁଣ୍ଟୁଣୀ ରେଞ୍ଜରେ ୧୨.୫କିମି ବ୍ୟାପି ସୌରତାର ଓ ଟ୍ରେଞ୍ଚ ଖନନ କରାଯାଇଛି। ଅନ୍ୟପକ୍ଷରେ ୨୦୧୭ ହାତୀ ଗଣନା ଅନୁସାରେ ୨୨୦ ହାତୀଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୨ ମସିହା ହାତୀ ଗଣନା ସମୟରେ ଆଠଗଡ ବନଖଣ୍ଡ ଅଧିନରେ ୧୩୧ଟି ହାତୀ ଥିବାବେଳେ ୨୦୧୫ ଗଣନା ଅନୁସାରେ ହାତୀ ସଂଖ୍ୟା ଥିଲା ୧୧୪। ତେବେ ହାତୀ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ସେମାନଙ୍କ ସୁରକ୍ଷା ପାଇଁ ସ୍ଥାୟୀ ପଦକ୍ଷେପ ନିଆଯିବା ନିହାତି ଆବଶ୍ୟକ ବୋଲି ପରିବେଶବିତମାନେ ମତ ଦିଅନ୍ତି।

Leave A Reply