‘ବିଜୁଳି’ ଠକେଇ: ଆଖିରେ ଆଙ୍ଗୁଳି ଗୁଞ୍ଜି ଲୁଟ୍

ବିଜୁଳି ବ୍ୟବହାର ସ୍ଲାବ ପରିବର୍ତନ ଯୋଗୁଁ କ୍ଷତି ସହିବେ ବିଜୁଳି ଗ୍ରାହକ

ବିଜୁଳି ଦେୟ ବୃଦ୍ଧି ଯୋଗୁଁ ବିତରଣସଂସ୍ଥାର ବାର୍ଷିକ ଆୟ ୭୯୩ କୋଟି ଟଙ୍କା ବୃଦ୍ଧି

 ସାରଣୀ ପରିବର୍ତନ ଯୋଗୁଁ କମ୍ପାନୀଗୁଡ଼ିକର ଲାଭ ବାର୍ଷିକ ଲାଭ ୭୨୦୦ କୋଟି ଟଙ୍କା

ଭୁବନେଶ୍ବର(ରଞ୍ଜିତ୍ ମହାନ୍ତି) : ବିଜୁଳି ଦେୟ ୟୁନିଟ୍ ପିଛା ସରକାର ୨୦ ପଇସା ବୃଦ୍ଧି କରିଛନ୍ତି । ପ୍ରଥମ ୫୦ ୟୁନିଟ୍ ପାଇଁ ୨.୫୦ଟଙ୍କା ବଦଳରେ ୨.୭୦ ଟଙ୍କା, ପରବର୍ତୀ ୧୫୦ ୟୁନିଟ୍ ଲାଗି ୪.୩୦ ଟଙ୍କା ବଦଳରେ ୪.୫୦ ଟଙ୍କା, ଏହାର ପରବର୍ତୀ ୨୦୦ ୟୁନିଟ୍ ପାଇଁ ୫.୩୦ଟଙ୍କା ଦଳରେ ୫.୫୦ ଟଙ୍କା, ଏହାଠାରୁ ଅଧିକ ବିଜୁଳି ବ୍ୟବହାର ନିମନ୍ତେ ୫.୭୦ ବଦଳରେ ୫.୯୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଅକ୍ଟୋବର ମାସରୁ ଏହା ତତକ୍ଷଣାତ୍ ଲାଗୁ ହୋଇଛି । ବର୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର ଲାଗି ବିଦ୍ୟୁତ୍ ଉପଭୋକ୍ତା ସଂଘ ଓ ବିଭିନ୍ନ ରାଜନୈତିକ ଦଳ ଦାବି ଓ ଆନ୍ଦୋଳନ କରିଥିଲେ ମଧ୍ୟ ତାହାକୁ କର୍ଣପାତ କରାଯାଇ ନାହିଁ । ମାତ୍ର ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ବିଦ୍ୟୁତ୍ ଶୁଳ୍କ ଭିନ୍ନ ଗ୍ରାହକମାନଙ୍କଠାରୁ ଅନ୍ୟ ବାଟରେ ଆଖିରେ ଆଙ୍ଗୁଳି ଗୁଞ୍ଜି ବର୍ଷକୁ ଶହଶହ କୋଟି ଟଙ୍କା ଲୁଟ୍ କରୁଥିଲେ ହେଁ ଏହାକୁ ରୋକିବାକୁ ସରକାର କେବେ ପଦକ୍ଷେପ ଗ୍ରହଣ କରି ନାହାନ୍ତି । ୟୁନିଟ୍ ପିଛା ୨୦ ପଇସା ଦେୟ ବୃଦ୍ଧି ଯୋଗୁଁ ବିଜୁଳି ଯୋଗାଣକାରୀ ସଂସ୍ଥା ଲାଭବାନ ହେବେ । ଓଡ଼ିଶାରେ ହାରାହାରି ବିଦ୍ୟୁତ ବ୍ୟବାହାର ବାର୍ଷିକ ୩୯୬୬୭ ମେଗା ୟୁନିଟ। ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି ଦ୍ବାରା ବିଜୁଳି ଯୋଗାଣକାରୀ ସଂସ୍ଥାମାନେ ୭୯୩ କୋଟି ଟଙ୍କା ଅଧିକ ପାଇବେ । ମାତ୍ର ନିୟମିତ ବିଜୁଳି ଦେୟ ପଇଠ କରୁଥିବା ଗ୍ରାହକଟି ଚୋରି ଓ ପରିବହନରେ କମ୍ପାନୀ ସହୁଥିବା କ୍ଷତିକୁ ବୋହି ଚାଲିବ । କେବଳ ସେତିକି ନୁହେଁ, ବିଭିନ୍ନ ବର୍ଗକୁ ମାଗଣା ବିଜୁଳି ଯୋଗାଣ ଓ ମାଗଣା ସେବାର ବୋଝ ବି ଉପଭୋକ୍ତା ଉପରେ ।

ମାତ୍ର ବିଡ଼ମ୍ବନା ହେଉଛି ବିଜୁଳି ଦେୟର ସାରଣୀରେ କରାଯାଇଥିବା ପରିବର୍ତନ । ଅତି ଚତୁରତାର ସହ ଏହି ସାରଣୀ (ସ୍ଲାବ) ପରିବର୍ତନ କରି ଗ୍ରାହକଙ୍କ ଆଖିରେ ଧୂଳି ଫିଙ୍ଗି ଲୁଟର ଫନ୍ଦି କରାଯାଇଛି । ପୂର୍ବରୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଦେୟ ୨.୫୦ ଟଙ୍କା ଥିବାବେଳେ ନୂଆ ବ୍ୟବସ୍ଥାରେ ତାହାକୁ ୫୦ ୟୁନିଟକୁ ହ୍ରାସ କରାଯାଇଛି ଏବଂ ଦେୟ ୨.୭୦ ପଇସା ଧାର୍ଯ୍ୟ କରାଯାଇଛି । ଫଳରେ ପରବର୍ତୀ ୫୦ ୟୁନିଟ୍ ଲାଗି ଗ୍ରାହକକୁ ୪.୫୦ ଟଙ୍କା ହିସାବରେ ଦେବାକୁ ପଡ଼ିବ । ସେହିପରି ଅଧିକ ବ୍ୟବହାର କରୁଥିବା ଉପଭୋକ୍ତା ଆହୁରି ଅଧିକ ଦେୟ ଦେବେ । ବିଜୁଳି ଦେୟ ତ ୨୦ ପଇସା ସିଧାସଳଖ ବଢ଼ିଲା, ଏହା ସହ ପରୋକ୍ଷରେ ଚଞ୍ଚକତା କରି ସାରଣୀ ପରବର୍ତନ କରାଯାଇ ଗ୍ରାହକଙ୍କଠାରୁ ମାସିକ ଅନ୍ୟୂନ ୨୦୦ ଟଙ୍କା ଅଧିକ ନେବାକୁ ବାଟ ବାହାର କରାଗଲା ଓ ବିଜୁଳି କମ୍ପାନୀଗୁଡ଼ିକ ଏ ବାବଦରେ ମାସିକ ୬ଶହ କୋଟିରୁ ୯ଶହ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭବାନ ହେବେ ।

ଉପଭୋକ୍ତା ଆଇନ ଅନୁସାରେ ଜଣେ ଗ୍ରାହକକୁ ନିର୍ଦିଷ୍ଟ ସେବା ପାଇଁ ଦେୟ ଦେବାକୁ ପଡ଼ିଥାଏ । ଯେମିତି ମୋବାଇଲ ଗ୍ରାହକ ବ୍ୟବହାର କରୁଥିବା ଡ଼ାଟା କିମ୍ବା କଥା ବାର୍ତା ହେଉଥିବା ସମୟ ଲାଗି ଦେୟ ଦେଇଥାଏ; ବ୍ୟବହାର କରୁଥିବା ମୋବାଇଲ୍ ସେଟ୍ ପାଇଁ କମ୍ପାନୀ ଉପଭୋକ୍ତାଠାରୁ କୌଣସି ଦେୟ ନେଇ ନ ଥାଏ । ବସରେ ଯାତ୍ରା କରୁଥିବା ବ୍ୟକ୍ତି ଯାତ୍ରୀ ଭଡ଼ା ଦେଇଥାଏ । ଯାତ୍ରୀଟିକୁ ଗାଡ଼ି ମାଲିକ କିଣିଥିବା ଗାଡ଼ି ବା ଗାଡ଼ି ମାଲିକ ଦେଉଥିବା ଟିକସ ପାଇଁ କୌଣସି ଦେୟ ଦେବାକୁ ପଡ଼ିନଥାଏ । ମାତ୍ର ବିଜୁଳି ଉପଭୋକ୍ତାଟିକୁ ନିଜେ ବ୍ୟବହାର କରୁଥିବା ବିଜୁଳି ନିମନ୍ତେ ସରକାରୀ ଧାର୍ଯ୍ୟ ଦେୟ ବ୍ୟତୀତ ମିଟର ଦେୟ, ଏମଏଫସି ବା କଷ୍ଟମର ଦେୟ , ଇଡ଼ି ଦେୟ ଦେବାକୁ ପଡ଼ୁଛି । ସାଧାରଣତଃ ବିଜୁଳି ସଂଯୋଗ ନେବା ବେଳେ ଗ୍ରାହକମାନେ ନିଜେ ମିଟର କିଣୁଛନ୍ତି ଓ ଏହାକୁ ବିଭାଗ ପକ୍ଷରୁ ଯାଞ୍ଚ ପରେ ଲଗାଯାଉଛି । ମାତ୍ର ଏଥିପାଇଁ ମିଟର ଭଡ଼ା ବାବଦରେ ମାସିକ ଦେୟ ଗ୍ରାହକ କାହିଁକି ଦେବେ ? ସେହିପରି ଇଡ଼ି (ଇଲେକ୍ଟ୍ରିସିଟି ଡ଼୍ୟୁଟି) ଦେୟ ଓ ଏମଏଫସି ଦେୟ କାହିଁକି ଆଦାୟ କରାଯାଉଛି ତାହାର ଉତ୍ତର କାହାରି ପାଖରେ ନାହିଁ । ରାଜ୍ୟର ୬୫ ଲକ୍ଷ ବିଜୁଳି ଉପଭୋକ୍ତାଙ୍କଠାରୁ ମିଟର ଦେୟ, ଇଲେକ୍ଟ୍ରିସିଟି ଡ଼୍ୟୁଟି, ଏମଏଫସି ବା ଗ୍ରାହକ ଦେୟ ବାବଦରେ ପ୍ରାୟ ୬୦୦ କୋଟି ଟଙ୍କା ଆଖିରେ ଆଙ୍ଗୁଳି ଗୁଞ୍ଜି ଆଦାୟ କରାଯାଉଥିଲେ ମଧ୍ୟ ଏହାପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି ।

ଅଧିକାଂଶ ଗାଁରେ ବିଜୁଳି ପହଞ୍ଚିଛି ଏବଂ ଲୋ-ଭୋଲଟେଜ୍, ବିଜୁଳି କାଟ ଆଦି ସମସ୍ୟାର ଅନେକ ପରିମାଣରେ ସମାଧାନ ହୋଇଛି । ତଥାପି ଏଯାଏ ବହୁ ଗାଁରେ ବିଜୁଳି ପହଞ୍ଚି ନାହିଁ, ଗ୍ରାମାଞ୍ଚଳ କ’ଣ ସହରାଞ୍ଚଳରେ ବି ବିନା କାରଣରେ ବିଜୁଳିକାଟ ହେଉଛି । ସବୁଠାରୁ ବିଡ଼ମ୍ବନା ହେଉଛି ବିଜୁଳି ବିଭାଗର ଅପରିଣାମଦର୍ଶୀ ପଦକ୍ଷେପ ଯୋଗୁଁ ଗ୍ରାହକ ଶୋଷଣର ଶିକାର ହେଉଛନ୍ତି । ଏଗ୍ରିଗେଟ୍ ଟେକନିକାଲ ଏଣ୍ଡ କମର୍ସିଆଲ ଲସ୍ ( ଏଟି ଏଣ୍ଡ ସି) ବାବଦରେ ବିଜୁଳି କମ୍ପାନୀଗୁଡ଼ିକ ସହୁଥିବା କ୍ଷତି ଗ୍ରାହକମାନେ ଭରଣା କରୁଛନ୍ତି । ଓଡ଼ିଶାରେ ବିଜୁଳି କମ୍ପାନୀଗୁଡ଼ିକର ବୈଷୟିକ ଓ ପରିବହନ କ୍ଷତି ପାଖାପାଖି ୩୦% । ୨୦୨୦ ସୁଦ୍ଧା ଏହାକୁ ୨୬%କୁ ହ୍ରାସ କରିବାକୁ ସରକାର ୨୦୧୫ରେ ପଦକ୍ଷେପ ଗ୍ରହଣ କରିଥିଲେ । ମାତ୍ର ବୈଷୟିକ ଓ ପରିବହନ କ୍ଷତିକୁ ରୋକାଯାଇ ପାରିନାହିଁ ଏବଂ ଏହା ଉଭୟ ଗ୍ରାହକ ଓ ସରକାରଙ୍କ ଉପରେ ବୋଝ ହୋଇଛି । ସରକାର ବିଜୁଳି କମ୍ପାନୀର କ୍ଷତି ଭରଣା ପାଇଁ ବ୍ୟାଙ୍କ ଗ୍ୟାରେଣ୍ଟି ଦେଉଛନ୍ତି ଏବଂ ଗ୍ରାହକ ଶୁଳ୍କ ବୃଦ୍ଧି ଓ ଅନ୍ୟ ଦେୟ ଯୋଗୁଁ କ୍ଷତିଗ୍ରସ୍ତ ହେଉଛି । ପ୍ରାୟ ୩ ବର୍ଷ ତଳେ ବିଧାନସଭାରେ ତତ୍କାଳୀନ ଆଠଗଡ଼ ବିଧାୟକ ଓ ଏବର ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ । ମିଟର ଦେୟ ଓ ଅନ୍ୟାନ୍ୟ ବାବଦରେ ବିଜୁଳି ଯୋଗାଣକାରୀ ସଂସ୍ଥାଗୁଡ଼ିକ ନେଉଥିବା ଅତିରିକ୍ତ ଦେୟର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠାଇବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏଥିନେଇ ଶକ୍ତି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।

ଗ୍ରାହକମାନଙ୍କଠାରୁ ଆଦାୟ ହେଉଥିବା ବିଜୁଳି ଶୁଳ୍କ ଭିନ୍ନ ଅତିରିକ୍ତ ଦେୟ ସମ୍ପର୍କରେ ଜାଣିବା ପାଇଁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓଇଆରସି ଅଧ୍ୟକ୍ଷ ଉପେନ୍ଦ୍ରନାଥ ବେହେରା, ଟାଟା ପାୱାର କମ୍ପାନୀର ମୁଖ୍ୟ ନିର୍ବାହୀ ସେନବାଗମ୍ ମାନ୍ଥିରାମଙ୍କ ପ୍ରତିକ୍ରିୟା ଲୋଡ଼ିବାକୁ ଉଦ୍ୟମ କରିଥିଲୁ । ମାତ୍ର ଫୋନ୍ ନ ଉଠାଇବାରୁ ସେମାନଙ୍କର ମତାମତ ନେବା ସମ୍ଭବ ହୋଇନାହିଁ । ଅନ୍ୟପକ୍ଷରେ  ବିଜୁଳି ଉପଭୋକ୍ତା ସଂଘର ନେତୃତ୍ବ ନେଉଥିବା କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ଯେ ସରକାର ଓ ବିଜୁଳି ଯୋଗାଣକାରୀ ସଂସ୍ଥା ଅତି ଚତୁରତାର ସହ ଗ୍ରାହକଙ୍କୁ ଠକିବାରେ ଲାଗିଛନ୍ତି । ବିଜୁଳି ବ୍ୟବହାର ସାରଣୀ ପରିବର୍ତନ ସହ ବିଜୁଳି ଦେୟ ବୃଦ୍ଧି ଯୋଗୁଁ ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତା କ୍ଷତିଗ୍ରସ୍ତ ହେବେ ବୋଲି ଶ୍ରୀ କାନୁନଗୋ ମତ ଦେଇଛନ୍ତି ।

Comments are closed.