ବିଦ୍ୟୁତ ବିଭାଗର ଅଜବ ନୀତିକୁ ନେଇ ଉପଭୋକ୍ତା ଅସନ୍ତୁଷ୍ଟ

ବେଗୁନିଆ : ବେଗୁନିଆ ବିଦ୍ୟୁତ ବିଭାଗ କର୍ମଚାରୀମାନଙ୍କର ଅଜବ ନୀତି ଯୋଗୁଁ ବିଦ୍ୟୁତ ଉପଭୋକ୍ତାମାନେ ଏଠାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି l କେଉଁଠି ଯୁଗ ଯୁଗ ଧରି ମାସିକ ବିଦ୍ୟୁତ ବିଲ ଆଦାୟ ହେଉନଥିଲା ବେଳେ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଉ ନାହିଁ l କିନ୍ତୁ ନିୟମିତ ବିଦ୍ୟୁତ ବିଲ ପୈଠ କରୁଥିବା ଉପଭୋକ୍ତମାନଙ୍କର ବିଦ୍ୟୁତ ସଂଯୋଗ କାଟି ଦିଆଯାଉଛି l ଅନେକ ଉପଭୋକ୍ତାଙ୍କର ବିଲ ମଧ୍ୟ ଠିକ ଭାବରେ ଆସୁନଥିବା ବେଳେ ଅଧିକ ପରିମାଣର ବିଲ୍ ଆସୁଛି l ଉପଭୋକ୍ତାମାନେ ଅଭିଯୋଗ କଲେ ବିଭାଗୀୟ କର୍ମଚାରୀମାନେ ସେଥିପ୍ରତି ଗୁରୁତ୍ୱ ନଦେଇ ଅଯଥା ହଇରାଣ ହରକତ କରୁଛନ୍ତି l ଏପରିକି ଅନେକ ସ୍ଥାନରେ ବିଦ୍ୟୁତ ସଂଯୋଗ ଥିଲେ ମଧ୍ୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ସଂଯୋଗ କାହା ନାମରେ ଅଛି, ମାସିକ ବିଲ କେତେ ଆସୁଛି, ଏରିୟର କେତେ ଅଛି ଏବଂ କଂଜୁମର ନମ୍ବର ଆଦି ମାଗିଲେ ଦେଇପାରୁନାହାନ୍ତି l ବେଗୁନିଆ ଥାନା ଆଗରେ ଥିବା ରାଜସ୍ବ ବଙ୍ଗଳାର ସଂଯୋଗ ଥିଲେ ମଧ୍ୟ ଯୁଗ ଯୁଗ ଧରି ସେହି ବଙ୍ଗଳାର ବିଲ କେହି ଦେଉନାହାନ୍ତି l ବର୍ତମାନ ଏହି ରାଜସ୍ବ ବଙ୍ଗଳା ଉପରେ ଲକ୍ଷ ଲକ୍ଷ ଟଙ୍କା ବିଦ୍ୟୁତ ବିଲ ଏରିୟର ଗଡ଼ି ଚାଲିଥିଲେ ବି ବିଦ୍ୟୁତ ବିଭାଗ କର୍ମଚାରୀମାନେ ସେଥିପ୍ରତି ଖାତିର ନ କରି କେବଳ ନିରୀହ ଉପଭୋକ୍ତାଙ୍କ ଉପରେ ଜୁଲମ କରିଚାଲିଛନ୍ତି l ସରକାରଙ୍କର ଏଠାରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ବେଳେ ବିଭାଗୀୟ କର୍ମଚାରୀମାନଙ୍କର ଏତେ ଅନୁକମ୍ପା କାହିଁକି ବୋଲି ଜନସାଧାରଣ ପ୍ରଶ୍ନ କରୁଛନ୍ତି l କର୍ମଚାରୀମାନେ କୁଆଡେ ପ୍ରତିମାସରେ କିଛି ହାତଗୁଂଜା ନେଇ ଉକ୍ତ ବଙ୍ଗଳାର ବିଦ୍ୟୁତ ସଂଯୋଗ କାଟୁନଥିବାର ସାଧାରରେ ହେଉଥିବା ଆଲୋଚନାରୁ ଶୁଣିବାକୁ ମିଳୁଛି l ବେଗୁନିଆ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ବିଜୟକୁମାର ଲେଙ୍କାଙ୍କୁ ଏହି ବଙ୍ଗଳା ଉପରେ ବିଭିନ୍ନ ତଥ୍ୟ ମଗାଯାଇଥିବା ବେଳେ ଏବଂ ବିଦ୍ୟୁତ ସଂଯୋଗ ବିଚ୍ଛନ୍ନ ସଂକ୍ରାନ୍ତରେ ପଚାରିଥିବା ବେଳେ ସେ ଏହି ଘଟଣାକୁ ଅତି ଚତୁରତାର ସହିତ ଏଡାଇ ଯାଇଥିଲେ l

Comments are closed.