୩ବର୍ଷ ହେଲା ଖତ ଖାଉଛି ଟ୍ରାନ୍ସଫର୍ମର

ରେଙ୍ଗାଲି : ରେଙ୍ଗାଲି ବିଦ୍ୟୁତ୍ ସବ୍ ଡିଭିଜନ ଅନ୍ତର୍ଗତ ରେଙ୍ଗଲୋଇ ଗ୍ରାମରେ ଗତ ୩ବର୍ଷ ହେଲା ଏକ ଟ୍ରାନ୍ସଫର୍ମର ଅକାରଣରେ ଖତ ଖାଉଛି । ସରକାର ଏବଂ ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ବା ବିଦ୍ୟୁତ୍ ବିଭାଗରେ ସଂସ୍କାର ଏବଂ ଉପଭୋକ୍ତା ମାନଙ୍କୁ ଉନ୍ନତମାନର ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ପ୍ରଚାର ପ୍ରସାର କରୁଥିବା ବେଳେ ରେଙ୍ଗଲୋଇ ଗ୍ରାମରେ ଲାଗିଥିବା ଟ୍ରାନ୍ସଫର୍ମର ଗୋଟିଏ ଦିନ ବି କାର୍ଯ୍ୟକ୍ଷମ ନହୋଇ ଅକାମୀ ଅବସ୍ଥାରେ ପଡି ଖତ ଖାଉଛି । ଫଳରେ ଏହି ଗ୍ରାମର ଉପଭୋକ୍ତା ଲୋ-ଭୋଲଟେଜ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟୁତ୍ ସେବାର ଆଧୁନିକୀକରଣ ପାଇଁ ରେଙ୍ଗଲୋଇରେ ଏହି ଟ୍ରାନ୍ସଫର୍ମରଟି ୩ବର୍ଷ ପୂର୍ବେ ବସାଯାଇଥିଲା। କିନ୍ତୁ ଟ୍ରାନ୍ସଫର୍ମର ରୁ ଗାଁକୁ ବିଦ୍ୟୁତ୍ ଲାଇନ୍ ଚାର୍ଜ କଲା ବେଳକୁ ଟ୍ରାନ୍ସଫର୍ମର ଅଚଳ ହୋଇ ପଡିଥିଲା। ଗ୍ରାମର ଉପଭୋକ୍ତା ଗୋଟିଏ ଦିନ ମଧ୍ୟ ଏହି ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍ ସେବା ପାଇ ନାହାନ୍ତି । ଉପଭୋକ୍ତାଙ୍କ ପାଇଁ ଏହା ସୋ-ପିସ୍ ପାଲଟିଛି । ଟ୍ରାନ୍ସଫର୍ମର ଉପରେ ଅନାବନା ଗଛଲତା ଢାଙ୍କି ହୋଇ ଗଲାଣି ପଛକେ ବିଭାଗୀୟ କର୍ତ୍ତୃପକ୍ଷ ଏହାକୁ କାର୍ଯ୍ୟକ୍ଷମ କରୁ ନାହାନ୍ତି । ଏକାଧିକ ଥର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

Comments are closed.