ଓଡ଼ିଶାରେ ବିଜୁଳି ମହଙ୍ଗା : ଶୁଳ୍କ ବୃଦ୍ଧି ଯୋଗୁଁ ଉପଭୋକ୍ତା କ୍ଷତିଗ୍ରସ୍ତ

ଭୁବନେଶ୍ବର : ରାଜ୍ୟ ସରକାର ବିଜୁଳି ଶୁଳ୍କ ବଢ଼ାଇଛନ୍ତି; ମାତ୍ର ବିଜୁଳି ଶୁଳ୍କ ବୃଦ୍ଧି ସହ ଶୁଳ୍କର ସାରଣୀରେ ରହିଥିବା ବିଚ୍ୟୁତି ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ଶିରପୀଡ଼ା ହୋଇଛି। ସ୍ବଳ୍ପ ଆୟ କରୁଥିବା ଓ ଅଳ୍ପ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ଉଚ୍ଚ ଆୟସମ୍ପନ୍ନ ଓ ଅଧିକ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସହ ସମାନ କରିଦିଆଯାଇ ଥିବାରୁ ସାଧାରଣ ଖାଉଟି କ୍ଷତିଗ୍ରସ୍ତ ହେଉଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାର ଆଦି ରାଜ୍ୟରେ ବିଜୁଳି ଶୁଳ୍କ ନିର୍ଦ୍ଧାରଣ ବେଳେ ଉପଭୋକ୍ତାଙ୍କ ସ୍ବାର୍ଥକୁ ପ୍ରାଥମିକତା ଦିଆଯାଉଛି। ମାତ୍ର ବିଜୁଳି ଉତ୍ପାଦନରେ ବଳକା ରାଜ୍ୟ କୁହାଯାଉଥିବା ଓଡ଼ିଶାରେ ସେପରି କରାଯାଇନାହିଁ। ପ୍ରଥମ ୫୦ ୟୁନିଟ୍ ଶୁଳ୍କ ୨.୭୦ଟଙ୍କା ହୋଇଥିବାବେଳେ ପରବର୍ତ୍ତୀ ଶୁଳ୍କ ସିଧା ୪.୫୦ରୁ ଆରମ୍ଭ ହୋଇଛି। ଅର୍ଥାତ୍ ୫୦ ୟୁନିଟରୁ ଅଧିକ ପ୍ରତ୍ୟେକ ୟୁନିଟ୍ ପାଇଁ ଗ୍ରାହକଟିକୁ ୧.୮୦ ଟଙ୍କା ଅଧିକ ଦେବାକୁ ପଡ଼ିବ। ଯଦି ୫୦ରୁ ୧୦୦ ୟୁନିଟ, ୧୦୦ରୁ ୨୦୦ ୟୁନିଟ ନିମନ୍ତେ ଶୁଳ୍କ ଧାର୍ଯ୍ୟ କରାଯାଇଥାଆନ୍ତା ତେବେ ଗ୍ରାହକ ଏତେ କ୍ଷତିଗ୍ରସ୍ତ ହୋଇ ନ ଥାନ୍ତା।
ରାଜ୍ୟରେ ବିଜୁଳି ସେବା ଘରୋଇକରଣ ପରେ ପ୍ରଥମ ୫୦ ୟୁନିଟ ପାଇଁ ଶୁଳ୍କ ସ୍ଥିରୀକୃତ ହେଉଥିଲା। ଏହାପରେ ୫୦ ୟୁନିଟରୁ ୧୦୦ ୟୁନିଟ୍ ପର୍ଯ୍ୟନ୍ତ, ୧୦୦ ୟୁନିଟରୁ ୨୦୦, ୨୦୦ ୟୁନିଟରୁ ୪୦୦ ୟୁନିଟ୍ , ୪୦୦ରୁ ୬୦୦ ୟୁନିଟ୍ ଓ ୬୦୦ରୁ ୭୦୦ ୟୁନିଟ୍ ପର୍ଯ୍ୟନ୍ତ ଏହିପରି ବିଜୁଳି ଶୁଳ୍କ ଧାର୍ଯ୍ୟ ହେଉଥିଲା । ୨୦୧୧ ମସିହାରେ ୫୦ ୟୁନିଟ୍ ପର୍ଯ୍ୟନ୍ତ ୧.୪୦ ଟଙ୍କା, ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଲାଗି ପ୍ରଥମ ୫୦ ୟୁନିଟ୍ ବାଦ ଦେଇ ଅବଶିଷ୍ଟ ୟୁନିଟ୍ ପାଇଁ ୩.୫୦ ଟଙ୍କା, ୨୦୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର ଲାଗି ୫୦ ୟୁନିଟ ବାଦ ଦେଇ ଅବଶିଷ୍ଟ ୟୁନିଟ୍ ଲାଗି ୩.୫୦ ପଇସା ହିସାବରେ ଦେୟ ଆଦାୟ ହେଉଥିଲା। ପରବର୍ତ୍ତୀ ୟୁନିଟର ହିସାବ ମଧ୍ୟ ଅନୁରୂପ ଭାବରେ ଧାର୍ଯ୍ୟ ହେଉଥିଲା। ମାତ୍ର ସରକାର ଏହି ସାରଣୀକୁ ଉଠାଇ ଦେବା ସହ ପ୍ରଥମ ୫୦ ୟୁନିଟ୍ ପାଇଁ ଶୁଳ୍କ ଧାର୍ଯ୍ୟ କଲେ ଓ ୨ଟି ପର୍ଯ୍ୟାୟରେ ଏହାକୁ ବୃଦ୍ଧି କରାଯାଇ ଏବେ ୨.୭୦ ଟଙ୍କା ଲେଖାଏଁ ଆଦାୟ କରାଯାଉଛି। ମାତ୍ର ୫୦ ୟୁନିଟ୍ ପରେ ପରବର୍ତ୍ତୀ ୟୁନିଟ୍ ପାଇଁ ଗ୍ରାହକମାନଙ୍କୁ ଏବେ ୧୫୦ ୟୁନିଟ୍ ଲାଗି ୪.୫୦ ଟଙ୍କା, ୨୦୦ ୟୁନିଟ୍ ନିମନ୍ତେ ୫.୫୦ ଟଙ୍କା ଏବଂ ତଦୂର୍ଦ୍ଧ୍ବ ବ୍ୟବହାର ଲାଗି ୫.୯୦ ଟଙ୍କା ଦେବାକୁ ପଡ଼ୁଛି।
ତୁଳନାତ୍ମକ ଭାବେ ଆମ ରାଜ୍ୟରେ ବିଜୁଳି ଶୁଳ୍କ ପଡ଼ୋଶୀ ରାଜ୍ୟ ଗୁଡ଼ିକର ବିଜୁଳି ଶୁଳ୍କଠାରୁ ଢ଼େର ଅଧିକ। ଆନ୍ଧ୍ରପ୍ରଦେଶରେ ବ୍ୟବହାର ଅନୁସାରେ ଉପଭୋକ୍ତାଙ୍କ ଶୁଳ୍କ ଭିନ୍ନଭିନ୍ନ। ୭୫ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ଗ୍ରାହକ ଗୋଟିଏ ବର୍ଗରେ ଥିବାବେଳେ ଅନ୍ୟ ଦୁଇଟି ବର୍ଗରେ ୨୨୫ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ଗ୍ରାହକ ଓ ୫୦୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ଗ୍ରାହକଙ୍କ ବର୍ଗୀକରଣ କରାଯାଇଛି। ସାଧାରଣତଃ ୫୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର ପାଇଁ ୟୁନିଟ୍ ପିଛା ୧.୪୫ ଟଙ୍କା, ୫୧-୭୫ ୟୁନିଟ୍ ବ୍ୟବହାର ପାଇଁ ୨.୬୦ ଟଙ୍କା, ୧୦୦ରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର ପାଇଁ ୩.୬୦ ଟଙ୍କା ଓ ୨୦୧ରୁ ତଦୁର୍ଦ୍ଧ ବ୍ୟବହାର ଲାଗି ୬.୯୦ ପଇସା ଧାର୍ଯ୍ୟ ହୋଇଛି।
ବିହାରରେ ଗ୍ରାମାଞ୍ଚଳରେ ୫୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର ପାଇଁ ୨.୫୫ ଟଙ୍କା, ୫୧ରୁ ୧୦୦ ୟୁନିଟ୍ ବ୍ୟବହାର ପାଇଁ ୨.୮୦ଟଙ୍କା, ୧୦୦ରୁ ୨୦୦ ୟୁନିଟ୍ ବ୍ୟବହାର ଲାଗି ୩.୦୫ ଟଙ୍କା ଓ ୨୦୦ରୁ ଅଧିକ ୟୁନିଟ୍ ବ୍ୟବହାର ପାଇଁ ୩.୪୦ ଟଙ୍କା ଶୁଳ୍କ ରହିଛି । ତେବେ ଅନ୍ୟକ୍ଷେତ୍ରରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ଗୋଟିଏ ଦର ଧାର୍ଯ୍ୟ ହୋଇଥିବାବେଳେ ୧୦୦ରୁ ୨୦୦ ୟୁନିଟ, ୨୦୦ରୁ ୩୦୦ ୟୁନିଟ୍ ଓ ୩୦୦ରୁ ଅଧିକ ୟୁନିଟ୍ ନିମନ୍ତେ ଭିନ୍ନ ଦର ରହିଛି। ଛତିଶଗଡ଼ରେ ପ୍ରଥମ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ୨.୪୦ ଟଙ୍କା, ପରବର୍ତ୍ତୀ ୧୦୦ ୟୁନିଟ୍ ନିମନ୍ତେ ୨.୫୦ ଟଙ୍କା, ୨୦୦ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର ଲାଗି ୩.୨୦ ଟଙ୍କା, ୪୦୦ରୁ ୬୦୦ ୟୁନିଟ୍ ବ୍ୟବହାର ଲାଗି ୩.୫୦ ଟଙ୍କା ଓ ପରବର୍ତ୍ତୀ ବ୍ୟବହାର ଲାଗି ୪.୮୫ ଟଙ୍କା ଶୁଳ୍କ ରହିଛି।
ସେହିପରି ତେଲଙ୍ଗାନାରେ କିଲୋୱାଟ ପିଛା ବିଜୁଳି ଦେୟ ଆଦାୟ କରାଯାଉଛି। ପଶ୍ଚିମବଙ୍ଗରେ ଶୁଳ୍କକୁ ୦-୧୦୨ୟୁନିଟ୍, ୧୦୩-୧୮୦ ୟୁନିଟ୍, ୧୮୧-୩୦୦ ୟୁନିଟ୍, ୩୦୧-୬୦୦ ୟୁନିଟ୍, ୬୦୧ରୁ ୯୦୦ ୟୁନିଟ୍ ଭାବରେ ବର୍ଗୀକରଣ କରାଯାଇଛି। ତେଲଙ୍ଗାନାରେ ପ୍ରଥମ ୫୦ ୟୁନିଟ୍ ପର୍ଯ୍ୟନ୍ତ ଦେୟ ୧.୪୫ ଟଙ୍କା ଥିବାବେଳେ ପରବର୍ତ୍ତୀ ୫୧ରୁ ୧୦୦ ନିମନ୍ତେ ୨.୬୦ ଟଙ୍କା ଧାର୍ଯ୍ୟ ହୋଇଛି। ସେହିପରି ୧୦୦ରୁ ୨୦୦ ୟୁନିଟ୍ ବ୍ୟବହାରକାରୀଙ୍କୁ ୩.୩୦ ଟଙ୍କାରୁ ୪.୩୦ ଟଙ୍କା ଏବଂ ଏହାଠାରୁ ଅଧିକ ବିଜୁଳି ବ୍ୟବହାରକାରୀଙ୍କ ପାଇଁ ଭିନ୍ନ ଶୁଳ୍କ ରହିଛି।
କେଉଁ ରାଜ୍ୟରେ ବିଜୁଳି ଶୁଳ୍କ ବା ଅନ୍ୟାନ୍ୟ ସରକାରୀ ଦେୟ କେତେ ରହୁଛି ତାହା ଭିନ୍ନ କଥା; ମାତ୍ର ଶୁଳ୍କର ସାରଣୀ ହିଁ ଏଠାରେ ମୁଖ୍ୟ ପ୍ରସଙ୍ଗ। ଶୁଳ୍କ ସାରଣୀରେ ପରିବର୍ତ୍ତନ କରାଯାଇ ପ୍ରଥମ ୫୦ ୟୁନିଟ୍ ପାଇଁ ଗୋଟିଏ ଦର ଓ ପରବର୍ତ୍ତୀ ୧୫୦ ୟୁନିଟ୍ ନିମନ୍ତେ ସିଧାସଳଖ ୪.୫୦ ଟଙ୍କା ଶୁଳ୍କ ଆଦାୟକୁ ନେଇ ସାଧାରଣରେ ସ୍ବାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଫଳରେ ବିଜୁଳି ଗ୍ରାହକଟି ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛି।
ସବୁଠାରୁ ବଡ଼କଥା ହେଉଛି ଶୁଳ୍କ ସାରଣୀ ପରିବର୍ତ୍ତନ ଦ୍ବାରା ବିଜୁଳି ଉପଭୋକ୍ତା କ୍ଷତିଗ୍ରସ୍ତ ହେବେ। କିନ୍ତୁ ସରକାର କିଛି ଲାଭ ପାଇବେ ନାହିଁ। ଏ ବାବଦ ରାଶି ବିଜୁଳି ଯୋଗାଣକାରୀ ସଂସ୍ଥା ବା ମଧ୍ୟସ୍ଥ କମ୍ପାନୀ ପକେଟକୁ ଯିବ। ବିଜୁଳି ବିତରଣକାରୀ ସଂସ୍ଥା ସରକାରଙ୍କ ଅଧୀନରେ ନାହିଁ। ୧୯୯୯ରେ ଆମେରିକୀୟ ସଂସ୍ଥା ସେସ୍‌କୋର ୫୧% ଇକ୍ୟୁଟି ବିକ୍ରି ଘରୋଇକରଣ ପ୍ରକ୍ରିୟା ଆରମ୍ଭ କରିଥିଲେ। ଆମେରିକୀୟ ସଂସ୍ଥା ଏଇଏସ୍ କର୍ପୋରେସନ ‘ସେସୁ’ ଅଧିଗ୍ରହଣ କରିଥିଲା। ସେହିପରି ରିଲାଏନ୍ସ ଅନ୍ୟ ଡ଼ିସକମ୍ (ବିଜୁଳି ବିତରଣକାରୀ ସଂସ୍ଥା)ଗୁଡ଼ିକୁ ପରିଚାଳନା କରିଥିଲା। ପରବର୍ତ୍ତୀ ସମୟରେ ଆଦାନୀ ଗ୍ରୁପ୍, ଟେରେଣ୍ଟ ପାୱାର, ଗ୍ରିଡକୋ ପରି ସଂସ୍ଥାକୁ ପଛରେ ପକାଇ ଟାଟା ପାୱାର ଓଡ଼ିଶାରେ ବିଜୁଳି ବିତରଣ ଦାୟିତ୍ବ ନେଇଛି।
କମ୍ପାନୀ ପରେ କମ୍ପାନୀ ବଦଳିବା ସତ୍ତ୍ବେ ଓଡ଼ିଶାରେ ବିଜୁଳି ଗ୍ରାହକଙ୍କ ସମସ୍ୟା ସମାଧାନ ହୋଇପାରି ନାହିଁ ଓ ଅଧିକାଂଶ ସମୟରେ ବିଜୁଳି କମ୍ପାନୀ ଗୁଡ଼ିକ ଉପଭୋକ୍ତାଙ୍କ ସ୍ବାର୍ଥକୁ ଉପେକ୍ଷା କରିଛନ୍ତି। ସରକାର ଏ କ୍ଷେତ୍ରରେ କୌଣସି ହସ୍ତକ୍ଷେପ କରିନାହାନ୍ତି। ଅନ୍ୟପକ୍ଷରେ ଓଡ଼ିଶା ବିଦ୍ୟୁତ ନିୟାମକ କମିଟି ନିକଟରେ ବିଜୁଳି ଯୋଗାଣକାରୀ ସଂସ୍ଥାମାନେ କରୁଥିବା ଶୁଳ୍କ ବୃଦ୍ଧି, ସାରଣୀ ପରିବର୍ତ୍ତନ ପରି ଦାବିରେ ସରକାରଙ୍କ ହସ୍ତକ୍ଷେପ କରିବାର ଅବକାଶ ମଧ୍ୟ ନାହିଁ। ଓଇଆରସି ଶୁଣାଣି ସମୟରେ ସମ୍ଭବତଃ ଉପଭୋକ୍ତାଙ୍କ ସ୍ବାର୍ଥ ସମ୍ବଳିତ ଦାବି ଠିକ୍ ଭାବରେ ଉପସ୍ଥାପନ କରାଯାଉ ନ ଥିବା ଯୋଗୁଁ ଓଡ଼ିଶାରେ ବିଜୁଳି ଗ୍ରାହକ କ୍ଷତିଗ୍ରସ୍ତ ହେଉଛନ୍ତି।

Comments are closed.